ଝାରସୁଗୁଡ଼ା: ଜଣେ ମୃତ ଏମ୍ସିଏଲ୍ କର୍ମଚାରୀଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ବ୍ରଜରାଜନଗର ଲମଟିବାହାଲ ଶାଖାରେ ଥିବା ଆକାଉଣ୍ଟରୁ ସେହି ଶାଖାର ଆକାଉଣ୍ଟାଣ୍ଟ୍ ୧୮ ଲକ୍ଷ ୩୨ ହଜାର ଟଙ୍କା ହଡ଼ପ କରିନେଇଛନ୍ତି । ଏନେଇ ମାମଲା ରୁଜୁ ହେବା ପରେ ଆକାଉଣ୍ଟାଣ୍ଟ୍ ଜଣକ ଫେରାର ମାରିଥିବା ଜଣାପଡ଼ିଛି । ଫେରାର ଆକାଉଣ୍ଟାଣ୍ଟ୍ ଜଣକ ସନ୍ଦୀପ ମହାନ୍ତି ବୋଲି ଜଣାପଡ଼ିଛି ।
ସୂଚନାନୁସାରେ ଝାରସୁଗୁଡ଼ା ସାରସମାଲର ଦଶରଥ ମୁଣ୍ଡା ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ୍ କୋଇଲା କ୍ଷେତ୍ରର ୨ ନମ୍ୱର କୋଇଲା ଖଣିରେ କାର୍ଯ୍ୟ କରୁଥିଲେ । ଦଶରଥଙ୍କ ଏସ୍ବିଆଇ ଲମଟିବାହାଲ ଶାଖାରେ ଏକ ସେଭିଙ୍ଗ ଆକାଉଣ୍ଟ୍ ରହିଛି । ଗତ ୨୦୧୪ ମସିହାରେ ଦଶରଥ ଅବସର ନେଇଥିଲେ । ଏମ୍ସିଏଲ୍ ପକ୍ଷରୁ ତାଙ୍କୁ ପେନସନ୍ ମଧ୍ୟ ଏସ୍ବିଆଇର ସେହି ଜମାଖାତାରୁ ମିଳିଥିଲା । ଗତ ୨୦୧୭ ମସିହାରେ ଦଶରଥଙ୍କ ମୃତୁ୍ୟ ହେବା ପରେ ତାଙ୍କ ସ୍ତ୍ରୀଙ୍କୁ ଏମ୍ସିଏଲ୍ ପକ୍ଷରୁ ପେନ୍ସନ୍ ଟଙ୍କା ମାସକୁ ମାସ ମିଳୁଛି । କିନ୍ତୁ ଦଶରଥଙ୍କ ଜମାଖାତାରେ ପ୍ରାୟ ୩୦ ଲକ୍ଷ ଟଙ୍କା ରହିଥିଲା । ଏହି ଟଙ୍କା ତକ ଉଠାଇବାକୁ ଦଶରଥଙ୍କ ସ୍ତ୍ରୀ ଓ ତାଙ୍କ ପୁଅ ଟିକେଶ୍ୱର ବ୍ୟାଙ୍କରେ ଆବଶ୍ୟକ ଲିଗାଲ୍ହେୟାର୍ ସାର୍ଟିଫିକେଟ ସମେତ ଅନ୍ୟାନ୍ୟ କାଗଜପତ୍ର ଦେବା ପରେ ମଧ୍ୟ ଆକାଉଣ୍ଟାଣ୍ଟ ଜଣକ ଏହି ଆକାଉଣ୍ଟ୍କୁ ଆଉ ଆକ୍ଟିଭ୍ କରିବାକୁ ଦେଉନଥିଲେ । ମା’-ପୁଅ ଅନେକ ଥର ବ୍ୟାଙ୍କକୁ ଦୌଡ଼ି ଶେଷରେ ଏସ୍ପିଙ୍କ ଦ୍ୱାରସ୍ଥ ହେବା ପାଇଁ ଆକାଉଣ୍ଟାଣ୍ଟ୍ଙ୍କୁ କହିବାରୁ ଆକାଉଣ୍ଟାଣ୍ଟ୍ ଜଣକ ଶ୍ରୀମତୀ ମୁଣ୍ଡାଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍କୁ ପର୍ଯ୍ୟାୟ କ୍ରମେ ତିନିଥରରେ ୧୧ ଲକ୍ଷ ୩୦ ହଜାର ଟଙ୍କା ପଠାଇଥିଲେ । ସ୍ୱାମୀଙ୍କ ଆକାଉଣ୍ଟରୁ ଶ୍ରୀମତୀ ମୁଣ୍ଡା ଅଧିକ ଟଙ୍କା ଉଠାଇବାକୁ ଚେଷ୍ଟା କରିବାରୁ ଖାତାରେ ୧୮ ଲକ୍ଷ ୩୫ ହଜାର ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ଏନେଇ ଶ୍ରୀମତୀ ମୁଣ୍ଡା ଲମଟିବାହାଲ ଏସ୍ବିଆଇ ଶାଖା ଚିଫ୍ ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବ୍ରଜରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏମିତିକି ଶ୍ରୀମତୀ ମୁଣ୍ଡା ଝାରସୁଗୁଡ଼ା ଏସ୍ପି ବିକାଶ ଚନ୍ଦ୍ର ଦଶଙ୍କ ନିକଟରେ ମଧ୍ୟ ଫେରାଦ ହୋଇଥିଲେ । ଆକାଉଣ୍ଟାଣ୍ଟ୍ ସନ୍ଦୀପ ମହାନ୍ତି ଗତ ମାର୍ଚ୍ଚ ୨୫, ଏପ୍ରିଲ ୯ ଓ ଜୁନ ୧୦ ତାରିଖରେ ପର୍ଯ୍ୟାୟ କ୍ରମେ ମୋଟ ୧୧ ଲକ୍ଷ ୩୦ ହଜାର ଟଙ୍କା ବ୍ରଜରାଜନଗର ଷ୍ଟେଟ ବ୍ୟାଙ୍କ ଲମଟିବାହାଲ ଶାଖାରେ ଶ୍ରୀମତୀ ମୁଣ୍ଡାଙ୍କ ନାମରେ ଥିବା ଅନ୍ୟ ଏକ ଖାତାକୁ ବେଆଇନ ଭାବେ ଟଙ୍କା ଟ୍ରାନ୍ସଫର୍ କରିଥିଲେ । ଏହାସହିତ ଆକାଉଣ୍ଟାଣ୍ଟ୍ ତାଙ୍କର ଜଣେ ସଂପର୍କୀୟଙ୍କ ଋଣ ଆକାଉଣ୍ଟ୍କୁ ଦୁଇଥର କରି ଗତ ଜୁନ ମାସ ୯ ଓ ୧୦ ତାରିଖରେ ୧୮ ଲକ୍ଷ ୩୨ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ । ସନ୍ଦୀପ ତାଙ୍କ ସଂପର୍କୀୟଙ୍କ ଜରିଆରେ ଏହି ଟଙ୍କା ତକ ବାହାର କରିବା ପୂର୍ବରୁ ଏହି ଚଞ୍ଚକତା ସମ୍ପର୍କରେ ଏସ୍ବିଆଇ ଲମଟିବାହାଲର ଅଧିକାରୀମାନେ ଜାଣିଯିବାରୁ ସନ୍ଦୀପଙ୍କ ସମ୍ପର୍କୀୟଙ୍କ ଆକାଉଣ୍ଟ୍କୁ ଫ୍ରିଜ୍ଡ୍ କରିଦେଇ ଆକାଉଣ୍ଟକୁ ଝାରସୁଗୁଡ଼ା ଶାଖାକୁ ବଦଳି କରାଯାଇଥିଲା । ଶ୍ରୀମତୀ ମୁଣ୍ଡା ବ୍ରଜରାଜନଗର ଥାନାରେ ଅଭିଯୋଗ କରିବା ପରେ ଆକାଉଣ୍ଟାଣ୍ଟ୍ ସନ୍ଦୀପ ମହାନ୍ତି ଫେରାର ହୋଇଯାଇଛନ୍ତି । ଏନେଇ ପୁଲିସ୍ ପକ୍ଷରୁ ତଦନ୍ତ ଚାଲିଥିବା ବ୍ରଜରାଜନଗର ଥାନାଧିକାରୀ ବୈକୁଣ୍ଠ ବିହାରୀ ସେଠ ସୂଚନା ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ଆକାଉଣ୍ଟାଣ୍ଟ୍ ସନ୍ଦୀପଙ୍କୁ ଚାକରିରୁ ବାହାର କରିଦେଇଥିବା ଜଣାପଡ଼ିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.