ବରଗଡ଼, (ବି.ବି.ନ୍ୟୁଜ୍): ସୋସିଆଲ ମିଡ଼ିଆ ଯେ ଖାଲି ମନୋରଞ୍ଜକ ନୁହେଁ, ପୁଣି ଥରେ ପ୍ରମାଣିତ ହୋଇଛି । ସୋସିଆଲ ମିଡ଼ିଆର ପୋଷ୍ଟିଂରୁ ସୂଚନା ପାଇ ଜଣେ ମା’ ନିଜ ପୁଅକୁ ଫେରି ପାଇଛି । ଆଉ କଥା କହି ପାରୁ ନଥିବା ବାଳକଟି ମା’ କୋଳକୁ ଫେରିବାରେ ସକ୍ଷମ ହୋଇଛି । ଦୀର୍ଘଦିନର ବିଚ୍ଛେଦ ପରେ ଭେଟ ପଡ଼ିଥିବା ମା’-ପୁଅଙ୍କ ମିଳନ ପରିବେଶକୁ ଭାବପୂର୍ଣ୍ଣ କରିଦେଇଥିଲା । ମା’-ପୁଅଙ୍କୁ ମିଳାଇବାରେ ସକ୍ଷମ ହୋଇଥିବା ବରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଓ ଡିସିପିଓ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସଜଳ ଚକ୍ଷୁ ମାନବିକତାର ନିଦର୍ଶନ ସୃଷ୍ଟିକରିଛି । କୌଣସି କାରଣରୁ ଘରୁ ବାହାରି ନିଖୋଜ ହୋଇ ସୋସିଆଲ ମିଡ଼ିଆ ମାଧ୍ୟମରେ ମା’ ଓ ଘର ପରିବାର ନିକଟକୁ ଫେରିଥିବା ବାଳକର ପରିଚୟ ମିଳିଥିବା ବେଳେ ସେ କନ୍ଧମାଳ ଜିଲ୍ଲା କୋଟଗଡ଼ ଅଞ୍ଚଳର ଝରିଆପଦା ଗାଁର ସ୍ୱର୍ଗତ ପରୀକ୍ଷିତ ସାହାଣୀଙ୍କ ପୁଅ ପୃଥ୍ୱୀରାଜ ବୋଲି ଜଣାପଡ଼ିଛି । କଥା କହିପାରୁନଥିବା ଉକ୍ତ ନାବାଳକ ଜଣକ ସୁଦୂର କନ୍ଧମାଳ ଜିଲ୍ଲା କୋଟଗଡ଼ରୁ ନିଖୋଜ ଥିବା ବେଳେ ବରଗଡ଼ରେ ଆସି ପହଞ୍ଚି ଯାଇଥିଲେ । ରେଳ ଷ୍ଟେସନରେ ବୁଲୁଥିବା ବେଳେ ଆର୍ପିଏଫ୍ରୁ ବରଗଡ଼ ସିଡବ୍ଲୁସି ହାତକୁ ଆସିଥିଲେ । ଯାହାକୁ ଗଣମାଧ୍ୟମ ପ୍ରତିନିଧି ତାଙ୍କ ଖବର କାଗଜରେ ସ୍ଥାନ ଦେଇଥିବା ବେଳେ କିଛି ଶୁଭେଚ୍ଛୁ ଫେସବୁକରେ ଅପ୍ଲୋଡ଼ କରିଥିଲେ । ଯାହା ଏ ହାତରୁ ସେ ହାତ ହୋଇ ଝରିଆପଦାର ନିଖୋଜ ପୃଥ୍ୱୀରାଜଙ୍କ ମା’ ପ୍ରଭାସିନୀଙ୍କ ନିକଟରେ ପହଞ୍ଚିଥିଲା ଏବଂ ସେଠିକାର ସିଡବ୍ଲୁସି ଓ ପୁଲିସ୍ଙ୍କ ସହଯୋଗରୁ ଆଜି ଅପରାହ୍ନରେ ବରଗଡ଼ ପହଞ୍ଚି ପୁଅକୁ ମୁକୁଳାଇଥିଲେ । ଏଥିପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ୍ କର୍ମଚାରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ପ୍ରଭାସିନୀ ସିଡବ୍ଲୁସିକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।
ଘଟଣାରୁ ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା କୋଟଗଡ଼ର ଝରିଆପଦା ଅଞ୍ଚଳରେ ସ୍ୱର୍ଗତ ପରୀକ୍ଷିତ ସାହାଣିଙ୍କ ପରିବାର ବସବାସ କରୁଥିବା ବେଳେ ତାଙ୍କ ବିଧବା ସ୍ତ୍ରୀ ପ୍ରଭାସିନୀ ୧୧ ବର୍ଷର କଥାକହିପାରୁ ନଥିବା ପୁଅ ପୃଥ୍ୱୀରାଜ ଓରଫ୍ ଚିନୁ ଓ ୧୪ ବର୍ଷର ଝିଅ ରିତୁରାଣୀଙ୍କ ଲାଳନ ପାଳନ କରୁଛନ୍ତି । ତାଙ୍କ କୌଣସି ଜମି କିମ୍ବା ଘରଦ୍ୱାର ନଥିବାରୁ ଭଡ଼ାଘରେ ରହି ଅନ୍ୟର ମଜୁରୀ କାମକରି ପ୍ରଭାସିନୀ ପରିବାର ପେଟ ଚଳାନ୍ତି । ତେବେ ଗତ ୨୭ ତାରିଖ ସକାଳେ ପୃଥ୍ୱୀରାଜ ଏକ ବୋଲବମ ପୋଷାକ ପିନ୍ଧି ଘରୁ ବାହାରିଥିଲେ । ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ଆଉ ନଫେରିବାରୁ ପ୍ରଭାସିନୀ କୋଟଗଡ଼ ଥାନାରେ ଅଭିଯୋଗ କରିଥିଲେ । ଅପରପକ୍ଷରେ ୨୭ ତାରିଖ ବିଳମ୍ବିତ ରାତିରେ ବରଗଡ଼ ରେଲୱେ ଷ୍ଟେସନରେ ଏକ ଅପରିଚିତ ନାବାଳକ ବୁଲୁଥିବା ଦେଖି ଆର୍ପିଏଫ୍ ତାକୁ ଉଦ୍ଧାର କରି ବରଗଡ଼ ସିଡବ୍ଲୁସିରେ ଜମା ଦେଇଥିଲେ । ଫେସବୁକରୁ ନାବାଳକର ପରିଚୟ ଜଣାପଡ଼ିବା ପରେ କନ୍ଧମାଳ ଏସ୍ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ସେଠିକାର ଏକ ପୁଲିସ୍ ଟିମ୍ ନାବାଳକଙ୍କ ମା’ଙ୍କ ସହ ଆଜି ବରଗଡ଼ ସିଡବ୍ଲୁସି କାର୍ଯ୍ୟାଳୟରେ ପହଞ୍ଚି ପୃଥ୍ୱୀରାଜକୁ ଉଦ୍ଧାର କରିଥିଲେ । ଜନ୍ମରୁ ମୁକ ଥିବା ପୃଥ୍ୱୀରାଜ ଆଜି ହଠାତ ମା’ଙ୍କୁ ଦେଖିବା ପରେ ଖୁସି ହୋଇଯାଇଥିଲା । ମାନବିକତା ଖୋଜିବାରେ ସକ୍ଷମ ହୋଇଥିବା ସୋସିଆଲ ମିଡିଆର ଏଭଳି ସକାରାତ୍ମକ ଦିଗ ମଣିଷକୁ ଉତ୍ସାହିତ କରିଛି, ଏଥିରେ ସନ୍ଦେହ ନାହିଁ ।
Comments are closed, but trackbacks and pingbacks are open.