ମା’- ପୁଅ ମୃତ, ୨ ଗୁରୁତର

Get real time updates directly on you device, subscribe now.

ଯାଜପୁର,(ବି.ବି.ନୁ୍ୟଜ୍): ୧୬ ନଂ ଜାତୀୟ ରାଜପଥର ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ସଠିପୁର ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରୋଗୀ ନେଇ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ (ଓଡି୦୨ଏଫ୍୮୪୪୭) ଓ ଏକ ଦଶଚକିଆ ଟ୍ରକ(ଟିଏନ୍୨୮ପି୧୪୯୧) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଆମ୍ବୁଲାନ୍ସରେ ଯାଉଥିବା ମା’ ଓ ପୁଅଙ୍କର ମୃତୁ୍ୟ ହୋଇଥିବାବେଳେ ଚାଳକ ଓ ଫାର୍ମାସିଷ୍ଟ ଗୁରୁତର ଆହତ ହୋଇଛନ୍ତି । ହେଲପର ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଆହତ ହେଲପର ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ମୃତକ ଭଦ୍ରକ ଜିଲ୍ଲା ଜାନୁଗଞ୍ଜ(କେଶବନଗର) ଗ୍ରାମର ପଞ୍ଚାନନ ମହାପାତ୍ରଙ୍କ ପତ୍ନୀ ସୁଶୀଳାବାଳା ମହାପାତ୍ର(୮୨) ଓ ପୁଅ ପ୍ରକାଶ ଚନ୍ଦ୍ର ମହାପାତ୍ର(୪୫) । ଗୁରୁତର ଆମ୍ବୁଲାନ୍ସ ଚାଳକ ଆଗରପଡ଼ା ଅଞ୍ଚଳର କାର୍ତ୍ତିକ ପେଢ଼ୀଙ୍କ ପୁଅ ସଂଜୟ କୁମାର ପେଢ଼ୀ ଓ ଫାର୍ମାସିଷ୍ଟ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କୁଆନ୍ଦା ଗ୍ରାମର ଜଗନ୍ନାଥ ନାୟକଙ୍କ ପୁଅ ରାଜା ନାୟକ ।
ସୂଚନା ମୁତାବକ,ସୁଶୀଳାଙ୍କ ଦେହ ଅସୁସ୍ଥ ଥିବାରୁ ପୁଅ ପ୍ରକାଶ ରବିବାର ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ନେଉଥିଲେ । ସଠିପୁର ନିକଟରେ ଆମ୍ବୁଲାନ୍ସଟି ଏକ ଟ୍ରକକୁ ଓଭରଟେକ୍ କରୁଥିବା ସମୟରେ ସାମ୍ନା ପଟୁ ଆସୁଥିବା ଅନ୍ୟ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ସୁଶୀଳା ଓ ପ୍ରକାଶଙ୍କର ମୃତୁ୍ୟ ଘଟିଥିବା ବେଳେ ଡ୍ରାଇଭର ସଂଜୟ ଓ ଫାର୍ମାସିଷ୍ଟ ରାଜା ଗୁରୁତର ଆହତ ହୋଇଥିଲେ । ଆମ୍ବୁଲାନ୍ସରେ ଥିବା ହେଲପର ସାମାନ୍ୟ ଆହତ ହୋଇଥିଲେ ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚôଥିଲା । ସ୍ଥାନୀୟ ଲୋକେ ଓ ପୁଲିସ ଗୁରୁତରମାନଙ୍କୁ ସଙ୍ଗେସଙ୍ଗେ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେହିପରି ସୁଶୀଳା ଓ ପ୍ରକାଶଙ୍କ ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ସଂଜୟ ଓ ରାଜାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons