ମାଲକାନଗିରି,(ବି.ବି.ନ୍ୟୁଜ୍): ୩ ଦିନର ଲଗାଣ ବର୍ଷା ଯୋଗୁ ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଏବର୍ଷର ଏହା ପ୍ରଥମ ବନ୍ୟା । ମୂଷଳଧାରାରେ ବର୍ଷା ହେବାରୁ ଆଜି ସକାଳେ ମାଲକାନଗିରି-କାଲିମେଲା-ମୋଟୁ ରାସ୍ତାର କାଙ୍ଗୁରକୋଣ୍ଡା ପୋଲ ଉପରେ ୩ ଫୁଟ ଉଚ୍ଚରେ ପ୍ରବାହିତ ହୋଇଥିଲା ପାଣି । ଫଳରେ ମାଲକାନଗିରିରୁ କାଲିମେଳା, ମୋଟୁ ଏବଂ ପଡିଆ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । କାଙ୍ଗୁରକୋଣ୍ଡା ପୋଲ ନିକଟ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିଲା ଶହ ଶହ ଗାଡ଼ି । ଯାତ୍ରୀମାନେ ନାହିଁନଥିବା ଅସୁବିଧା ଭୋଗିଥିଲେ । ସେହିପରି ଗୁବୁଲୁର ନାଳ ଉପରେ ଦିନ ତମାମ୍ ୩ରୁ ୪ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇଥିଲା । ଏଥିଯୋଗୁ କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମ୍ଭି-୯୦ ଗାଁରୁ କୁରୁବ୍, ବଡିଗେଟା, ଏମ୍ଭି-୭୦, ଏମ୍ପିଭି-୩୭, ମାରିଗେଟା ଏବଂ ଅନ୍ୟ କେତେକ ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା । ଏହି ଅଞ୍ଚଳରେ ଥିବା ପୋଟେରୁ ନଦୀ ଏବଂ ଏମ୍ଭି-୯୦ ନିକଟ କେନାଲ୍ରେ ଜଳସ୍ତର ବଢୁଛି । ପାହାଡ଼ିଆ ପାଣି ପ୍ରବେଶ କରିବା ପରେ ଜିଲ୍ଲାର ବିଭିନ୍ନ ନଦୀ ଓ ନାଳ ଫୁଲିବାରେ ଲାଗିଛି । ବର୍ଷା ଲାଗି ରହିଲେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାର ସମ୍ଭାବନା ରହିଛି ।
ମାଲକାନଗରିରି-ବାଲିମେଳା ମୁଖ୍ୟ ରାସ୍ତାର ଏମଭି ୧୧, କୋରୁକୋଣ୍ଡା ଏବଂ ମୋଟୁ ରାସ୍ତାର ଏମଭି-୯୦, ଏମ୍ଭି -୯୬ ଗାଁ ନିକଟ ପୋଲ ଓ ପୋଟେରୁ ପୋଲକୁ ଲାଗିଗଲାଣି ପାଣି । ଅଧିକ ବର୍ଷା ହେଲେ ଏସବୁ ପୋଲ ବୁଡିଯିବାର ସମ୍ଭାବନା ରହିଛି । ଏହାକୁ ନେଇ ନଈକୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଶନିବାର ସକାଳ ୮ରୁ ରବିବାର ସକାଳ ୮ଟା ମଧ୍ୟରେ ଅର୍ଥାତ୍ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଳାରେ ହାରାହାରି ୫୭.୬୬ ମିମି ବର୍ଷା ରେକର୍ଡ କରାଯାଇଛି । କାଲିମେଳା ବ୍ଲକରେ ସର୍ବାଧିକ ୮୦ ମିମି ବର୍ଷା ହୋଇଛି । ସେହିପରି କୋରୁକୋଣ୍ଡା ବ୍ଲକରେ ୭୮ ମିମି, ପଡିଆ ବ୍ଲକରେ ୬୬.୪ମିମି, କେ. ଗୁମ୍ମାରେ ୫୨ ମିମି, ଖଇରପୁଟରେ ୪୯ ମିମି, ମାଥିଲିରେ ୪୩ ମିମି ଏବଂ ମାଲକାନଗିରି ବ୍ଲକରେ ୩୫.୨ ମିମି ବର୍ଷା ହୋଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ଜଣାପଡିଛି ।
ଆଗକୁ ଜିଲ୍ଲା ଏବଂ ଏହାର ଉପରମୁଣ୍ଡରେ ବର୍ଷା ଲାଗି ରହିଲେ ମୋଟୁ ଏବଂ ପଡିଆ ଅଞ୍ଚଳ ଦେଇ ପ୍ରବାହିତ ସାବେରୀ, ସିଲେରୁ, ଗୋବିନ୍ଦପାଲ୍ଲି ଅଞ୍ଚଳ ଦେଇ ପ୍ରବାହିତ ସପ୍ତଧାରା ଏବଂ ମାଥିଲି ଅଞ୍ଚଳ ଦେଇ ପ୍ରବାହିତ ସାବେରୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ଏହାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲକାନଗିରି, କାଲିମେଳା, ପଡିଆ, ମାଥିଲି, ଚିତ୍ରକୋଣ୍ଡା, ଖଇରପୁଟ ଏବଂ କୋରୁକୋଣ୍ଡା ଆଦି ୭ଟି ଯାକ ବ୍ଲକର ତହସିଲଦାର, ବିଡିଓ ଏବଂ ଅନ୍ୟାନ ସରକାରୀ ଅଧିକାରୀମାନଙ୍କୁ ସଜାଗ କରାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed, but trackbacks and pingbacks are open.