ମା’-ପୁଅକୁ ଦଳି ଦେଲା ଦନ୍ତା, ବାପା ଗୁରୁତର

Get real time updates directly on you device, subscribe now.

ଜମନକିରା,(ବି.ବି.ନୁ୍ୟଜ): ହାତୀ-କୁକୁର ହେଲେ ମୁହାଁମୁହିଁ । କୁକୁର ଭୁକିବାରୁ ରାଗିଗଲା ଦନ୍ତା । କୁକୁରକୁ ଧରିନପାରି ଦନ୍ତା ରାଗ ଶୁଝାଇଲା ମଣିଷ ଉପରେ । ଇଟା ଗଢ଼ାଳି ପରିବାରର ମା’ ଓ ପୁଅକୁ ପାଦରେ ଦଳି ମାରିଥିବା ବେଳେ ବାପାକୁ କଚାଡ଼ି ଦେଇଛି । ବାପା ଗୁରୁତର ଆହତ ହୋଇ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ସମ୍ୱଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ରେଙ୍ଗଲୋଇ ପଞ୍ଚାୟତ ଓ ଜମନକିରା ବ୍ଲକ ମହଦା ପଞ୍ଚାୟତ ସୀମାନ୍ତ ଗାଁ ଆଖଡ଼ାଦାଣ୍ଡ ନିକଟରେ । ହାତୀ ଆକ୍ରମଣରେ ମା’ ରୀନା ମୁଣ୍ଡା (୩୫) ଓ ପୁଅ ସାହିଲ (୧୦)ଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ବାପା ପ୍ରଶାନ୍ତ ମୁଣ୍ଡା (୪୫) ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ପଞ୍ଜରା ହାଡ଼ ଭାଙ୍ଗିଯାଇଛି ।
ରେଙ୍ଗଲୋଇ ପଞ୍ଚାୟତ ଗଣ୍ଡାକୁନା ଗାଁର ପ୍ରଶାନ୍ତ ମୁଣ୍ଡା ସପରିବାର ନିକଟ ଜମନକିରା ବ୍ଲକ ମହଦା ପଞ୍ଚାୟତ ଅଖଡ଼ାଦାଣ୍ଡ ଗାଁ ଇଟାଭାଟିକୁ ଇଟା ଗଢ଼ିବାକୁ ଯାଇଥିଲେ । ସେଠାରେ ସେ ତାଙ୍କ ସ୍ତ୍ରୀ ଓ ପୁଅ ସହିତ ଏକ ଅସ୍ଥାୟୀ କୁଡ଼ିଆରେ ଅନ୍ୟ ୩ ଇଟା ଗଢ଼ାଳି ଦଳ ସହ ରହୁଥିଲେ । ମଙ୍ଗଳବାର ବିଳମ୍ୱିତ ରାତିରେ ଏକ ଦନ୍ତା ସେଠାକୁ ଚାଲି ଆସିଥିଲା । ସେହି ସମୟରେ ଏକ ପୋଷା କୁକୁର ଦନ୍ତାକୁ ଦେଖି ଜୋରରେ ଭୁକିଥିଲା । ଏଥିରେ ଦନ୍ତା ରାଗିଯାଇ କୁକୁରକୁ ଆକ୍ରମଣ କରିବା ସମୟରେ ପ୍ରଶାନ୍ତ ରହୁଥିବା କୁଡ଼ିଆକୁ ଭାଙ୍ଗି ଦେଇଥିଲା । ଆଉ ଶୋଇଥିବା ମା’ ଓ ପୁଅକୁ ପାଦରେ ଦଳି ମାରିବା ସହ ପ୍ରଶାନ୍ତଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଏହି ସମୟରେ ଅନ୍ୟ ଅସ୍ଥାୟୀ କୁଡ଼ିଆରେ ଥିବା ୩ ପରିବାର ସଦସ୍ୟ ହାତୀ ଆସିଥିବା ଜାଣି ବାହାରକୁ ବାହାରି ଦୌଡ଼ି ପଳାଇବାରୁ ରକ୍ଷା ପାଇଥିଲେ ।
ଖବରପାଇ ଘଟଣାସ୍ଥଳକୁ ରେଙ୍ଗାଲି, ଜମନକିରା ବନ ବିଭାଗ ସହ କତରବଗା ଓ କୁଚିଣ୍ଡା ପୁଲିସ୍ ଆସି ତଦନ୍ତ କରିଥିଲେ । କୁଚିଣ୍ଡା ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ପଠାଇଛି । ଜମନକିରା ରେଞ୍ଜ ପକ୍ଷରୁ ମୃତକଙ୍କ ପରିବାରକୁ ୬୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons