ମାଲକାନଗିରି, (ସତ୍ୟପ୍ରକାଶ ସାମଲ): କରୋନା ରୋଗୀ ତାଲିକାରେ ଯୋଡ଼ି ହୋଇଯାଇଛି ଆଜି ପର୍ଯ୍ୟନ୍ତ ଗ୍ରୀନ୍ ଜୋନ୍ରେ ଥିବା ମାଲକାନଗିରି ଜିଲ୍ଲା । କାଲିମେଳା ବ୍ଲକ ଅଞ୍ଚଳର ଏକ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ୨ ଜଣ କରୋନା ରୋଗୀ । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ୨୧ ବର୍ଷର ଯୁବକ ଏବଂ ଅନ୍ୟ ଜଣେ ଶିଶୁ । ମଙ୍ଗଳବାର ରାତିରେ ସ୍ୱାବ୍ ପରୀକ୍ଷା ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ସଂଗରୋଧ କେନ୍ଦ୍ରର ୧୦୦ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ୨ ଜଣଙ୍କଠାରେ କରୋନା ପଜିଟିଭ୍ ବାହାରିବା ପରେ ଜିଲ୍ଲାବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଗୁରୁବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ମୋଟ ମାଲକାନାଗିରିରେ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।
ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ଦୁଇଜଣ ଏମ୍ଭି-୭୨ ଅଞ୍ଚଳର । ସେମାନେ ଚେନ୍ନାଇରେ ରହି କାମ କରୁଥିଲେ । ମୋଟୁ ସୀମାନ୍ତ ଦେଇ ଆସିବା ପରେ ସେମାନଙ୍କୁ ସ୍କ୍ରିନିଂ କରାଯାଇ କାଲିମେଳା ବ୍ଲକ ଅଞ୍ଚଳରେ ଥିବା ଏକ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଥିଲା । ଏହି କେନ୍ଦ୍ରରେ ରହୁଥିବା ୨୫ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ରିପୋର୍ଟ ଆସିବା ପରେ ୩ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଜିଲ୍ଲାରୁ ୨ ହଜାରରୁ ଅଧିକ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରକୁ ପରୀକ୍ଷା ପାଇଁ ପଠାଯାଇଥିଲା । ଅଧିକାଂଶଙ୍କ ରିପୋର୍ଟ ନେଗେଟିଭ୍ ରହିଛି । ଦୁଇ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସଂପୃକ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରର ଆଖପାଖ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି କି ନାହି, ତା ଉପରେ ତଥ୍ୟ ସଂଗ୍ରହ ଲାଗି ପ୍ରଶାସନ ପକ୍ଷରୁ ଏକ ଟିମ୍ ଗଢ଼ାଯାଇଛି । ସଂକ୍ରମିତଙ୍କ ସମସ୍ତ ବିବରଣୀ ପ୍ରଶାସନ ନିକଟରେ ରହିଥିବା କୁହାଯାଇଛି । କେହି ଭୟଭୀତ ନହୋଇ ଘରେ ସାମାଜିକ ଦୂରତାରେ ରହିବା ସହ ମାସ୍କ ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ ମାନିବା ଲାଗି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।
Comments are closed, but trackbacks and pingbacks are open.