ନୂଆଦିଲ୍ଲୀ: ଜାତିସଂଘରେ ସୋମବାର ଭାରତକୁ ଏକ ବଡ଼ ସଫଳତା ମିଳିଛି । ଭାରତର ମିତ୍ର ରାଷ୍ଟ୍ର ଭାବେ ବିବେଚିତ ମାଳଦ୍ୱୀପର ବିଦେଶ ମନ୍ତ୍ରୀ ଅବଦୁଲ୍ଲା ସାହିଦ ଜାତିସଂଘ ମହାସଭା (ୟୁଏନଜିଏ)ର ନୂଆ ଅ୍ମକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସୋମବାର ଏଥିପାଇଁ ସିକ୍ରେଟ ବ୍ୟାଲଟ ଜରିଆରେ ମତଦାନ କରାଯାଇଥିଲା । ଜାତିସଂଘରେ ସଦସ୍ୟ ଥିବା ୧୯୩ଟି ଦେଶରୁ ୧୯୧ଟି ଦେଶ ଏହି ଭୋଟରେ ଭାଗ ନେଇଥିଲେ । ସେମାନଙ୍କ ଭିତରୁ ୧୪୩ ଜଣ ସାହିଦଙ୍କ ସପକ୍ଷରେ ମତଦାନ କରିଥିଲାବେଳେ ବାକି ୪୮ଜଣ ଆଫଗାନିସ୍ତାନର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇଥିଲେ । ସାହିଦଙ୍କ ବିଜୟ ପଛରେ ଭାରତର ପ୍ରଚ୍ଛନ୍ନ ହାତ ରହିଛି ।
ଗତ ବର୍ଷ ମାଳଦ୍ୱୀପ ତରଫରୁ ଏହି ପଦ ପାଇଁ ସାହିଦ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରାଯାଇଥିଲା । ଭାରତ ସେବେଠାରୁ ତାଙ୍କୁ ନିଜେ ସମର୍ଥନ କରିବା ସହିତ ପରଦା ଆଢୁଆଳରେ ତାଙ୍କ ପାଇଁ ସମର୍ଥନ ଯୋଗାଡ କରିବାକୁ ଉଦ୍ୟମ କରିଆସୁଥିଲା । ସାହିଦ ଆସନ୍ତା ସେପ୍ଟେମ୍ବରରେ ବିଧିବଦ୍ଧ ଭାବେ ଏହି ଦାୟିତ୍ୱ ଗ୍ରହଣ କରିବେ ଏବଂ ଆସନ୍ତା ବର୍ଷ ସେପ୍ଟେମ୍ବର ଯାଏଁ ଏହି ପଦବିରେ କାର୍ଯ୍ୟ କରିବେ । ଭାରତ ମ୍ମ ୨୦୨୨ ଯାଏଁ ସୁରକ୍ଷା ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରିବ । ତେଣୁ ଆସନ୍ତା ବର୍ଷକ ଭିତରେ ଅନେକ ଆନ୍ତର୍ଜାତିକ ପ୍ରସଙ୍ଗରେ ଦୁଇ ଦେଶ ପରସ୍ପର ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ବୋଲି ଅନୁମାନ କରାଯାଉଛି ।
ଏବେ ତୁର୍କୀର ପୂର୍ବତନ ବିଦେଶ ମନ୍ତ୍ରୀ ବୋଲକେନ ବୋଜିକର ଜାତିସଂଘ ମହାସଭାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ସେ କିଛି ସପ୍ତାହ ତଳେ ପାକିସ୍ତାନ ଦ୍ୱାରା ପ୍ରଭାବିତ ହୋଇ ଭାରତ ବିରୋଧରେ ବୟାନ ଦେଇଥିଲେ । ସେ କହିଥିଲେ ଯେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘରେ ଉତ୍ଥାପନ କରିବା ଆବଶ୍ୟକ । ଭାରତ ତରଫରୁ ତାଙ୍କର ଏପରି ବୟାନକୁ କଡା ନିନ୍ଦା କରାଯାଇଥିଲା । ଏବେ ସେ ଏହି ପଦରୁ ବିଦା ହେବାକୁ ଯାଉଥିବାରୁ ତାହା ଭାରତ ପାଇଁ ନିଶ୍ଚିତ ଭାବେ ଆଶ୍ୱସ୍ତିର ବିଷୟ । କିନ୍ତୁ ପାକିସ୍ତାନ ଏହାଯୋଗୁ ନିରାଶ ହେବ ।


Comments are closed, but trackbacks and pingbacks are open.