ମାଲକାନଗିରି,(ବି.ବି.ନୁ୍ୟଜ): ପୁଲିସ ବିଭାଗରେ ଜଣେ ବରିÂ ଅଧିକାରୀ ତାଙ୍କର ଜଣେ ଅଧସ୍ତନ ମହିଳା କର୍ମଚାରୀଙ୍କୁ ପ୍ରେମ ଜାଲରେ ଫସାଇ ପରେ ପ୍ରତରଣା ଏବଂ ବ୍ଲାକ୍ମେଲିଂ କରିବା ଘଟଣା ପଦାରେ ପଡ଼ିଛି । କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ଏହି ମହିଳା କନଷ୍ଟେବଳଙ୍କ ଅଭିଯୋଗକୁ ଆଧାର କରି ଜିଲ୍ଲା ପୁଲିସ ବାହିନୀ ମାଲକାନଗିରି ଜିଲ୍ଲାରୁ ସମ୍ପୃକ୍ତ ଡିଏସ୍ପିଙ୍କୁ ରାତିଅଧିଆ ଉଠାଇ ଆଣିଥିଲା । ଏପରି କି ଡିଏସ୍ପି ତାଙ୍କୁ ଦ୍ୱିତୀୟ ବିବାହ କରିଥିବା ମହିଳା ଜଣକ ଅଭିଯୋଗ କରିଥିଲେ । ମହିଳା କନଷ୍ଟେବଳ ଜଣକ କେସିଙ୍ଗା ଆଦର୍ଶ ଥାନାରେ କାର୍ଯ୍ୟରତ ଥିବାବେଳେ ଡିଏସ୍ପି ଜଣକ ହେଲେ ମାଲକାନଗିରି ସଦର ଥାନାରେ କାର୍ଯ୍ୟରତ ଅକ୍ଷୟ କୁମାର ନାୟକ । କଳାହାଣ୍ଡି ଏସ୍ପିଙ୍କ ନିକଟରେ ମହିଳା ଜଣକ ଡିଏସ୍ପିଙ୍କ ବିରୋଧରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିବା ପରେ କଳାହାଣ୍ଡି ପୁଲିସ ଏଭଳି ପଦକ୍ଷେପ ନେଇଛି । ସେପଟେ ଘଟଣାରେ ଆଗୁଆ ଜାମିନ ପାଇ ପୁଲିସ ଅଧିକାରୀ ଜଣକ ଗିରଫଦାରିରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ଏହାସହ ତାଙ୍କ ବିରୋଧରେ ଉଠିଥିବା ସବୁ ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି ।
ସୂଚନାମତେ, ଡିଏସ୍ପି ଅକ୍ଷୟ ନାୟକ ୧୦ ବର୍ଷ ତଳେ କେସିଙ୍ଗାରେ ଏସ୍ଡିପିଓ ଭାବେ କାର୍ଯ୍ୟରତ ଥିବାବେଳେ ସଂପୃକ୍ତ ମହିଳା କନଷ୍ଟେବଲଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଏପର କି ଡିଏସ୍ପି ଶ୍ରୀ ନାୟକ ତାଙ୍କୁ ମନ୍ଦିରରେ ଦ୍ୱିତୀୟ ବିବାହ କରିଥିବା ନେଇ ମଧ୍ୟ ମହିଳା କନଷ୍ଟେବଳ ଜଣକ ଦାବି କରିଛନ୍ତି । ବିବାହ ପରେ ଦୁହିଁଙ୍କ ମଧ୍ୟରେ ଯେଭଳି ସଂପର୍କ ରହିବା କଥା ତାହା ନକରି ଡିଏସ୍ପି ଶ୍ରୀ ନାୟକ ଓଲଟା ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ । ତାଙ୍କୁ ବ୍ଲାକ୍ମେଲିଂ ମଧ୍ୟ କରୁଥିଲେ ବୋଲି ମହିଳା ଜଣକ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ । ମହିଳା କନଷ୍ଟେବଲଙ୍କ ଅଭିଯୋଗକୁ ଭିତ୍ତିକରି କେସିଙ୍ଗା ଥାନାରେ ଗତ ୨୧/୮/୨୦୨୦ ରିଖରେ ଡିଏସ୍ପି ଶ୍ରୀ ନାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ଓ ଧାରା ୪୯୮ (ଏ),୩୫୪ (ଡି),୨୯୪,୫୦୪ ସିସି.ଏ ଆଇଟି ଆକ୍ଟ ବଳରେ କେସିଙ୍ଗା ଥାନା ପୁଲିସ ପକ୍ଷରୁ ଆଡିସନାଲ ଆଇଆଇସି ଦୀପାଞ୍ଜଳି ପଧାନ ତଦନ୍ତ ଜାରି ରଖିଥିଲେ । ତେବେ କଳାହାଣ୍ଡି ଏସ୍ପି ବାତୁଲା ଗଙ୍ଗାଧର ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିଲେ । ଏହାପରେ ତାଙ୍କ ନିଦେ୍ର୍ଧଶକ୍ରମେ କଳାହାଣ୍ଡି ପୁଲିସର ଏକ ୪ ଜଣିଆ ଟିମ୍ ମାଲକାନଗିରିକୁ ଯାଇ ଗୁରୁବାର ଡିଏସ୍ପି ଅକ୍ଷୟ ନାୟକଙ୍କୁ ଉଠାଇ ଆଣିଥିଲା । ରାତି ପ୍ରାୟ ୧୧ଟା ବେଳକୁ କେସିଙ୍ଗା ଆଦର୍ଶ ଥାନାକୁ ଆଣି ସେଠାରେ ଜେରା କରାଯାଇଥିଲା । ହେଲେ ଗିରଫ କରାଯିବା ପୂର୍ବରୁ ସେ ହାଇକୋର୍ଟରୁ ଆଗୁଆ ଜାମିନ ପାଇ ଖଲାସ ହୋଇ ଯାଇଥିଲେ । ହେଲେ ମାମଲାରେ ମହିଳା କନଷ୍ଟେବଲଙ୍କ ଭାଇଙ୍କୁ ପୁଲିସ ଗତକାଲି ଗିରଫ କରି କୋର୍ଟଚାଲାଣ କରିଛି । କାରଣ ତାଙ୍କ ଭାଇ ହିଁ ଡିଏସ୍ପିଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା । ପ୍ରମାଣ ପାଇବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଅନ୍ୟପକ୍ଷେ ସବୁ ଅଭିଯୋଗକୁ ଡିଏସ୍ପି ଶ୍ରୀ ନାୟକ ଖଣ୍ଡନ କରିବା ସହ ଏସବୁ ଭିତ୍ତିହୀନ ବୋଲି କହିଛନ୍ତି । ବ୍ଲାକ୍ମେଲିଂ ଏବଂ ଦ୍ୱିତୀୟ ବିବାହ କଥାକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି ।


Comments are closed, but trackbacks and pingbacks are open.