ମୁସୁରିଆଗୁଡ଼ାରେ ଗ୍ରାମବାସୀଙ୍କ ମେଳି

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋରାପୁଟ-କୋତାଭାଲସା(କେକେ)ରେଳପଥର ମୁସୁରିଆଗୁଡ଼ାରେ ପୁସିଂ ବ୍ରିଜ୍ ଦାବି କରାଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି ଶତାଧିକ ଗ୍ରାମବାସୀ ରେଳରୋକ କରିବାକୁ ମୁସୁରିଆଗୁଡାଠାରେ ଏକାଠି ହୋଇଥିଲେ । ଆନେ୍ଦାଳନ ତୀବ୍ର ପାଇଁ ବୈଠକ କରାଯାଇଥିଲା । ବୈଠକ ସ୍ଥଳୀରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଆରପିଏଫ ଫୋର୍ସଙ୍କ ସହିତ ୨ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିଲା । ତେବେ ପ୍ରଶାସନିକ ଅଧିକାରୀ ଗ୍ରାମାବସୀଙ୍କୁ ବୁଝାଶୁଝା କରିଥିଲେ । ରେଳପଥ ଉପରେ ଅଟୋ ଓ ଆମ୍ବୁଲାନ୍ସ ଯିବା ପାଇଁ ଅସ୍ଥାୟୀ ରାସ୍ତା ତୁରନ୍ତ କରାଯିବ । ଆଗମୀ ୧୦ତାରିଖ ମଧ୍ୟରେ ରେଳ ବିଭାଗ ପକ୍ଷରୁ ପୁସିଂ ବ୍ରିଜର ବ୍ୟୟ ଅଟକଳ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ସୂଚନା ଥାଉକି କେ.କେ ରେଳପଥର କୋରାପୁଟ ଠାରୁ ଜୟପୁର ଯିବା ରାସ୍ତାରେ ମୁସୁରିଆଗୁଡ଼ା ନିକଟରେ ଏକ ପୁସିଂ ରେଳବ୍ରିଜ ନିର୍ମାଣ ପାଇଁ ଅଞ୍ଚଳବାସୀ ବହୁଦିନ ହେଲା ଦାବି କରି ଆସୁଛନ୍ତି । ବ୍ରିଜ୍ ହୋଇ ନଥିବାରୁ ମୁସୁରିଆଗୁଡ଼ା ସହିତ ଏହାର ଆଖପାଖରେ ଥିବା ନାରିଆଗୁଡ଼ା, ଲାଠିଗୁଡ଼ା, ଛାଡ଼ପଦର, ମେଣ୍ଡାଗୁଡ଼ା ଓ ଜର୍ଟି ଆଦି ୬ଖଣ୍ଡ ଗାଁର ଶତାଧିକ ଲୋକ ମୁସୁରିଆଗୁଡ଼ା ନିକଟରେ ରେଳପଥ ଉପରେ ଅସ୍ଥାୟୀ ରାସ୍ତାରେ ଯାତାୟତ କରି ଆସୁଥିଲେ । ଗତ ୧ତାରିଖରେ ମୁସୁରିଆଗୁଡ଼ାର ଏହି ଅସ୍ଥାୟୀ ରାସ୍ତାରେ ଯାଉଥିବା ଏକ ସ୍କୋର୍ପିଓ ଗାଡ଼ିକୁ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା । ଫଳରେ ରେଳ ବିଭାଗ ଏହି ଅସ୍ଥାୟୀ ରାସ୍ତାକୁ ବନ୍ଦ କରିଦେଇଥିଲା । ରାସ୍ତା ବନ୍ଦ ହେବାରୁ ମୁସୁରିଆଗୁଡ଼ା ସହିତ ଆଖପାଖର ୬ଖଣ୍ଡ ଗାଁର ଶତାଧିକ ଲୋକ ଯିବାଆସିବାରେ ସମସ୍ୟା ଭୋଗୁଥିଲେ । ମୁସୁରିଆଗୁଡ଼ା ନିକଟରେ ଏକ ପୁସିଂ ବ୍ରିଜ୍ ପାଇଁ ଗ୍ରାମବାସୀ ପୂର୍ବରୁ କୋରାପୁଟ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାର୍ଚ୍ଚ ୧୫ରେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦାବିପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗ୍ରାମବାସୀଙ୍କ ଦାବିକୁ ଶାସକ ବିଜେଡ଼ି ଓ କଂଗ୍ରେସ ନେତା ମଧ୍ୟ ସମର୍ଥନ କରିଥିଲେ । ଆଜି ଆନେ୍ଦାଳନ ସମୟରେ ୬ଖଣ୍ଡ ଗ୍ରାମବାସୀଙ୍କ ସହ ପୂର୍ବତନ ବିଧାୟକ ନିମାଇଁ ସରକାର, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ରୁପକ ତୁରୁକ୍, ସାଂସଦ ପ୍ରତିନିଧି ବାବୁଲା ବେନିଆ, ବ୍ଲକ ଅଧ୍ୟକ୍ଷା ନମିତା ମାଝୀ, ରମେଶ ବାଖିଆ, ଗୋପୀ ପଲେଇ, କୃଷ୍ଣ କୁଳଦୀପ୍, ମନୋଜ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
କୋରାପୁଟ ଉପଜିଲ୍ଲାପାଳ ଲଳିତକୁମାର କହଁର, ତହସିଲଦାର ରଞ୍ଜନକୁମାର ମାନସେଠ,ଏସଡ଼ିପିଓ ଗୁଣନିଧି ମଲ୍ଲିକ ଓ ରେଳବିଭାଗ ଅଧିକାରୀ ଲଲାଟେନ୍ଦୁ ବିଦ୍ୟାଧର ଜେନା ପ୍ରମୁଖ ଆନେ୍ଦାଳନସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝଶୁଝା କରିଥିଲେ । ମୁସୁରିଆଗୁଡ଼ା ପୁସିଂ ବ୍ରିଜ୍ ପାଇଁ ରେଳ ବିଭାଗ ବ୍ୟୟ ଅଟକଳ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବ । ଏପ୍ରିଲ ୧୦ ମଧ୍ୟରେ ରେଳ ବିଭାଗ ଉଚ୍ଚଅଧିକାରୀଙ୍କ ସହିତ ଯୋଗାଯୋଗ କରି ଏଷ୍ଟିମେଟ ପ୍ରଶାସନ ନିକଟରେ ଦାଖଲ କରିବାକୁ ସ୍ଥାନୀୟ ରେଳ ଅଧିକାରୀ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ ଗ୍ରାମବାସୀଙ୍କ ଯାତାୟତ ସମସ୍ୟାକୁ ଦୃଷ୍ଟିରେ ରଖି ପୁସିଂ ବ୍ରିଜ୍ ପୂର୍ଣ୍ଣାଙ୍ଗ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଅଟୋ ଓ ଆମ୍ବୁଲାନ୍ସ ଯିବା ପାଇଁ ରେଳ ବିଭାଗ ରାସ୍ତା ଛାଡ଼ିବାକୁ ସହମତି ପ୍ରକାଶ କରିଥିଲା । ପୁସିଂ ବ୍ରିଜ୍ ହେବା ପରେ ଅସ୍ଥାୟୀ ରାସ୍ତାକୁ ବନ୍ଦ କରାଯିବ ବୋଲି ରେଳ ବିଭାଗ କହିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons