ମାଡ଼ି ଆସୁଛନ୍ତି ୨୭ଘରିଆ ହାତୀପଲ

Get real time updates directly on you device, subscribe now.

ବରଗଡ଼,(ବି.ବି.ନୁ୍ୟଜ): ଭେଡେ଼ନ ବ୍ଲକ ଗଣ୍ଡତୁରୁମ ମହାନଦୀ ଡେଇଁ ବରଗଡ଼ ଜିଲ୍ଲାକୁ ପ୍ରବେଶ କରିଥିବା ୨୭ ଘରିଆ ହାତୀପଲ ଧିରେ ଧିରେ ଆଗକୁ ମାଡ଼ି ଆସୁଛନ୍ତି । ଶୁକ୍ରବାର ସକାଳ ସୁଦ୍ଧା ଅଡ଼ଗାଁ ରିଜର୍ଭ ଫରେଷ୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିବା ବନ ବିଭାଗ ଏସିଏଫ୍ ରେବତୀ ରଞ୍ଜନ ଯୋଷୀଙ୍କ ଠାରୁ ଜଣାପଡ଼ିଛି । ଆଜି ସକାଳୁ ବର୍ତ୍ତମାନ ଯାଏଁ ହାତୀପଲ ଅଡ଼ଗାଁ ଜଙ୍ଗଲ ଭିତରେ ହିଁ ଥିବା ବେଳେ ଆଜି ରାତିର ଗତିବିଧି ବନ ବିଭାଗ ପାଇଁ ଚ୍ୟାଲେଞ୍ଜରେ ପରିଣତ ହୋଇଛି । ଏନେଇ ଏସିଏଫ୍ ଶ୍ରୀ ଯୋଷୀଙ୍କୁ ପଚାରିବା ପରେ ହାତୀପଲର ଗତିବିଧିରୁ ସେମାନେ ଅଡ଼ଗାଁ ଜଙ୍ଗଲରୁ ଅତାବିରା ଜଙ୍ଗଲାଞ୍ଚଳ ଦେଇ ଡେ଼ବ୍ରିଗଡ଼ ଅଭୟାରଣ୍ୟ ଦିଗକୁ ଅଗ୍ରସର ହୋଇପାରନ୍ତି ବୋଲି ସୂଚନା ଦେଇଛନ୍ତି ।ହାତୀପଲ ବର୍ତ୍ତମାନ ବରଗଡ଼ ସହର ଠାରୁ ମାତ୍ର ୮ କିଲୋମିଟର ଦୂରରେ ହିଁ ଥିବା ବେଳେ ଏମାନେ ପଶ୍ଚିମ ଦିଗକୁ ହିଁ ବଢ଼ୁଥିବାରୁ ଆସନ୍ତାକାଲି ସୁଦ୍ଧା ବରଗଡ଼ ସହରକୁ ମଧ୍ୟ ପଶି ଆସିପାରନ୍ତି ବୋଲି ସଚେତନ ମହଲରେ ହେଉଥିବା ଆଲୋଚନା ସାଧାରଣରେ ଆତଙ୍କ ଖେଳାଇ ଦେଇଛି ।
ସୂଚନା ଯୋଗ୍ୟ ମଙ୍ଗଳବାର ରାତିରେ ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ତଥା ବିନିକା ରେଞ୍ଜ ଅଧିନ ସିଂଢେ଼ାଲ ଜଙ୍ଗଲରୁ ବ୍ରାହ୍ମଣତୁରୁମ ଦେଇ ମହାନଦୀ ଅତିକ୍ରମ କରି ବରଗଡ଼ ଜିଲ୍ଲା ଭେଡେ଼ନ ବ୍ଲକକୁ ପଶି ଆସିଥିବା ହାତୀପଲ ମହୁଲପାଲି ଓ ସିଆଲଖଣ୍ଡତା ପଞ୍ଚାୟତର ବିଭିନ୍ନ ଜନପଦରେ ବ୍ୟାପକ ଉପଦ୍ରବ କରିଥିଲେ । ସେଠୁ ଦନ୍ତାନଦୀ କୂଳ ଦେଇ ବକଟି, ଅପାମରା, ତାଲମେଣ୍ଡା, ଖଗସିପାଲି ରାସ୍ତା ଦେଇ ସିଧା ବରଗଡ଼ ରେଞ୍ଜ ଅନ୍ତର୍ଗତ ତାଲପାଲି ଜଙ୍ଗଲରେ ପହଞ୍ଚିଥିଲେ । ଆଜି ଦିନ ତମାମ୍ ସେଠାରେ ସ୍ଥିର ରହିଥିବା ବେଳେ ରାତିରେ ସେଠାରୁ ଆଗକୁ ବଢ଼ି ଆଜି ସକାଳ ସୁଦ୍ଧା ଅଡ଼ଗାଁରେ ପହଞ୍ଚିଛନ୍ତି । ଆଜି ରାତିରେ ସେମାନଙ୍କ ଗସ୍ତ ଜଙ୍ଗଲ, ପୁଲିସ୍ ଓ ପ୍ରଶାସନ ଠାରୁ ଆରମ୍ଭ କରି ଜନସାଧାରଣଙ୍କୁ ସତର୍କ କରିଦେଇଛି । ପୁଣି ହାତୀପଲ ଭେଡେ଼ନ ବ୍ଲକର ବିଭିନ୍ନ ଗାଁରେ ବ୍ୟାପକ ଫସଲ ନଷ୍ଟ କରିଥିବା ବେଳେ ଆଗାମୀ ଚାଷ ପାଇଁ ତଳି ପକାଯାଇଥିବା ପହ୍ଲାକୁ ମଧ୍ୟ ନଷ୍ଟ କରିଥିବାରୁ ଏଠାକାର ଚାଷୀ ଚିନ୍ତିତ ହୋଇପଡ଼ିଛନ୍ତି । ଅନ୍ୟପକ୍ଷରେ ହାତୀପଲକୁ ଘଉଡ଼ାଇବାରେ ବିଭାଗ ନାକେଦମ ହୋଇପଡିଛି । ପାଞ୍ଚଟି ଦନ୍ତା ହାତୀ ସମେତ ମାଈ ଓ ଛୁଆଙ୍କୁ ନେଇ ଛୋଟବଡ଼ ୨୭ଟି ହାତୀ ବନାଧିକାରୀଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛନ୍ତି । ଅପରପକ୍ଷେ ଜିଲ୍ଲାକୁ ପ୍ରବେଶ କରିବାର ୪ ଦିନ ପରେ ବି ସହାୟତା ପାଇଁ ବନ ବିଭାଗର ଉଚ୍ଚ ତାଲିମପ୍ରାପ୍ତ ଅଧିକାରୀ ବା ରେସ୍କୁ୍ୟ ଅଧିକାରୀ ଆସି ନଥିବାରୁ ଜଙ୍ଗଲ ବିଭାଗର ଅଣଦେଖା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons