ଅନୁଗୁଳ,(ବି.ବି.ନୁ୍ୟଜ୍): କରୋନା ଭୟ ଏବେ ଏମିତି ଘାରିଛି ଯେ ଲୋକଙ୍କ ମଧ୍ୟରୁ ମାନବିକତା ଓ ସହାନୁଭୂତି ହଜିବାକୁ ବସିଲାଣି । ଦିନେ ଯେଉଁ ଆତ୍ମୀୟ ସୁବିଧା ଅସୁବିଧାରେ ପାଖରେ ଛିଡ଼ା ହେଉଥିଲେ, ଏବେ ସେମାନେ ଘୃଣାଚକ୍ଷୁରେ ଦେଖୁଛନ୍ତି । ଏହାର ଏକ ଅଭାବନୀୟ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ମହକୁମାରେ । ଘରଭଡ଼ା ବାକି ଓ କରୋନା ଭୟରେ ଘର ମାଲିକ ଘରୁ ତଡ଼ି ଦେବା ପରେ ୭ ଦିନର କଅଁଳା ଛୁଆକୁ ଧରି ଦହଗଞ୍ଜ ହେଉଛନ୍ତି ଏକ ଗରିବ ଦମ୍ପତି । ଘର ମାଲିକ ତଡ଼ିଦେଲେ, ଗାଁ’ରେ ବି ଗ୍ରାମବାସୀ ପୂରାଇ ନଦେବାରୁ ସାମାଜିକ ଦୁର୍ଦ୍ଧଶାରେ ଆକ୍ତାମାକ୍ତା ହୋଇ ଆର୍ଏମ୍ସି ହାଟ ପଡ଼ିଆରେ ନବଜାତକକୁ ଧରି ଆଶ୍ରୟ ନେଇଛନ୍ତି ବୃହସ୍ପତି ରାୟ (୪୫) ଓ ତାଙ୍କ ପତ୍ନୀ ସଫଳା ବେହେରା (୩୫) ।
ସୂଚନା ଅନୁଯାୟୀ, ବୃହସ୍ପତିଙ୍କ ପୈତୃକ ଘର ଟାଟାରେ । ସେ ଦୀର୍ଘ ଦଶ ବର୍ଷ ହେଲା ଅନୁଗୁଳରେ ରହୁଛନ୍ତି । ବଅଁରପାଳ ବ୍ଲକ ତଳମୂଳରେ ଶ୍ରମିକ ଭାବେ କାମ କରୁଥିବା ବେଳେ ସେହି ଗ୍ରାମର ସଫଳାଙ୍କୁ ସେ ବିବାହ କରିଛନ୍ତି । ଶ୍ୱଶୁର ଘରେ ରହି କାମଧନ୍ଦା କରୁଥିଲେ । ମାତ୍ର ସେଠାରେ କାମ ନମିଳିବାକୁ ପତି-ପତ୍ନୀ ଗତ ଫେବ୍ରୁଆରୀରେ ଅନୁଗୁଳ ସହରକୁ ଆସିଥିଲେ । ଏଠାରେ ତାମ୍ରିତ କଲୋନୀ କେନାଲ୍ ହୁଡ଼ାରେ ମାସିକ ଏକ ହଜାର ଟଙ୍କାରେ ଘରଭଡ଼ା ନେଇ ରହିଆସୁଥିଲେ । ହେଲେ ଏଠାରେ ଦିନ କେଇଟା ରହିଛନ୍ତି କି ନା କରୋନା କଟକଣା ତାଙ୍କ ଜୀବନକୁ ପ୍ରଭାବିତ କରିଥିଲା । କରୋନା କଟକଣା ଯୋଗୁଁ ହାତକୁ କାମ ମିଳିଲାନି । ତେଣୁ ବୃହସ୍ପତି ୨ ମାସର ଘରଭଡ଼ା ଦେଇପାରି ନଥିଲେ । ଇତିମଧ୍ୟରେ ଗତ ୧୫ ତାରିଖରେ ସଫଳା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ଦୁଇ ଦିନ ପରେ ଡିସଚାର୍ଜ ହୋଇ ଘରକୁ ଆସିଥିଲେ । ମାତ୍ର ଘର ମାଲିକ ତାଙ୍କୁ ଘରେ ରହିବାକୁ ବାରଣ କରିଥିଲେ । ଘରଭଡ଼ା ମାଗିବା ସହ ନବଜାତକକୁ ଧରି ଏଠାରେ ରହିପାରିବ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଥିଲେ । ଫଳରେ ବୃହସ୍ପତି ଏକ ଅଟୋଭଡ଼ା କରି ପତ୍ନୀ ଓ କନ୍ୟାକୁ ନେଇ ତଳମୂଳ ସ୍ଥିତ ନିଜ ଶ୍ୱଶୂର ଘରକୁ ଯାଇଥିଲେ । ମାତ୍ର ଗ୍ରାମବାସୀ କରୋନା ଭୟରେ ତାଙ୍କୁ ଗାଁ’ରେ ରହିବା ନେଇ ଆପତ୍ତି ଉଠାଇଥିଲେ । ମେଡିକାଲ୍ରୁ ଆସିଥିବାରୁ କରୋନା ସଂକ୍ରମଣ ଭୟ ରହିଛି କହି ଗାଁରୁ ତଡ଼ିଦେଲେ । ସବୁଠି ନିରାଶ ହେବା ପରେ ଏହି ଦମ୍ପତି ଅନୁଗୁଳ ଫେରିଆସି କଲେଜ ଛକର ଏକ ଦୋକାନ କଡ଼ରେ ତିନି ରାତି ବିତାଇଥିଲେ । ଆଜି ହାଟ ଭିତର ପିଣ୍ଡିକୁ ପଳାଇ ଆସିଥିଲେ । ବାହାରୁ କିଣି ଖାଉଥିବା ବେଳେ ନବଜାତକର ଯତ୍ନ ନେଇ ନପାରି ନିଜର ଅସହାୟତା ପ୍ରକାଶ କରିଛନ୍ତି । ଯତ୍ନ ଅଭାବରୁ ୭ ଦିନର ଶିଶୁକନ୍ୟାର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଛି । ଛୁଆକୁ ସେକ ଦେବା ସହ ରାନ୍ଧି ଖାଇବାକୁ ବୃହସ୍ପତି ଆଜି ଘରମାଲିକଙ୍କ ପାଖକୁ ଯାଇଥିଲେ । ଗ୍ୟାସ୍ ଓ କିଛି ରୋଷେଇ ସାମଗ୍ରୀ ନେବାକୁ ମାଲିକଙ୍କୁ ଜଣାଇଥିଲେ । କିିନ୍ତୁ ଘରଭଡ଼ା ନଦେବା ପର୍ଯ୍ୟନ୍ତ କୌଣସି ବି ଜିନିଷ ନେଇପାରିବ ନାହିଁ ବୋଲି କହି ମାଲିକ ତଡ଼ି ଦେଇଥିବା ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣା ପ୍ରଚାର ହେବା ପରେ ପୁଲିସ୍ ଓ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ହସ୍ତକ୍ଷେପ କରିଥିଲେ । ଘର ମାଲିକଙ୍କୁ ଡାକି ବୁଝାସୁଝା କରିଥିଲେ । ଚାରିଆଡ଼ୁ ଚାପ ପଡ଼ିବା ପରେ ଘର ମାଲିକ ରାଜି ହୋଇଥିଲେ ଏବଂ ଅପରାହ୍ଣରେ ଦମ୍ପତି ଭଡ଼ାଘରକୁ ଫେରିଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.