
ଭୁବନେଶ୍ୱର,(ବି.ବି.ବ୍ୟୁରୋ): ସେପ୍ଟେମ୍ବର ସୁଦ୍ଧା ହରିଦାସପୁରରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ରେଳ ଯୋଗାଯୋଗ କାମ ସାର । ବୁଧବାର ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ହରିଦାସପୁର ପାରାଦୀପ ରେଳଲାଇନ ନିର୍ମାଣର ଅଗ୍ରଗତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ବୁଧବାର ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ହରିଦାସପୁର-ପାରାଦୀପ ରେଳଲାଇନ ନିର୍ମାଣର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପରେ ମୋଟ ୪୭ କିଲୋମିଟର ରେଳଲାଇନ ଆସୁଛି । ପ୍ରକଳ୍ପର ନିର୍ମାଣ ଅଗ୍ରଗତିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ରେଳଲାଇନର ସମସ୍ତ ସ୍ଥାନରେ ନିରବଚ୍ଛିନ୍ନ କାମ ଜାରି ରଖିବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡ଼ା ବିଦ୍ୟୁତ ସବ୍ଷ୍ଟେସନ କାମ ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ ଶକ୍ତି ବିଭାଗ ଏବଂ ଓପିଟିସିଏଲକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ରେଳଲାଇନ ସମ୍ପୂର୍ଣ୍ଣ ହେବାର ପ୍ରଥମ ଦିନରୁ ହିଁ ଇଲେକ୍ଟ୍ରି ଟ୍ରେନ୍ଗୁଡ଼ିକ ଯାତାୟାତ କରିପାରିବ । ରେଳ ଲାଇନ୍ରେ ପାସେଞ୍ଜର ଟ୍ରେନ ଯାତାୟାତ କରିବାକୁ ସମସ୍ତ ଆବଶ୍ୟକ ପ୍ରାଥମିକ କାମ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଏହି କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହି ରେଳଲାଇନ ନିର୍ମାଣ ଦ୍ୱାରା କେନ୍ଦ୍ରାପଡ଼ାକୁ ପ୍ରଥମ ଥର ପାଇଁ ରେଳ ଯୋଗାଯୋଗ ବ୍ୟବସ୍ଥା ଆରମ୍ଭ ହେବ । କେନ୍ଦ୍ରାପଡ଼ାବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମୀକ୍ଷା ବୈଠକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.