ନୂଆଦିଲ୍ଲୀ: ମୋଦି ସରକାରଙ୍କ ୨ୟ ପାଳିର ପ୍ରଥମ ବର୍ଷ ଆଜି ପୂରିଛି । ବର୍ଷକ ଭିତରେ, ଧାରା ୩୭୦ ଉଚ୍ଛେଦ, ତିନି ତଲାକ ଆଇନ୍, ୧୦ ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ, ଅଯୋଧ୍ୟା ରାମମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ ଏବଂ କୋରନା ମୁକାବିଲା ଭଳି ଏକାଧିକ ଚ୍ୟାଲେଞ୍ଜକୁ ସାମନା କରିଥିଲେ ମୋଦି ସରକାର । ସରକାର ତାଙ୍କ ସଫଳତାରେ କେତେ ସନ୍ତୁଷ୍ଟ ? ଆଉ, ମୋଦି ସରକାରଙ୍କ ଏହି ବର୍ଷକର ଶାସନ ସମ୍ପର୍କରେ କଣ କହୁଛନ୍ତି ବିରୋଧୀ, ଆସନ୍ତୁ ଦେଖିବା ।
ପୁରିଲା ୨ୟ ପାଳିର ପ୍ରଥମ ବର୍ଷ । ବହୁ ବିବାଦ ସତ୍ତ୍ବେ ବି ନିଜ ପ୍ରତିଶ୍ରୁତିକୁ ପୂରଣ କରିବାରେ ଆଗେଇଛନ୍ତି ମୋଦି ସରକାର। ୨୦୧୯ ସାଧାରଣ ନିର୍ବାଚନରେ ପୁଣି ଥରେ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରି କ୍ଷମତାକୁ ଫେରିବା ପରେ ମୋଦି ସରକାର ବର୍ଷକ ମଧ୍ୟରେ ଏକାଧିକ ଐତିହାସିକ ପଦକ୍ଷେପ ନେଇଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ, ଧାରା ୩୭୦ ଏବଂ ଧାରା ୩୫ ଉଚ୍ଛେଦ କରି ଜାମ୍ମୁ-କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିଲେ ମୋଦି ସରକାର । ଏହାକୁ ନେଇ କାଶ୍ମୀରରେ ଲାଗି ରହିଥିଲା ଲକ୍ଡାଉନ ଆଉ ତେଣେ ରାମ୍ପୁଡ଼ି କାମୁଡ଼ି ହୋଇଥିଲା ପାକିସ୍ତାନ। ଏହାପରେ, ସନ୍ତ୍ରାସବାଦୀ କାର୍ୟ୍ୟକଳାପକୁ ରୋକିବା ପାଇଁ କେନ୍ଦ୍ର ସରକାର Unlawful Activities (Prevention) Amendment Bill ସଂସଦରେ ପାରିତ କରିଥିଲେ। ବିବାଦୀୟ ତିନି ତଲାକ ବିଲକୁ ଆଇନରେ ରୁପାନ୍ତରିତ କରିବା ବି ଥିଲା ପୂର୍ବ ପ୍ରତିଶ୍ରୁତିକୁ କାର୍ୟ୍ୟକାରୀ କରିବା । ତେବେ ଏହି ବର୍ଷକ ଭିତରେ ସବୁଠାରୁ ବିବାଦୀୟ ଥିଲା ସିଟିଜେନ ଆମେଣ୍ଡମେଣ୍ଟ ଆକ୍ଟ ଏବଂ ଏନଆରସି ଲାଗୁ। ଯାହାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ମଧ୍ୟ ଦେଖିବାକୁ ମିଳିଥିଲା। ଚାରିଆଡୁ ବିରୋଧ ସତ୍ତ୍ବେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଥିଲେ ମୋଦି ଶାହା ଯୋଡ଼ି। ଖାଲି ସେତିକି ନୁହେଁ, ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ ମଧ୍ୟ ଥିଲା ଖୁବ ଚର୍ଚ୍ଚିତ ପଦକ୍ଷେପ ।୨୦୧୯ ନଭେମ୍ବରରେ ବହୁ ଅପେକ୍ଷିତ ଅଯୋଧ୍ୟା ରାମମନ୍ଦିର ବିବାଦର ରାୟ ପ୍ରକାଶ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଭାରତବାସୀଙ୍କୁ ତିନି ଦଶନ୍ଧି ଧରି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣର ପ୍ରତିଶ୍ରୁତି ଦେଇ ଆସୁଥିବା ଭାରତୀୟ ଜନତା ପାର୍ଟି ଏବେ ରାମ ମନ୍ଦିର ନିର୍ମାଣ ଦିଗରେ ଆଗକୁ ବଢ଼ିଛି । ତେବେ, ବର୍ଷକ ମଧ୍ୟରେ ମୋଦୀ ସରକାରଙ୍କ ପାଇଁ ସବୁଧାରୁ ବଡ଼ ଚ୍ୟାଲେଞ୍ଜ ଥିଲା କରୋନାର ମୁକାବିଲା। ୧୩୦ କୋଟି ଜନସଂଖ୍ୟାର ଦେଶରେ ଜନତା କର୍ଫ୍ୟୁ, ଲକଡାଉନ ଭଳି ପଦକ୍ଷେପ ନେବା ଭିତରେ କରୋନା ମୁକାବିଲା ଜାରି ରହିଛି ।
ସେହିପରି କରୋନା ଭାଇରସ ମୋଦି ସରକାର ପାଇଁ ଏକ ବଡ ଚ୍ୟାଲେଞ୍ଜ୍ ଭାବେ ଉଭା ହୋଇଛି । ସରକାର ଏହି ମାହାମାରୀର ମୁକାବିଲା ପାଇଁ ଚାରୋଟି ପର୍ୟ୍ୟାୟରେ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ଭାଇରସ ଏବେ ସୁଦ୍ଧା ୪ ହଜାରରୁ ଅଧିକ ଜୀବନ ନେଇଥିବା ବେଳେ ଦେଢ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ତେବେ ଏହି ଲକଡାଉନ୍ ଓ ଜନତା କର୍ଫ୍ୟୁ ଭଳି ପଦକ୍ଷେପ କରୋନାକୁ ଅନେକ ମାତ୍ରାରେ ନିୟନ୍ତ୍ରଣ କରିଛି । ଏହାକୁ ଦେଶର ଜନତା ମଧ୍ୟ ସମର୍ଥନ କରିଛନ୍ତି ।
ଓଡ଼ିଶାରେ କ୍ଷମତାସୀନ ବିଜୁ ଜନତା ଦଳ ଏବଂ ବିରୋଧୀ କଂଗ୍ରେସ ମୋଦୀ ସରକାରଙ୍କ ୨ୟ ପାଳିର ପ୍ରଥମ ବର୍ଷର ଶାସନରେ ସେଭଳି ପ୍ରଭାବିତ ହୋଇନଥିବା କହିଛନ୍ତି । ଦେଶରେ ବେକାରୀ, ଅସ୍ଥିରତା ଏବଂ ଆର୍ଥିକ ଅବିବୃଦ୍ଧି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । କିନ୍ତୁ ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ, କେନ୍ଦ୍ର ସରକାର ଆତ୍ମପ୍ରଚାର ଏବଂ ଅଯଥା ପ୍ରତିଶ୍ରୁତିରେ ମାତିଛନ୍ତି ବୋଲି ଆକ୍ଷେପ କରିଛନ୍ତି ବିରୋଧୀ । ତେବେ, ଉଭୟ ବିଜେଡ଼ି ଏବଂ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛି ରାଜ୍ୟ ବିଜେପି ।
କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷରେ କେତେ ଭଲ କାମ କରିଛନ୍ତି ତା’ର ପ୍ରତିଫଳନ ଆଗକୁ ଥିବା ପଶ୍ଚିମବଙ୍ଗ ଏବଂ ଅନ୍ୟାନ୍ୟ ରାଜ୍ୟର ବିଭାନସଭା ନିର୍ବାଚନୀ ଫଳାଫଳରୁ ଜଣାପଡ଼ିବ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଉଛି ।
Comments are closed, but trackbacks and pingbacks are open.