ମାଲବାହୀ ଟ୍ରେନ ଧକ୍କାରେ ସ୍କର୍ପିଓ ଚୁରମାର୍

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): କେକେ ରେଳପଥର ମାନବାର ଷ୍ଟେନ ନିକଟରେ ମାଲବାହୀ ଟ୍ରେନ ଧକ୍କାରେ ଚୁରମାର ହୋଇଛି ଏକ ସ୍କର୍ପିଓ ଗାଡ଼ି । ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ସେ ହେଉଛନ୍ତି ନବରଙ୍ଗପୁରର ସେକ୍ ଜହୁର (୩୨) । ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଆର୍ପିଏଫ ଆଇଆଇସି ଅପରେଶ ବେହେରା ଏହି ସୂଚନା ଦେଇଛନ୍ତି ।
ଶ୍ରୀ ବେହରା କହିଛନ୍ତି, ଗାଡ଼ି ଚାଳକ ନିଜ ସାଙ୍ଗକୁ କୋରାପୁଟରେ ଛାଡ଼ି ସୋମବାର ରାତି ପ୍ରାୟ ୧୧ଟା ବେଳେ ନବରଙ୍ଗପୁର ଫେରୁଥିଲେ । ବୋରିଗୁମ୍ମା ଅଭିମୁଖେ ରାଣୀଗଡ଼ ରାସ୍ତାରେ ଫେରୁଥିଲେ । ବାଟବଣା ହୋଇ ମାନବାର ଷ୍ଟେସନରୁ ୧ କିମି ଦୂର ଗିଞ୍ଜିରିଗୁଡ଼ା ମାଟି ରାସ୍ତାରେ ରେଳପଥ ପାରି ହେଉଥିଲେ । ଗିଞ୍ଜିରିଗୁଡ଼ା ନିକଟରେ ପୁସିଂ ବ୍ରିଜ ନଥିବାରୁ ଲୋକମାନେ ବେଆଇନ ଭାବେ ରେଳପଥ ଉପରେ ଯିବାଆସିବା କରି ଆସୁଛନ୍ତି । ଏହି ଜଗୁଆଳିବିହୀନ ଫାଟକ ଦେଇ ସ୍କର୍ପିଓ ଅତିକ୍ରମ କରୁଥିବା ବେଳେ କିରଣ୍ଡୋଲରୁ କୋରାପୁଟ ଅଭିମୁଖେ ଆସୁଥିବା ମାଲବାହୀ ଟ୍ରେନ ଧକ୍କା ଦେଇଥିଲା । ଟ୍ରେନ୍ର ଡ୍ରାଇଭର କୋରାପୁଟ ଷ୍ଟେସନ ମାଷ୍ଟରଙ୍କୁ ରାତିରେ ଏ ସଂପର୍କରେ ସୂଚନା ଦେଇଥିଲେ । ଷ୍ଟେସନ ମାଷ୍ଟରଙ୍କଠାରୁ ଖବର ପାଇ ଆରପିଏଫ ଆଇଆଇସି ଶ୍ରୀ େବେହରାଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା । ଗାଡ଼ି ଚାଳକଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା । ଏବେ ଗାଡ଼ି ଡ୍ରାଇଭର ବିପଦମୁକ୍ତ ଥିବା ଶ୍ରୀ ବେହେରା କହିଛନ୍ତି ।
ଦୁର୍ଘଟଣାକୁ ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ ସ୍କର୍ପିଓ ଗାଡ଼ିକୁ ଜବତ କରାଯାଇଛି । ତଦନ୍ତ ବେଳେ ଆହତ ଗାଡ଼ି ଚାଳକ ମନଗଢ଼ା କଥା କହି ପୁଲିସକୁ ଭୂଆଁ ବୁଲାଇଥିଲେ । କହିଥିଲେ, ବାଟରେ ଜଣେ ଅପରିଚିତ ବ୍ୟକ୍ତି ଗାଡ଼ି ଅଟକାଇ ଲିଫ୍ଟ ମାଗିଥିଲେ । ସେ ତାଙ୍କୁ ଗାଡ଼ିରେ ବସାଇଥିଲେ । ଅଜଣା ବ୍ୟକ୍ତି ଜଣଙ୍କ ଗାଡ଼ି ଚଳାଉଥିବା ବେଳେ ସେ ଗାଡ଼ିରେ ଶୋଇ ପଡ଼ିଥିଲେ । ମଦ୍ୟପାନ କରିଥିବା ଯୋଗୁ ତାଙ୍କୁ ନିଦ ହୋଇଯାଇଥିଲା । ଅଚିହ୍ନା ବ୍ୟକ୍ତି ଜଣଙ୍କ ଗାଡ଼ି ନେଇ ରେଳପଥ ପାରି ହେବା ବେଳେ ଏହି ଅଘଟଣା ଘଟିଛି । ଦୁର୍ଘଟଣା ପରେ ଅପରିଚିତ ବ୍ୟକ୍ତି ଜଣଙ୍କ ତାଙ୍କୁ ଛାଡ଼ି ଫେରାର୍ ହୋଇଯାଇଥିଲା । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଶ୍ରୀ ବେହେରା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons