ମୋହନା, (ବି.ବି.ନୁ୍ୟଜ୍): ଅଡ଼ବା ଥାନା ପୁଲିସ ସ୍ଥାନୀୟ ଦମାଦୁଆ ଜିରୋ କ୍ୟାମ୍ପ୍ ନିକଟରୁ ଏକ୍ ମିନିଟ୍ରକ୍ ଓ ସେଥିରୁ ୧୩ଟି ଶାଳଗଣ୍ଡି ଜବତ କରିଛି । ଏହି ଘଟଣାରେ ୮ ଜଣ କାଠ ମାଫିଆଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ସେମାନେ ହେଲେ, ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ଧୋବା ନାୟକ(୩୨), ସନ୍ୟାସୀ ସ୍ୱାଇଁ(୨୨), ରବି ଗୌଡ଼(୨୦), ଶଙ୍କର ଗୌଡ଼(୨୭), କବିରାଜ ଗୌଡ଼(୪୮), ଦଣ୍ଡିଆ ସ୍ୱାଇଁ(୩୬), ବାଉନ ସ୍ୱାଇଁ(୩୫), ଇଶ୍ୱର ସ୍ୱାଇଁ(୨୮) ।
ଅଡ଼ବା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକ ରଞ୍ଜନ ଜଗ୍ଦଲାଙ୍କ ସୂଚନା ପ୍ରକାରେ ବୁଧବାର ସକାଳେ ପୁଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ହରଭଙ୍ଗୀ ଡ୍ୟାମ୍ ରାସ୍ତା ପଟୁ ଏକ କାଠ ବୋଝେଇ ମିନିଟ୍ରକ୍ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଯାଉଥିବା ସମୟରେ ଜିରୋ କ୍ୟାମ୍ପ୍ ନିକଟରେ ପୁଲିସ ଗାଡ଼ିଟିକୁ ଅଟକାଇ ତନାଘନା କରିଥିଲା । ଉକ୍ତ ଗାଡ଼ିରୁ ୧୩ଟି ଶାଳଗଣ୍ଡି ଜବତ କରାଯାଇଥିଲା । ଯାହାର ଆନୁମାନିକ ମୁଲ୍ୟ ୮୪ହଜାର ଟଙ୍କା ହେବ ବୋଲି ପୁଲିସ କହିଛି । ଜବତ ଶାଳଗଣ୍ଡି ଏବଂ ଗିରଫ ହୋଇଥିବା ୮ ଅଭିଯୁକ୍ତଙ୍କୁ ପୁଲିସ ମୋହନା ଡିଭିଜନ୍କୁ ହସ୍ତାନ୍ତର କରିଛି । ଏହି ଘଟଣାରେ ବନବିଭାଗ ପକ୍ଷରୁ ୩୯/୧୯ରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ରେଞ୍ଜର ତାରାକାନ୍ତ ଉଦ୍ଗାତା କହିଛନ୍ତି ।


Comments are closed, but trackbacks and pingbacks are open.