ବୋରିଗୁମ୍ମା: କବାଟ ଭାଙ୍ଗି ଘରେ ପଶିଲେ । ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ସୁନା ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୋମବାର ବିଲମ୍ବିତ ରାତିରେ ଏଭଳି ଡକାୟତି ହୋଇଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ବି.ସିଂହପୁର ଥାନା ଅନ୍ତର୍ଗତ ଗୁମୁଡା ଗାଁରେ । ଲୁଟ୍ର ଶିକାର ହୋଇଛନ୍ତି ଲମ୍ବୋଦର ଷଢଙ୍ଗି ଓ ତାଙ୍କ ସ୍ତ୍ରୀ । ଏ ସମ୍ପର୍କରେ ଲମ୍ବୋଦର ବି.ସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୁଲିସ୍ ସୂଚନା ଅନୁଯାୟୀ, ସୋମବାର ରାତିରେ ଲମ୍ବୋଦର ଓ ତାଙ୍କ ସ୍ତ୍ରୀ ଖାଇବା ପରେ ଶୋଇବାକୁ ଯାଇଥିଲେ । ରାତି ସାଢେ ଗୋଟାଏ ବେଳେ ହଠାତ୍ ୫ଜଣ ଦୁର୍ବତ୍ତ ମୁଖାପିନ୍ଧି ପାଚେରୀ ଡେଇଁ ଅଗଣାରେ ପଶିଥିଲେ । ଘରର ମୁଖ୍ୟ କବାଟ ଭାଙ୍ଗି ଭିତରେ ପଶିଥିଲେ । ଧାରୁଆ ମାରଣାସ୍ତ୍ର ଦେଖାଇ ଲମ୍ବୋଦର ଓ ତାଙ୍କ ସ୍ତ୍ରୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଭୟଭୀତ ହୋଇ ଦମ୍ପତି ଆଲ୍ମିରା ଚାବି ଦୁର୍ବୃତ୍ତମାନଙ୍କୁ ଦେଇଥିଲେ । ଆଲ୍ମିରା ଭିତରେ ଥିବା ସୁନାର କାନଫୁଲ, ମୁଦି ସହ ୩ ତୋଳାର ଅଳଙ୍କାର ଏବଂ ନଗଦ ୫୦ ହଜାର ଟଙ୍କା ଲୁଟି ଫେରାର୍ ହୋଇଯାଇଥିଲେ । ଏ ସମ୍ପର୍କରେ ଲମ୍ବୋଦର ଆଜି ସକାଳେ ବି.ସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗୁ ଭିତ୍ତିକରି ପୁଲିସ୍ ଏକ ମାମଲା ରୁଜୁ କରିଥିଲା । ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଦାମୋଦର ବିହାରୀ କହିଛନ୍ତି । ଲୁଟ୍ ମାମଲାରେ ସନ୍ଧ୍ୟା ସୁଦ୍ଧା କାହାରିକୁ ଗିରଫ କରାଯାଇନାହିଁ । ଦୁର୍ବୃତ୍ତମାନଙ୍କୁ ଧରିବା ଲାଗି ପୁଲିସ୍ ତନାଘନା କରିଛି । ଖୁବ୍ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ୍ କହିଛି । ସୂଚନାଥାଉକି, ଶ୍ରୀ ଷଡଙ୍ଗୀଙ୍କ ପୁଅବୋହୂ ନବରଙ୍ଗପୁରରେ ରହୁଛନ୍ତି । ଗୁମୁଡା ଗାଁରେ ଉଭୟ ସ୍ୱାମୀ-ସ୍ତ୍ରୀ ରହୁଛନ୍ତି । ପୁଅବୋହୂ ବାହାରେ ରହୁଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ମାରଣାସ୍ତ୍ର ଦେଖାଇ ଦମ୍ପତିଙ୍କ ଘରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି । ଏହି ଘଟଣା ପ୍ରଚାରିତ ହେବାପରେ ଗୁମୁଡା ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି ।
କୋଭିଡ୍ ସଂକ୍ରମଣକୁ ରୋକିବା ଲାଗି ନାଇଟ୍ କର୍ଫୁ୍ୟ ଜାରି ରହିଛି । ଫଳରେ ସହରଠାରୁ ଗାଁ ପର୍ଯ୍ୟନ୍ତ ଶୂନ୍ଶାନ ରହୁଛି । ଏହାର ସୁଯୋଗ ନେଇ ଗ୍ରାମାଞ୍ଚଳରେ ଏବେ ସକ୍ରିୟ ହୋଇଛନ୍ତି ଡକାୟତି ଦଳ । ପୁଲିସ୍ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ସହ ଦୁର୍ବୃତ୍ତମାନଙ୍କୁ ଗିରଫ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।
ରିପୋର୍ଟ: ମାନସ ରଥ
Comments are closed, but trackbacks and pingbacks are open.