ଗୋଷାଣି, (ବି.ବି.ନୁ୍ୟଜ୍): ରାତିରେ ଶୋଇବାକୁ ଯାଇ ନିଖୋଜ ହୋଇଥିବା ଗୁରାଣ୍ଡି ରେଲି ସାହିର ଏସ୍.କମଳଙ୍କୁ ୪୮ ଘଣ୍ଟା ପରେ ମୁମୂର୍ଷୁ ଅବସ୍ଥାରେ ନିକଟସ୍ଥ ଏକ ଧାନ ଜମିରେ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ କ୍ଷତାକ୍ତ କମଳଙ୍କୁ ଉଦ୍ଧାର କରି ଗୁରାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରହସ୍ୟମୟ ଏହି ଘଟଣାରୁ ପରଦା ହଟାଇବାରେ ପୁଲିସ ଏ ଯାଏଁ ସଫଳ ହୋଇନାହିଁ । ତେବେ କମଳ ଚିକିତ୍ସାଧୀନ ଥିବାରୁ ଦିନେ ଦୁଇଦିନ ମଧ୍ୟରେ ଘଟଣା ଉପରୁ ପରଦା ହଟିବ ବୋଲି ଗୁରାଣ୍ଡି ଥାନାଧିକାରୀ ମୁକେଶ ଲାକ୍ରା କହିଛନ୍ତି ।
ଗୁରାଣ୍ଡି ରେଲି ସାହିର ଏସ୍.ତ୍ରିନାଥଙ୍କ ପୁଅ ଏସ୍.କମଳ(୨୮) ଶନିବାର ରାତିରେ ବି ତାଙ୍କ ପୁରୁଣା ଘରକୁ ଶୋଇବାକୁ ଯାଇଥିଲେ । ରବିବାର ସକାଳ ପ୍ରାୟ ୮ଟା ବେଳେ ପୁଅକୁ ଉଠାଇବା ପାଇଁ ତ୍ରିନାଥ ସେହି ଘରକୁ ଯାଇ କବାଟ ବାଡେ଼ଇଥିଲେ ହେଲେ କେହି କବାଟ ଖୋଲିନଥିଲେ । ଫଳରେ ସେ ଜୋର୍ରେ ଠେଲିଦେବାରୁ କବାଟଟି ଖୋଲି ଯାଇଥିଲା । ସେଠାରେ ସେ ଦେଖନ୍ତି ତ ଘରର ଚାରିଆଡେ଼ ରକ୍ତର ଭାସୁଛି, ହେଲେ ପୁଅର କୌଣସି ସନ୍ଧାନ ନାହିଁ । ଏ ନେଇ ସଙ୍ଗେସଙ୍ଗେ ଏସ୍.ତ୍ରିନାଥ ପଡେ଼ାଶୀ ଲୋକଙ୍କୁ ଜଣାଇବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ହେଲେ, କମଳଙ୍କ କୌଣସି ସନ୍ଧାନ ପାଇନଥିଲେ । ତ୍ରିନାଥ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ କମଳର ମୋବାଇଲ ଟ୍ରାକ୍ କରିଥିଲା । ଗୁରାଣ୍ଡିର ୧ କିମି ପରିଧି ମଧ୍ୟରେ ମୋବାଇଲ୍ଟି ଥିବା ଜଣାପଡ଼ିଥିଲା । ପରେ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ବିଫଳ ହେବାପରେ ସନ୍ଧାନୀ କୁକୁରର ସହାୟତା ନେଇଥିଲା । ସେ ବି ଗୁରାଣ୍ଡି ନାଳ ଯାଏ ଯାଇ ଫେରିଥିଲା । ତେଣୁ ସ୍ୱତନ୍ତ୍ର ପୁଲିସ ଫୋର୍ସ ଦ୍ୱାରା ସମ୍ପୃକ୍ତ ଗ୍ରାମର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଇଥିଲା । ତଥାପି କମଳକୁ ଖୋଜିବାରେ ସମସ୍ତେ ଫେଲ୍ ମାରିଥିଲେ । ଏପରିକି ପରିବାର ଲୋକେ ନଖ ଦର୍ପଣର ସହାୟତା ମଧ୍ୟ ନେଇଥିଲେ । ସେଠାରୁ ବି ସେ ବିଫଳ ହୋଇ ଫେରିଥିଲେ । ଫଳରେ ଆଶା ଓ ଆଶଙ୍କାରେ ଥିଲେ ପରିବାର ଲୋକେ । ମଙ୍ଗଳବାର ସକାଳେ କାମ କରିବାକୁ ଯିବା ବେଳେ ଗ୍ରାମର କେତେକ ଲୋକ ଏକ ଧାନ ଜମିରେ କମଳ ମୁମୂର୍ଷୁ ଅବସ୍ଥାରେ ପଡିଥିବା ଦେଖି ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ । ଉଦ୍ଧାର ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଗୁରାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ବେଳେ କମଳର ବେକ ଓ ହାତରେ କଟା ଯାଇଥିବା ଜଣାପଡ଼ିଛି । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ମଙ୍ଗଳବାର କମଳ ଯେଉଁ ସ୍ଥାନରୁ ଉଦ୍ଧାର ହୋଇଛନ୍ତି ତାହା ସେ ଶୋଇଥିବା ଘରଠାରୁ ମାତ୍ର ୪ଶହ ମିଟର ଦୂରରେ । ପୂର୍ବରୁ ଏହି ସ୍ଥାନକୁ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାହା ଜଣାପଡ଼ିଲାନି କେମିତି ବୋଲି ପ୍ରଶ୍ନ ଉଠୁଛି । ଅନ୍ୟପକ୍ଷେ ସେ ଦୀର୍ଘ ୪୮ଘଣ୍ଟା ଧରି ପାଣି କାଦୁଅରେ ରହି ଜୀବିତ ରହିଲେ କେମିତି ଏମିତି ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଛି ।ଏ ନେଇ ଗୁରାଣ୍ଡି ଥାନାଧିକାରୀ ମୁକେଶ ଲାକ୍ରା କହିଛନ୍ତି ଯେ, ବର୍ତ୍ତମାନ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଅବସ୍ଥା ଗୁରୁତର ରହିଛି । ପ୍ରଥମେ ଚିକିତ୍ସାର ଆବଶ୍ୟକତା ରହିଥିବାରୁ ଏହାକୁ ପ୍ରାଥମିକତା ଦିଆଯାଇଛି । ସେ ସୁସ୍ଥ ହେବାପରେ ସବୁକିଛି ସ୍ପଷ୍ଟ ହେବବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.