ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଶପଥ ନେବା ଦିନ ହିଁ ନିଜ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଦାୟିତ୍ୱବୋଧତାର ମନ୍ତ୍ର ପଢ଼ାଇଥିଲେ ନବୀନ । କହିଥିଲେ, ନିର୍ବାଚନୀ ଇସ୍ତାହାରରେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ବିଜେଡି ଦେଇଛି, ଅକ୍ଷରେ ଅକ୍ଷରେ ପୂରଣ ହେବ । ପ୍ରତି ମାସରେ ହିଁ ନିଜେ ବିଭାଗୱାରୀ ସମୀକ୍ଷା କରିବେ ବୋଲି କହିଥିଲେ । ନିର୍ଦ୍ଦେଶ ଦେଇଥିଲେ, ସବୁ ମନ୍ତ୍ରୀ ମାସର ୭ ତାରିଖ ପୂର୍ବରୁ ତାଙ୍କ ବିଭାଗର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାଖଲ କରିବେ । ତାହା ହିଁ ହେବ, ମନ୍ତ୍ରୀମାନଙ୍କର ଦକ୍ଷତାର ମାପକାଠି ।
ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ ମନ୍ତ୍ରୀମାନେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି । ୭ ତାରିଖ ପୂରଣ ହେବାର ଦିନକ ପୂର୍ବରୁ ସବୁ ମନ୍ତ୍ରୀ ନିଜର ବିଭାଗର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି ।
ଚଳିତ ମାସ ୭ ତାରିଖ ରବିବାର ପଡ଼ୁଛି । ଏହା ସରକାରୀ ଛୁଟି । ଏଣୁ ସବୁ ମନ୍ତ୍ରୀ ଶନିବାର ଅପରାହ୍ଣ ୫ଟା ପୂର୍ବରୁ ନିଜ ବିଭାଗର ପ୍ରଦର୍ଶନ ରିପୋର୍ଟ କାର୍ଡକୁ ଦାଖଲ କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।
ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ମୁକୁଟ ପିନ୍ଧାଇଲା ଦିନ ହିଁ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ସମସ୍ତ ମୁଣ୍ଡ ଉପରେ ଡେମୋକ୍ଲିସ୍ ଖଣ୍ଡା ଝୁଲାଇଥିଲେ । ବାର୍ତ୍ତା ଦେଇଥିଲେ, ଠିକଣା କାମ ନ କଲେ, ମୁଣ୍ଡ ଉପରେ ଖଣ୍ଡା ଛିଡ଼ିବ । ମନ୍ତ୍ରୀ ଚୌକି କେତେବେଳେ ଖସିଯିବ, ଜଣାପଡ଼ିବନି । ପ୍ରତ୍ୟେକ ବିଭାଗର ମନ୍ତ୍ରୀଙ୍କୁ ତାଙ୍କ ବିଭାଗ ଉପରେ ନ୍ୟସ୍ତ ଥିବା ଦାୟିତ୍ୱଗୁଡ଼ିକୁ ବୁଝାଇ ଦେଇଥିଲେ । ବିଶେଷ କରି ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା କାଳିଆ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନ୍ସନ୍, ଜନନୀ, ମମତା, ଅନ୍ଧତ୍ୱ ଦୂରୀକରଣ ଯୋଜନା, କୃଷି ଓ କୃଷକଙ୍କ ପାଇଁ ସରକାର କାର୍ଯ୍ୟକାରୀ କରିଥିବା ନିଜସ୍ୱ ଯୋଜନା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ନବୀନ ମନ୍ତ୍ରୀମାନଙ୍କୁ କହିଥିଲେ । ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଟି ପ୍ରତିଶ୍ରୁତି ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ସମ୍ପୃକ୍ତ ମନ୍ତ୍ରୀଙ୍କୁ କହିଥିଲେ । କେବଳ ଅଫିସରେ ବସି ନୁହେଁ, କ୍ଷେତ୍ର ପରିଦର୍ଶନ କରି ବାସ୍ତବ ସ୍ଥିତି ପରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କେଉଁ କାର୍ଯ୍ୟ କେତେ ଦିନ ମଧ୍ୟରେ ହେବ, ତାହାର ଏକ ବାର୍ଷିକ ଖସଡ଼ା ପ୍ରସ୍ତୁତ କରି ପ୍ରତି ମାସରେ ଜିଲ୍ଲାୱାରୀ ସମୀକ୍ଷା କରିବାକୁ କହିଥିଲେ । ଏ ସବୁ କାର୍ଯ୍ୟର ମାସକ ଭିତରେ କି ପ୍ରଗତି, ଅଗ୍ରଗତି ହୋଇଛି, ତା’ର ଏକ ସବିଶେଷ ବିବରଣୀ ପ୍ରତି ମାସର ୭ ତାରିଖ ଭିତରେ ଦାଖଲ କରିବାକୁ କହିଥିଲେ, ଯାହାକୁ ସବୁ ମନ୍ତ୍ରୀ ଅକ୍ଷରେ ଅକ୍ଷରେ ପାଳନ କରି ଦାଖଲ କରିଛନ୍ତି ।
Comments are closed, but trackbacks and pingbacks are open.