ମାଲକାନଗିରିରେ ୧୩ ଯୋଦ୍ଧା ସମେତ ୫୪ ନୂଆ ପଜିଟିଭ୍

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ଜିଲ୍ଲାରେ କରୋନା ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି । ଗୁରୁବାର ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ଜିଲ୍ଲାରେ ସର୍ବାଧିକ ୫୪ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୧୩ ଜଣ କରୋନା ଯୋଦ୍ଧା । ଅନ୍ୟ ୪୧ଜଣ ସ୍ଥାନୀୟ ଲୋକ । ପଜିଟିଭ୍ ଚିହ୍ନଟ ହୋଇଥିବା ମାଲକାନଗିରି ପୌରାଞ୍ଚଳ, ବାଲିମେଳା ସହରର ସାଇବାବା ଲାଇନ, ଅରବିନ୍ଦ ଲାଇନ, ମେନରୋଡ ଲାଇନ, ଅଫିସର୍ସ କଲୋନି, ମାଲକାନଗିରି ବ୍ଲକ, କାଲିମେଳା ବ୍ଲକର ଏମଭି-୯୦ଗାଁ, ଖଇରପୁଟ ବ୍ଲକର ଗୋବିନ୍ଦପାଲି ଏବଂ ମାଥିଲି ମେଡିକାଲ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ସାନିଟାଇଜ୍ କରାଯାଇଛି । ଆଜିକୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ପହଞ୍ଚିଛି ୨୬୬ରେ । ସେମାନଙ୍କ ମଧ୍ୟରୁ ୧୩୭ ସୁସ୍ଥ ହୋଇଥିବା ବେଳେ ୧୨୯ ଜଣ ସ୍ଥାନୀୟ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ପ୍ରଶାସନର ସୂଚନା ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା ୫୪ ଜଣ ପୂର୍ବ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରେ ମାଲକାନଗିରି ପୌରପରିଷଦ କଣ୍ଟେନମେଣ୍ଟ ଜୋନ୍ର ୧୦ ଜଣ କରୋନା ଯୋଦ୍ଧାଙ୍କ ସମେତ ୨୧ଜଣ ରହିଛନ୍ତି । ସଦର ବ୍ଲକ ଅଞ୍ଚଳରୁ ୩ ଜଣ ଚିହ୍ନଟ ହୋଇଛନ୍ତି । କୋରୁକୁଣ୍ଡା ବ୍ଲକ ବାଲିମେଳା ସହରରୁ ୨୧ଜଣ ଚିହ୍ନଟ ହୋଇଛନ୍ତି । ଜଣେ କାଲିମେଳା ବ୍ଲକ ଏମଭି-୯୦ ଗାଁରୁ, ୬ଜଣ ଖଇରପୁଟ ବ୍ଲକ ଅଞ୍ଚଳରୁ ଏବଂ ୨ଜଣ ମାଥିଲି ବ୍ଲକ ଅଞ୍ଚଳରୁ । ମାଲକାନଗିରି ପୌରାଞ୍ଚଳର ୨୧ ଜଣଙ୍କ ମଧ୍ୟରୁ ୧୬ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ୫ ଜଣ ପୌରାଞ୍ଚଳ କଣ୍ଟେନମେଣ୍ଟ ଅଞ୍ଚଳର । କଣ୍ଟେନମେଣ୍ଟ ଅଞ୍ଚଳର ୫ ଜଣଙ୍କଠାରେ କରୋନା ଲକ୍ଷଣ ରହିଥିଲା । କିନ୍ତୁ ବ୍ଲକ ଅଞ୍ଚଳର ୩ଜଣଙ୍କ ମଧ୍ୟରୁ ଜଣଙ୍କଠାରେ ଲକ୍ଷଣ ଥିବା ବେଳେ ଅନ୍ୟ ୨ଜଣ ହଟସ୍ପଟ ଜିଲ୍ଲାରୁ ଫେରିଥିଲେ । ସେହିପରି ବାଲିମେଳା ସହରର ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ୩ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା ବୋଲି ପ୍ରଶାସନ କହିଛି । ଅନ୍ୟପକ୍ଷରେ କାଲିମେଳା ଏମଭି-୯୦ ଗାଁର ଆକ୍ରାନ୍ତ ଜଣଙ୍କ ଦିଲ୍ଲୀ ଫେରନ୍ତା ଓ ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ମାଥିଲି ବ୍ଲକର ଆକ୍ରାନ୍ତ ୨ଜଣଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ଓ ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ୟ ଜଣେ ହଟସ୍ପଟ ଜିଲ୍ଲାରୁ ଆସିଥିଲେ । ଖଇରପୁଟ ବ୍ଲକର ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ତାମିଲନାଡୁ ଫେରନ୍ତା । ସେ ଗୋବିନ୍ଦପାଲି ଗାଁର ହୋଇଥିବା ବେଳେ ୨ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ୟ ୩ଜଣ ହଟ୍ସ୍ପଟ ଜିଲ୍ଲାରୁ ଆସିଥିଲେ ବୋଲି କୁହାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ମାଲକାନଗିରି ପୌରାଞ୍ଚଳ ଓ ବାଲିମେଳା ଏନଏସିକୁ ୧୯ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଥିଲା । ଏଥିରେ କିଛି ପରିବର୍ତ୍ତନ କରାଯାଇ ନାହିଁ । ଏଥିସହ ଆକ୍ରାନ୍ତ ଚିହ୍ନଟ ଅଞ୍ଚଳଗୁଡିକୁ ସାନିଟାଇଜ୍ କରାଯାଇଛି । ସହରର ବିଭିନ୍ନ ଛକଗୁଡିକରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆକ୍ରାନ୍ତମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ବିଭିନ୍ନ ସାହିବସ୍ତିକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି । ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀମାନେ ଘର ଘର ବୁଲି ପରିବାରର ସ୍ୱାସ୍ଥ୍ୟ ବିବରଣୀ ସଂଗ୍ରହ କରୁଛନ୍ତି । କୋଭିଡ୍ ନିୟମକୁ ସମସ୍ତେ ପାଳନ କଲେ ସଂକ୍ରମଣକୁ ଦୂରେଇ ପାରିବା ବୋଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons