ଛତ୍ରପୁର, (ବି.ବି.ନୁ୍ୟଜ୍): ଛତ୍ରପୁର ଥାନା ବଡ଼ମାଧପୁର ଠାରେ ବାଲି ବୋଝେଇ ଟ୍ରକ ମାଡ଼ି ଯାଇ ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ମୃତକ ଗଞ୍ଜାମ ବ୍ଲକ୍ କୁଶପଲ୍ଲୀ ଗ୍ରାମର ସୁରେନ୍ଦ୍ର ଦାଶ (୩୫) । ସେ ଶ୍ୱଶୁର ଘର ଛତ୍ରପୁର ବ୍ଲକ ବଣବୁଲାପଲ୍ଲୀରେ ରହୁଥିବା ପୁଲିସ କହିଛି । ଏହିଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଛତ୍ରପୁର ତାରାତାରିଣୀ ରାଜ୍ୟ ରାଜପଥକୁ ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ଯାଏଁ ଅବରୋଧ କରିଥିଲେ । ରାସ୍ତା ଉପରେ ମୃତଦେହ ରଖି ଟାୟାର ଜଳାଇ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଛତ୍ରପୁର ଆଇଆଇସି ପ୍ରିୟଷ ରଞ୍ଜନ ଛୋଟରାୟ, ଅତିରିକ୍ତ ତହସିଲଦାର ରାକେଶ କୁମାର ନାହାକ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ବାଲି ର୍ୟାମ୍ପ ଲିଜ ନେଇଥିବା ବ୍ୟକ୍ତି କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଥିଲେ । ଘଟଣାସ୍ଥଳରେ ଲିଜ୍ ନେଇଥିବା ବ୍ୟକ୍ତିଙ୍କ ପ୍ରତିନିଧି ପହଞ୍ଚି ୩ ଲକ୍ଷ ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ରେଡ୍କ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ଅତିରିକ୍ତ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ରାସ୍ତା ଅବରୋଧ ହଟିଥିଲା । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ଏ ସଂକ୍ରାନ୍ତରେ ଛତ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ ସୁରେନ୍ଦ୍ର ଦାଶ ଆଜି ପୂର୍ବାହ୍ନରେ ତାଙ୍କ ବାଇକ(ଓଡି୦୭ଏବି-୧୫୧୪) ଯୋଗେ ହିଣ୍ଡୁଳାରୁ ଫେରୁଥିବା ସମୟରେ ବାଲି ବୋଝେଇ ଟ୍ରକ(ଓଆର୦୭ଏଏ-୮୧୬୪) ତାଙ୍କ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହି ଘଟଣାକୁ ନଇ ଉତ୍ତେଜନା ପ୍ରକାଶ ପାଇବା ସହ ବଡ଼ମାଧପୁର ଋଷିକୁଲ୍ୟା ନଦୀରୁ ବାଲି ଲିଜ୍ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଥିଲେ । ତୁରନ୍ତ ଲିଜ୍ ଆଦେଶ ପ୍ରତ୍ୟାହାର ନହେଲେ ଗ୍ରାମବାସୀ ଆନେ୍ଦାଳନ କରିବେ ବୋଲି ଲିଖିତ ଭାବେ ତହସିଲଦାର ନୀଳମାଧବ ଭୋଇଙ୍କୁ ଜଣାଇଛନ୍ତି ।
Comments are closed, but trackbacks and pingbacks are open.