ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): ଛତିଶଗଡ଼ ସୁକମାରେ ଅବସ୍ଥାପିତ ସିଆର୍ପିଏଫ୍ ଯବାନ କମଳାକାନ୍ତ ରୋହିଦାସ ଆତ୍ମହତ୍ୟା କରିଛନ୍ତି । ଗତକାଲି ରାତି ସେ ନିଜ ସର୍ଭିସ୍ ବନ୍ଧୁକରେ ମୁଣ୍ଡରେ ଗୁଳି ଫୁଟାଇ ଦେଇଥିଲେ । ଆଜି ଯବାନଙ୍କ ମର ଶରୀର ବ୍ରଜରାଜନଗରସ୍ଥିତ ଘରକୁ ଅଣାଯାଇଥିଲା । ଶୋକାକୁଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରର ସିଆରପିଏଫ୍ ଯବାନ କମଳାକାନ୍ତ କିଛିମାସ ହେବ ସୁକମାରେ ମାଓ ଦମନ ପାଇଁ ଥିବା ସିଆରପିଏଫ୍ ୨୨୩ ନମ୍ୱର ବାଟାଲିୟନ କ୍ୟାମ୍ପରେ ମୁତୟନ ହୋଇଥିଲେ । ଗତ ରାତି ୧୨ଟାରେ ନିଜର ସାର୍ଭିସ୍ ବନ୍ଧୁକ ଏକେ ୪୭ରେ ଡାହାଣ ପଟ ମୁଣ୍ଡକୁ ନିଜେ ଗୁଳିକରି ଆତ୍ମହତ୍ୟା କରିଥିଲେ । ତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ । ବ୍ୟବଚ୍ଛେଦ ପରେ ତାଙ୍କ ପୈତୃକ ଘର ବ୍ରଜରାଜନଗରକୁ ପଠାଇ ଦେଇଛୁ ବୋଲି ସୁକମା ଏସ୍ପି କେ.ଏଲ୍ ଧ୍ରୁବ କହିଛନ୍ତି । ଏହା ସହିତ ଏହି ମାମଲାର ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି ବୋଲି ଏସ୍ପି ଶ୍ରୀ ଧ୍ରୁବ ପ୍ରକାଶ କରିଛନ୍ତି ।
ଆଜି ଅପରାହ୍ନ ୩ଟାରେ କମଳାକାନ୍ତଙ୍କ ମରଶରୀର ସୁକମାରୁ ବ୍ରଜରାଜନଗର ଅଣାଯାଇଥିଲା । ସମ୍ୱଲପୁରରୁ ସିଆର୍ପିଏଫ୍ ଯବାନ ଆସି ପହଞ୍ଚôଥିଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଇବ୍ଘାଟରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
ପ୍ରକାଶ ଥାଉକି, କମଳାକାନ୍ତଙ୍କ ପରିବାର ବ୍ରଜରାଜନଗର ସାଇମନ୍ଦିର ଅଞ୍ଚଳରେ ରହୁଛନ୍ତି । କିଛି ବର୍ଷ ପୂର୍ବେ ତାଙ୍କ ବାପାଙ୍କ ଦେହାନ୍ତ ହୋଇସାରିଥିବା ବେଳେ ବର୍ତ୍ତମାନ ତାଙ୍କ ମା’ଙ୍କ ସହିତ ଚାରି ଭାଇ ଓ ଦୁଇ ଭଉଣୀ ରହିଛନ୍ତି । କମଳାକାନ୍ତ ଗତ ୨୦୧୭ ମସିହାରେ ସିଆର୍ପିଏଫ୍ରେ ଯୋଗଦେଇ ଝାଡ଼ଖଣ୍ଡରେ ମୁତୟନ ଥିଲେ । କିଛିମାସ ହେବ ସୁକୁମାକୁ ବଦଳି ହୋଇ ଆସିଥିଲେ । କେଉଁ କାରଣରୁ କମଳାକାନ୍ତ ଆତ୍ମହତ୍ୟା କରିଛନ୍ତି ତାହା ପରିବାର ଲୋକେ ମଧ୍ୟ ସଠିକ ଭାବେ କିଛି କହିପାରୁ ନାହାନ୍ତି । ଏହାର ତଦନ୍ତ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି ।


Comments are closed, but trackbacks and pingbacks are open.