ବସ୍ତା,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପରିସରରେ ଶୁକ୍ରବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ବସ୍ତା ମହିଳା ଓ ଶିଶୁ ସମନ୍ୱିତ ଯୋଜନା କାର୍ଯ୍ୟାଳୟର ମିଶନ ଶକ୍ତି ସଂଯୋଜକଙ୍କୁ ଉତ୍ତ୍ୟକ୍ତ ମହିଳା ନିସ୍ତୁକ ମାଡ଼ ମାରିଥିଲେ । ଏହାକୁ ନେଇ ବ୍ଲକ୍ ପରିସର ରଣକ୍ଷେତ୍ର ପାଲଟିଥିଲା । ଏନେଇ ମହିଳାମାନେ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ସଂପୃକ୍ତ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅଭିଯୋଗ ଅନୁସାରେ, କୁଡ଼ିଆ ପଞ୍ଚାୟତର ଏକ ଏସ୍ଏଚ୍ଜିର ସଭ୍ୟାମାନେ ବସ୍ତା ବିଡିଓ କୁକୁମୀନା ଦାସଙ୍କୁ ସାକ୍ଷାତ କରିବାକୁ ଆସିଥିଲେ । ବିଡିଓଙ୍କ ସହିତ କଥାବାର୍ତ୍ତା କରି ସେମାନେ ବାହାରକୁ ଆସିଥିଲେ । ଏତିକିବେଳେ ମିଶନ ଶକ୍ତି ସଂଯୋଜକ ଗଜେନ୍ଦ୍ର ମଲ୍ଲିକ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଆଙ୍ଗୁଳି ଦେଖାଇ ଆକ୍ଷେପ କରିଥିଲେ । ଏହାକୁ ନେଇ ଗ୍ରୁପର ସଦସ୍ୟା ସସ୍ମିତା ବିଶ୍ୱାଳ ପ୍ରତିବାଦ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଗଜେନ୍ଦ୍ର ଦୌଡି ଆସି ତାଙ୍କ ହାତକୁ ମୋଡି ଦେଇଥିଲେ । ଏହାପରେ ମହିଳାମାନେ ଉତ୍ତ୍ୟକ୍ତ ହୋଇଥିଲେ । ସମସ୍ତେ ଏକଜୁଟ୍ ହୋଇ ଗଜେନ୍ଦ୍ରଙ୍କୁ ନିସ୍ତୁକ ମାଡ ମାରିଥିଲେ । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ବିଡିଓ ଶ୍ରୀମତୀ ଦାସ ଥାନାକୁ ଖବର ଦେଇଥିଲେ । ବସ୍ତା ଥାନା ପୁଲିସ ବ୍ଲକରେ ପହଞ୍ଚିବା ବେଳକୁ ପରିସ୍ଥିତି ଶାନ୍ତ ପଡିଯାଇଥିଲା । ଏନେଇ ସସ୍ମିତା ବସ୍ତା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ବିଡିଓ ଶ୍ରୀମତୀ ଦାସଙ୍କୁ ପଚାରିବାରୁ ଏଭଳି ଘଟଣା ନିନ୍ଦନୀୟ । ସରକାରୀ କାର୍ଯ୍ୟାଳୟରେ ଆଇନ ହାତକୁ ନେବା ଅପରାଧ । ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯିବ ବୋଲି ସେ କହିଥିଲେ । ତେବେ ବ୍ଲକ ପକ୍ଷରୁ କୌଣସି ଅଭିଯୋଗ ହୋଇନି । ମହିଳାଙ୍କ ଅଭିଯୋଗମୂଳେ ପୁଲିସ ତଦନ୍ତ ଜାରି ରହିଥିବା ଆଇଆଇସି ଅଶୋକ କୁମାର ନାୟକ କହିଛନ୍ତି ।
ଆଇସିଡିଏସ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଏକ ନିଯୁକ୍ତିଭିତ୍ତିକ ସମସ୍ୟାକୁ ନେଇ ଏହିଭଳି ଘଟଣା ଘଟିଥିବା ଆଲୋଚନା ହେଉଛି । ଏହି ପଦବୀ ପାଇଁ ଯୋଗ୍ୟ ଆବେଦନକାରୀକୁ ତଞ୍ଚକତା ପୂର୍ବକ ବାଦ୍ ଦେଇ ଭିତିରି ମସୁଧାରେ ଅନ୍ୟ ଜଣକୁ ନିଯୁକ୍ତି ଦେବାକୁ ନେଇ ଏସଏଚଜିର ମହିଳାମାନେ ଜିଲ୍ଲାପାଳ, ଡିଏସଡବ୍ଲୁ, ବିଡିଓଙ୍କୁ ପୂର୍ବରୁ ଜଣାଇଥିଲେ । ମାତ୍ର ଏହାର ସମାଧାନ ନ ହେବାରୁ ସଦସ୍ୟାମାନେ ଶୁକ୍ରବାର ବିଡିଓଙ୍କୁ ଭେଟିବାକୁ ଆସିଥିଲେ । ସେଠାରେ ଗଜେନ୍ଦ୍ର ମହିଳାମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହାପରେ ଲଙ୍କାକାଣ୍ଡ ଘଟିଥିଲା ।
Comments are closed, but trackbacks and pingbacks are open.