ବେଙ୍ଗାଲୁରୁ: ଭାରତର ଚନ୍ଦ୍ର ଅଭିଯାନକୁ ଆଜି ଆଉ ଏକ ସଫଳତା ମିଳିଛି । ଦୀର୍ଘ ୩.୮ଲକ୍ଷ କି.ମି ଦୂର ଏକାଠି ଯାତ୍ରା କରିବା ପରେ ଚନ୍ଦ୍ରଯାନ-୨ ଅର୍ବିଟରରୁ ଆଜି ଲ୍ୟାଣ୍ଡର ‘ବିକ୍ରମ’ ଅଲଗା ହୋଇଛି । ଲ୍ୟାଣ୍ଡର ବିକ୍ରମକୁ ସଫଳତାର ସହ ଅଲଗା କରାଯାଇ ଚନ୍ଦ୍ରର ଏକ ପୃଥକ ତଥା ସର୍କୁଲାର କକ୍ଷପଥରେ ଛଡ଼ାଯାଇଛି । ସେଠାରୁ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁ ଅଭିମୁଖେ ଯାତ୍ରା କରିବ ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ୧ଟା ୧୫ରେ ଅର୍ବିଟରରୁ ଲ୍ୟାଣ୍ଡର ବିକ୍ରମ ସଫଳତାର ସହ ପୃଥକ ହୋଇଥିଲା । ଏହାକୁ ପୃଥକ କକ୍ଷପଥରେ ଅବସ୍ଥାପିତ କରାଯାଇଛି । ବର୍ତ୍ତମାନ ଏହା ଚନ୍ଦ୍ରକୁ ସର୍ବାଧିକ ୧୨୭ ଓ ସର୍ବନିମ୍ନ ୧୧୯ କି.ମି. ଦୂରରେ ପ୍ରଦକ୍ଷିଣ କରୁଛି । ସେଠାରୁ ଏହା ଚନ୍ଦ୍ରର ଦକ୍ଷିଣ ମେରୁ ଅଭିମୁଖେ ଯାତ୍ରା କରିବ । ଚନ୍ଦ୍ରଯାନ-୨ ବର୍ତ୍ତମାନ ସେହି କକ୍ଷରେ ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ରହିବ । ଅର୍ବିଟରରୁ ପୃଥକ ହେବା ପରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଆହୁରି ନିକଟର ହୋଇଛି । ଆସନ୍ତାକାଲି (ମଙ୍ଗଳବାର) ରାତି ୮ଟା ୪୫ରୁ ୯ଟା ୪୫ ମଧ୍ୟରେ ଲ୍ୟାଣ୍ଡର ବିକ୍ରମର କକ୍ଷ ପରିବର୍ତ୍ତନ କରାଯିବ । ଲ୍ୟାଣ୍ଡର ବିକ୍ରମ ଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ ତାହା ଜାଣିବା ଲାଗି ଇସ୍ରୋ ବୈଜ୍ଞାନିକମାନେ କିଛି ପରୀକ୍ଷା କରିବେ । ସେଥିପାଇଁ ଲ୍ୟାଣ୍ଡର ବିକ୍ରମର ଇଞ୍ଜିନକୁ ୩ ସେକେଣ୍ଡ ଲାଗି ଅନ୍ କରିବେ ।
ସେପ୍ଟେମ୍ବର ୪ରେ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ସବୁଠାରୁ ଅଧିକ ନିକଟତର କରାଯିବ । ସେଥିପାଇଁ ଦୁଇଥର ଏହାର କକ୍ଷପଥ ପରିବର୍ତ୍ତନ କରାଯିବ । ଚନ୍ଦ୍ରଠାରୁ ଏହି କକ୍ଷର ଦୂରତା ସର୍ବାଧିକ ୯୭ କି.ମି. ଓ ସର୍ବନିମ୍ନ ୩୫ କି.ମି. ରହିବ । ୩ ଦିନ ଧରି ଲ୍ୟାଣ୍ଡର ବିକ୍ରମ ଏହି କକ୍ଷରେ ଚନ୍ଦ୍ରକୁ ପରିକ୍ରମା କରିବ । ଏହି ସମୟରେ ବୈଜ୍ଞାନିକମାନେ ଲ୍ୟାଣ୍ଡର ବିକ୍ରମ ଓ ତା ଭିତରେ ଥିବା ରୋଭର ପ୍ରଜ୍ଞାନର ଅବସ୍ଥା ଠିକ୍ ଅଛି କି ନାହିଁ ଯାଞ୍ଚ କରିବେ । ଆସନ୍ତା ୭ ତାରିଖ (ଶନିବାର) ରାତି ୧ଟା ୫୫ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବ । ଏହା ପରେ ନିଜ ସହ ନେଇଥିବା ରୋଭର ପ୍ରଜ୍ଞାନକୁ ସେଠାରେ ଛାଡ଼ିବ । ରୋଭର ପ୍ରଜ୍ଞାନ ସେଠାରେ ଚନ୍ଦ୍ରପୃÂର ଫଟୋ ଉଠାଇବା ସହିତ ମାଟି ପରୀକ୍ଷା କରି ଲ୍ୟାଣ୍ଡର ବିକ୍ରମ ସହାୟତାରେ କମାଣ୍ଡ ସେଣ୍ଟରକୁ ତଥ୍ୟ ପଠାଇବ ।
ସୂଚନାଯୋଗ୍ୟ ଯେ ଇସ୍ରୋ ପକ୍ଷରୁ ଗତ ଜୁଲାଇ ୨୨ରେ ଚନ୍ଦ୍ରଯାନ-୨ ମହାକାଶକୁ ପ୍ରେରଣ କରାଯାଇଥିଲା । ଚନ୍ଦ୍ରରେ ଜଳ, ବିକଳ୍ପ ଶକ୍ତି ଉତ୍ସ, ହିଲିୟମ ଓ ମୂଲ୍ୟବାନ ଖଣିଜ ପଦାର୍ଥ ରହିଛି କି ନାହିଁ ତାହା ଜାଣିବା ହେଉଛି ଚନ୍ଦ୍ରୟାନ-୨ ଅଭିଯାନର ପ୍ରମୁଖ ଲକ୍ଷ୍ୟ ।
Comments are closed, but trackbacks and pingbacks are open.