ମୃତ ଶିଶୁପୁତ୍ରକୁ ଧରି ୨୦ ଘଣ୍ଟା ଯାତ୍ରା

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ୍): ଲକ୍ଡାଉନ୍ରେ ଭୋକ ଉପବାସରେ ଫସି ରହିଥିଲେ ୩ ମାସ କାଳ । ହାତରେ କାଣି କଉଡ଼ିଟିଏ ନଥିଲା । ଘରକୁ ଫେରିବା ବି ଜରୁରୀ ଥିଲା । ଟ୍ରେନ୍ ଚାଲି ଆସିଲେ ଫେରିବା ବାଟ ବନ୍ଦ ହୋଇ ଯାଇଥାନ୍ତା । ଏଣୁ ଦିନକ ପୂର୍ବରୁ ଜନ୍ମିତ ଶିଶୁପୁତ୍ରକୁ କୋଳରେ ଧରି ଟ୍ରେନ୍ରେ ଯାତ୍ରା କରିବାକୁ ବାଧ୍ୟ ହେଲେ ପ୍ରସୂତି । ହେଲେ ଭିଟାମାଟିର ମୁହଁ ଦେଖିବା ବୋଧହୁଏ ଶିଶୁପପୁତ୍ରର ଭାଗ୍ୟରେ ନଥିଲା । ଟ୍ରେନ୍ ଯାତ୍ରା ବେଳେ ଭିଡ଼ ଭିତରେ ଶ୍ୱାସରୁଦ୍ଧ ହୋଇ ପରପାରିକୁ ଚାଲିଗଲା ନବଜାତକ । ହେଲେ ଭୟରେ କାହାକୁ କିଛି ନ କହି କୋଳରେ ନବଜାତକର ନିଶ୍ଚଳ ଶରୀର ଓ ଛାତିରେ କୋହ ଭରି ଚୁପ୍ଚାପ୍ ଟ୍ରେନ୍ରେ ଫେରିଲେ ବାପା ମା’ । ଏଭଳି ଏକ ସ୍ପର୍ଶକାତର ଘଟଣା ଆଜି ନୂଆପଡ଼ା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ସୂଚନାମତେ, ଜାନୁୟାରୀ ୨୬ ତାରିଖରେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବସନା ଥାନା ଗଡ଼ଫୁଲଝର ଗାଁ ତୁଲାରାମ ପାଣ୍ଡେ(୨୩) ଓ ସ୍ତ୍ରୀ ତରୁରବାଇ ପାଣ୍ଡେ(୨୦) ଉତ୍ତର ପ୍ରଦେଶ ଗୋରଖପୁର ଅଞ୍ଚଳରେ ଇଟା ତିଆରି କାମରେ ନିୟୋଜିତ ଥିଲେ । ଲକ୍ଡାଉନରେ କାମ ଧନ୍ଦା ବନ୍ଦ ହେବା ପରେ ଯାହା କିଛି ରୋଜଗାର କରିଥିଲେ ସବୁ ସରିଗଲା । ୩ ମାସ ଧରି ଭୋକ ଉପବାସରେ ଇଟା ଭାଟିରେ ପଡ଼ି ରହିଥିଲେ । ପ୍ରବାସୀ ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟା ସରକାରୀ ସ୍ତରରେ ଆରମ୍ଭ ହେବା ପରେ ଦମ୍ପତି ଘରକୁ ଫେରିବା ପାଇଁ ନାମ ପଞ୍ଜିକରଣ କରିଥିଲେ । ଚତୁରବାଇ ୧୦ ମାସର ଗର୍ଭବତୀ ଥିଲେ । ଗତ ୧୪ ତାରିଖ ଅପରାହ୍ନରେ ସନୱା ମେଡିକାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ୧୫ ତାରିଖରେ ସ୍ୱତନ୍ତ୍ର ପ୍ରବାସୀ ଶ୍ରମିକ ଟ୍ରେନରେ ଫେରିବାକୁ ସ୍ଥିର ହୋଇଥିବାବେଳେ ଦିନକ ପୂର୍ବରୁ ଜନ୍ମିତ ଶିଶୁକୁ କେମିତି ଧରି ଟ୍ରେନରେ ଯାତ୍ରା କରିବେ ସେହି ଚିନ୍ତାରେ ଶ୍ରମିକ ଦମ୍ପତି ଘାରି ହେଉଥିଲେ । ରୋଜଗାର ହରାଇ ୩ ମାସ ହେଲା ଇଟା ଭାଟି ବସି ରହିଥିଲେ । ଏଭଳି ସ୍ଥିତିରେ ଟ୍ରେନ ଚାଲିଗଲେ, ଫେରିବା ବାଟ ବି ବନ୍ଦ ହୋଇଯିବ । କେଉଠି ରହିବେ, କେମିତି ରହିବେ କିଛି ବୁଦ୍ଧିବାଟ ଦିଶୁନଥିଲା । ଶେଷରେ ମେଡିକାଲରୁ ଡିସଚାର୍ଯ୍ୟ ହୋଇଥିଲେ । ଯେମିତି ହେଲେ ନବଜାତକକୁ ନେଇ ଟ୍ରେନରେ ଫେରି ଆସିବାକୁ ସ୍ଥିର କଲେ । ଗତ ୧୫ ତାରିଖ ସନ୍ଧ୍ୟା ୭ଟାରେ ଗୋରଖପୁର ରେଲୱେ ଷ୍ଟେସନରେ ଟ୍ରେନ ଲାଗିଥିଲେ । ଦିନକର ଛୁଆକୁ ଧରି ଉଭୟ ଶ୍ରମିକ ଦମ୍ପତି ଚଢ଼ିଥିଲେ । ପ୍ରବଳ ଭିଡ଼ ସତ୍ତେ୍ୱ ନବଜାତକକୁ ଧରି ବହୁ କଷ୍ଟରେ ପଶିଥିଲେ । ହେଲେ ରାତି ପ୍ରାୟ ୧୧ଟାରେ ଶିଶୁ ପୁତ୍ରର ମୃତୁ୍ୟ ହୋଇଗଲା । ଏକଥା ଅନୁଭବ କରିବା ପରେ କାହାକୁ କହିବେ, କ’ଣ କହିବେ, ଏମିତି ଭୟରେ ସ୍ୱାମୀ ସ୍ତ୍ରୀ କାହାରିକୁ କିଛି ନକହି ଚୁପ୍ ହୋଇଗଲେ । ମୃତ ଶିଶୁପୁତ୍ରକୁ କାଖରେ ଧରି ରାତି ସାରା, ତା ପରଦିନ ଦିନ ତମାମ ଯାତ୍ରା କରିଥିଲେ । ଏମିତି ପ୍ରାୟ ୨୦ ଘଣ୍ଟାର ଯାତ୍ରା ପରେ ଗତକାଲି ସନ୍ଧ୍ୟା ୭ଟାରେ ଟ୍ରେନ ଖରିଆରରୋଡ ଷ୍ଟେସନରେ ପହଞ୍ଚିଥିଲା । ସେଠାରୁ ଏକ ସ୍ୱତନ୍ତ୍ର ବସ ଯୋଗେ ଶ୍ରମିକଙ୍କୁ ସିଲଦା ସ୍ଥିତ ନ୍ୟାସନାଲ କଲେଜକୁ ଆଣିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଶ୍ରମିକମାନଙ୍କୁ ତାଙ୍କ ଗାଁକୁ ପଠାଇବାର ବ୍ୟବସ୍ଥା କରିଥିଲେ । ଏହି ସମୟରେ କିଛି ଶ୍ରମିକଙ୍କୁ ସନେ୍ଦହ ହୋଇଥିଲା । ଶିଶୁପୁତ୍ରକୁ ନେଇ ପଚରା ଉଚୁରା କରିଥିଲେ । ପରେ ନବଜାତକର ମୃତୁ୍ୟ ହୋଇଥିବା ସ୍ତ୍ରୀ ଚତୁରବାଇ କହିଥିଲେ । ଖବର ପାଇ ଜୋଙ୍କ ପୁଲିସ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଆଜି ମଧ୍ୟାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଅପରହ୍ନରେ ଏକ ସ୍ୱତନ୍ତ୍ର ଗାଡ଼ି କରି ସ୍ୱାମୀ ସ୍ତ୍ରୀଙ୍କ ସହ ନବଜାତକର ଶବକୁ ଗାଁକୁ ପଠାଇ ଦେଇଥିବା ଜୋଙ୍କ ଥାନା ତଦନ୍ତକାରୀ ଏସ୍ଆଇ ଭାରତୀ ନାଏକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons