ଭୁବନେଶ୍ୱର, (ବି.ବି.ବ୍ୟୁରୋ): ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ଦୂତି ଚାନ୍ଦ । ଏଭଳି ସଫଳତା ପାଇବାରେ ଦୂତି ପ୍ରଥମ ଭାରତୀୟ ମହିଳା । ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଶନିବାର ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ଭେଟି ପଦକ ଦେଖାଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ପଦକ ଦେଖି ବେଶ ଖୁସି ପ୍ରକାଶ କରିଥିଲେ ଏବଂ ଆଗକୁ ଆହୁରି ସଫଳତା ହାସଲ କର ବୋଲି କହି ତାଙ୍କୁ ଆଶୀର୍ବାଦ ଦେଇଥିଲେ ।
ଚଳିତ ବର୍ଷ ଦୂତି ଚାନ୍ଦଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ ହୋଇ ନାହିଁ । ଆମ ରାଜ୍ୟ ସରକାର ବହୁ ବିଳମ୍ବରେ ତାଙ୍କ ନାମ ସୁପାରିସ କରିଥିଲେ । ଯାହା କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଖାରଜ ହୋଇ ଯାଇଛି । ସେମିତି ଭାରତୀୟ ଆଥଲେଟିକ୍ ଆସୋସିଏସନ୍ ଦ୍ୱାରା ଯେଉଁ ତାଲିକା ପ୍ରସ୍ତୁତ କରି ୩ ଜଣଙ୍କ ନାମ ସୁପାରିସ ହୋଇଛି ସେଥିରେ ଦୂତି ବହୁ ପଛରେ ରହିଥିଲେ । ସଂଘ ପକ୍ଷରୁ ୫ ଜଣଙ୍କୁ ବଛା ଯାଇଥିଲା, ଦୂତି ପଞ୍ଚମ ସ୍ଥାନରେ ରହିବାରୁ ତାଙ୍କ ନାମ ସୁପାରିସ ହୋଇନଥିଲା ।
ଦୂତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଅର୍ଜୁନ ପୁରସ୍କାର କଥା କହିଥିଲେ । ଏକ ଜାତୀୟ ଗଣମାଧ୍ୟକୁ ଦୂତି କହିଛନ୍ତି, ମୋ ନାମ ପୁଣି ଥରେ ସୁପାରିସ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି । ମୁଖ୍ୟମନ୍ତ୍ରୀ ମୋତେ କହିଛନ୍ତି ସେ ପୁଣି ଥରେ ମୋ ନାମ ପଠାଇବେ । ତେବେ ଏ ବିଷୟରେ ଚିନ୍ତା ନକରି ଆଗାମୀ ଇଭେଣ୍ଟ ଉପରେ ଧ୍ୟାନ ଦିଅ ବୋଲି ମୋତେ ସେ କହିଛନ୍ତି ।’
ସେ ଆହୁରି ମଧ୍ୟ କହିଛନ୍ତି, ଏ ପର୍ଯ୍ୟନ୍ତ ଅଫିସିଆଲ ଭାବେ ଅର୍ଜୁନ ପୁରସ୍କାର ତାଲିକା ପ୍ରକାଶ ପାଇନି । ମୁଁ ଜାଣିବାକୁ ପାଇଲି ଯେ, ଆମ ରାଜ୍ୟ ସରକାର ମୋ ନାମ ପଠାଇବାରେ ବିଳମ୍ବ କରିଥିଲେ । ନିର୍ବାଚନ ଓ ବାତ୍ୟା ‘ଫୋନି’ ଯୋଗୁ ବିଳମ୍ବ ହୋଇଥାଇ ପାରେ ।’
Comments are closed, but trackbacks and pingbacks are open.