ଲାଞ୍ଜିଗଡ଼,(ବି.ବି.ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ୨୪ ଘଣ୍ଟା ଭିତରେ ଲାଲ୍ବାହିନୀ ଦୁଇ ଦୁଇଟି ମୁଣ୍ଡ ଗଡ଼ାଇବା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଥିବାବେଳେ ଦକ୍ଷିଣାଞ୍ଚଳ ଡିଆଇଜି ହିମାଂଶୁ ଲାଲ ଓ ଏସ୍ପି ବାତୁଲା ଗଙ୍ଗାଧର ଉଭୟ ମୃତକଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି । ରବିବାର ମଧ୍ୟାହ୍ନରେ ପାହାଡ଼ପଦର ସାପ୍ତାହିକ ବଜାରରେ ଠିକାଦାର ରାଜେନ୍ଦ୍ର ସାହୁଙ୍କ ହତ୍ୟାର କିଛି ଘଣ୍ଟା ବ୍ୟବଧାନରେ ଲାଞ୍ଜି ପଞ୍ଚାୟତ ବାବୁପଦର ଗାଁର ଭୀମ ଦୋରାଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ । ପାହାଡ଼ପଦର ଗାଁ ଏବେ ସନ୍ଧ୍ୟା ନହେଉଣୁ ତାଟି କବାଟ ପଡ଼ିଯାଉଥିବାବଳେ ବାବୁପଦର ଗାଁରେ ଏବେ ବି ଶୋକର ଛାୟା ଖେଳି ରହିଛି । ପାହାଡ଼ପଦର ଘଟଣାର ଦିନକ ପରେ ସେଠାକୁ କଳାହାଣ୍ଡି ଏସ୍ପି ବାତୁଲା ଗଙ୍ଗାଧର ପହଞ୍ଚିଥିଲେ । ଗତକାଲି ସନ୍ଧ୍ୟାରେ ଦକ୍ଷିଣାଞ୍ଚଳ ଡିଆଇଜି ହିମାଂଶୁ ଲାଲ ଓ ଏସ୍ପିି ଗଙ୍ଗାଧର ବାବୁପଦର ଗାଁକୁ ଯାଇଥିଲେ । ଡିଆଇଜି ଶ୍ରୀ ଲାଲ ଉଭୟଙ୍କ ପରିବାରବର୍ଗଙ୍କୁ ଆଶ୍ୱାସନା ଦେବାସହ ୮ ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ଓ ୫ ଲକ୍ଷ ଲେଖାଏଁ ରାଜ୍ୟ ସରକାରଙ୍କ ସହାୟତା ଦେବାକୁ ଘୋଷଣା କରିଥିଲେ । ସେହିପରି ମୃତ ରାଜେନ୍ଦ୍ର ସାହୁ ଓ ଭୀମ ଦୋରାଙ୍କ ପରିବାରବର୍ଗଙ୍କୁ ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ ମୃତ ଭୀମ ଦୋରାଙ୍କ ପରିବାର ବର୍ଗଙ୍କୁ ଡିଆଇଜି ଶ୍ରୀ ଲାଲ ନିଜ ହାତରୁ ୪ ହଜାର ଟଙ୍କା ଦେଇଥିଲେ । ବ୍ୟବଚ୍ଛେଦ ପରେ ଶବ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଏ ନେଇ ବିଜେପୁର ଓ ବିଶ୍ୱନାଥପୁର ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି ।
Comments are closed, but trackbacks and pingbacks are open.