ନୂଆଦିଲ୍ଲୀ: ଦେଶର ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମ୍ମିଶ୍ରଣ ହେବ । ସୃଷ୍ଟି ହେବ ୪ ନୂଆ ତଥା ମେଗା ରାଷ୍ଟ୍ରାୟତ୍ତ ବ୍ୟାଙ୍କ । ଏହାସହ ସରକାର ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ୫୫,୨୫୦ କୋଟି ଟଙ୍କାର ମୂଳଧନ ଖଟାଇବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଏହି ଘୋଷଣା କରିଛନ୍ତି । ୫ ଲକ୍ଷ କୋଟି ଡଲାରର ଅର୍ଥନୀତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାରର ଲକ୍ଷ୍ୟ ହାସଲ ଉଦେ୍ଧଶ୍ୟରେ ଏହା ବୁଷ୍ଟର ଡୋଜ୍ ଭାବେ କାମ କରିବ ।
ଅର୍ଥମନ୍ତ୍ରୀଙ୍କ ଏହି ମେଗା ବ୍ୟାଙ୍କିଙ୍ଗ୍ ସମ୍ମିଶ୍ରଣ ଯୋଜନା ଭାରତର ମୋଟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ (ପିଏସ୍ବି) ସଂଖ୍ୟାକୁ କମାଇ ୧୨ରେ ସୀମିତ ରଖିବ । ୨୦୧୭ରେ ଦେଶରେ ମୋଟ ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଥିଲା ।
ଦେଶର ସର୍ବବୃହତ ବ୍ୟାଙ୍କିଙ୍ଗ୍ ସମ୍ମିଶ୍ରଣର ଘୋଷଣା କରି ସୀତାରମଣ କହିଛନ୍ତି, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି) ସହ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (ଓବିସି) ଓ ୟୁନାଇଟେଡ୍ ବ୍ୟାଙ୍କ ମିଶିବ । ସମ୍ମିଶ୍ରଣ ଯୋଗୁ ସୃଷ୍ଟି ହେବାକୁ ଥିବା ନୂଆ ରାଷ୍ଟ୍ରାୟତ୍ତ ବ୍ୟାଙ୍କ (ପିଏନ୍ବି)ର ଆକାର ପୁରୁଣା ପିଏନ୍ବି ତୁଳନାରେ ଦେଢ଼ଗୁଣା ହେବ । ୧୭ ଲକ୍ଷ ୯୫ହଜାର କୋଟି ଟଙ୍କା ବ୍ୟବସାୟ ଓ ୧୧,୪୩୭ ଶାଖା ନେଟ୍ୱର୍କ ସହ ଏହା ଦେଶର ଦ୍ୱିତୀୟ ବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ପରିଣତ ହେବ ।
ସେ କହିଛନ୍ତି, କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍ ବ୍ୟାଙ୍କ ମିଶିବ ଓ ଦେଶର ଚତୁର୍ଥ ବୃହତ ପିଏସ୍ବି ସୃଷ୍ଟି କରିବ । ନୂଆ କାନାରା ବ୍ୟାଙ୍କର ମୋଟ ବ୍ୟବସାୟ ୧୫ ଲକ୍ଷ ୨୦ ହଜାର କୋଟି ଟଙ୍କାରେ ପହଞ୍ଚିବ, ଯାହାକି ପୁରୁଣା କାନାରା ବ୍ୟାଙ୍କ ତୁଳନାରେ ପ୍ରାୟ ୧.୫ ଗୁଣ । ଏହି ବ୍ୟାଙ୍କର ୧୦,୩୪୨ ଶାଖା ନେଟ୍ୱର୍କ ରହିବ ।
ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ) ସହ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ବିଲୟ ଘଟିବ । ୟୁନିଅନ୍ ବ୍ୟାଙ୍କ ଆକାରର ୨ ଗୁଣା ଅର୍ଥାତ ୧୪ ଲକ୍ଷ ୫୯ ହଜାର କୋଟି ଟଙ୍କାର ବ୍ୟବସାୟ ସହ ସୃଷ୍ଟି ହେବ ଦେଶର ପଞ୍ଚମ ବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ । ୯,୬୦୯ ଶାଖା ସହ ଏହା ଚତୁର୍ଥ ସର୍ବାଧିକ ଶାଖା ନେଟ୍ୱର୍କ ଥିବା ଭାରତୀୟ ବ୍ୟାଙ୍କରେ ପରିଣତ ହେବ ।
ଏହା ବ୍ୟତୀତ ଇଣ୍ଡିଆନ ବ୍ୟାଙ୍କରେ ଆଲ୍ଲାହାବାଦ ବ୍ୟାଙ୍କ ମିଶିଯିବ । ଇଣ୍ଡିଆନ ବ୍ୟାଙ୍କର ୧.୯ ଗୁଣ ଆକାରର ଏହି ନୂଆ ବ୍ୟାଙ୍କ, ୮ ଲକ୍ଷ ୮ ହଜାର କୋଟି ଟଙ୍କା ବ୍ୟବସାୟ ସହ ଭାରତର ସପ୍ତମ ବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାବେ ପରିଗଣିତ ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।
ସୀତାରମଣ କହିଛନ୍ତି, ସଙ୍କଟ ଦେଇ ଗତି କରୁଥିବା ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ପୁନରୁଦ୍ଧାର ସହ ସେଗୁଡ଼ିକୁ ଅଭିବୃଦ୍ଧି ପଥରେ ଆଗେଇ ନେବା ପାଇଁ ବ୍ୟାଙ୍କ ସମ୍ମିଶ୍ରଣ ଜରୁରି ଥିଲା । ମାନ୍ଦାବସ୍ଥା କବଳରୁ ଭାରତୀୟ ଅର୍ଥନୀତିକୁ ସୁଧାରିବା ଉଦେ୍ଧଶ୍ୟରେ ଗତ ଶୁକ୍ରବାର ମେଗା ପ୍ୟାକେଜ୍ ଘୋଷଣାର ସପ୍ତାହକ ପରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ଏହି ବୁଷ୍ଟର ଡୋଜ୍ ଦିଆଯାଇଛି ।
ସେ କହିଛନ୍ତି, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ସେଣ୍ଟ୍ରାଲ ବ୍ୟାଙ୍କ ପୂର୍ବଭଳି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାବେ ସାରା ଦେଶରେ ନିଜର ଉପସ୍ଥିତି ଅଧିକ ସୁଦୃଢ଼ କରିବେ । ଅନ୍ୟ ୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା- ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଆଞ୍ଚଳିକ ସ୍ତରରେ ବ୍ୟାଙ୍କ କାରବାର ବୃଦ୍ଧି ଦିଗରେ ଗୁରୁତ୍ୱାରୋପ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ପିଏସ୍ବିଗୁଡ଼ିକର ସ୍ଥିତିକୁ ଅଧିକ ମଜଭୁତ କରିବା ପାଇଁ ସରକାର ୧୦ଟି ବ୍ୟାଙ୍କରେ ୫୫,୨୫୦ କୋଟି ଟଙ୍କାର ମୂଳଧନ ନିବେଶ କରିବେ ବୋଲି ଆଜି ସୀତାରମଣ ଘୋଷଣା କରିଛନ୍ତି । ସେଥିରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ସର୍ବାଧିକ ୧୬,୦୦୦ କୋଟି ଟଙ୍କା ମିଳିବ । ଏହାପଛକୁ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧୧,୭୦୦ କୋଟି ଟଙ୍କା ମୂଳଧନ ପାଇବାକୁ ଥିବା ବେଳେ ବ୍ୟାଙ୍କ ଅଫ୍ ବରୋଦାରେ ୭,୦୦୦ କୋଟି, କାନାରା ବ୍ୟାଙ୍କରେ ୬,୫୦୦ କୋଟି, ଇଣ୍ଡିଆନ୍ ବ୍ୟାଙ୍କରେ ୨,୫୦୦ କୋଟି, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ୩,୮୦୦ କୋଟି, ସେଣ୍ଟ୍ରାଲ ବ୍ୟାଙ୍କରେ ୩,୩୦୦ କୋଟି, ୟୁକୋ ବ୍ୟାଙ୍କରେ ୨,୧୦୦ କୋଟି, ୟୁନାଇଟେଡ୍ ବ୍ୟାଙ୍କରେ ୧,୬୦୦ କୋଟି ଓ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରେ ୭୫୦ କୋଟିର ପୁଞ୍ଜି ନିବେଶ ହେବ ।
୨.୬୫ ଲକ୍ଷ କୋଟି ଡଲାରର ଭାରତୀୟ ଅର୍ଥନୀତି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି । କିନ୍ତୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦେ୍ଧଶ୍ୟରେ ସରକାର ସେମାନଙ୍କୁ ପର୍ଯ୍ୟାପ୍ତ ମୂଳଧନ ଯୋଗାଇ ଦେଉଛନ୍ତି ବୋଲି ସୂଚନା ଦେଇ ସେ କହିଛନ୍ତି, ଏବେ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଅଭିବୃଦ୍ଧିମୁହାଁ ହୋଇଛି । ୨୦୧୮ ଡିସେମ୍ବରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ (ଏନ୍ପିଏ) ପରିମାଣ ୮.୬୫ ଲକ୍ଷ କୋଟି ଟଙ୍କା ଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ୮ ମାସ ମଧ୍ୟରେ ଏହା ୭.୯ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି ।
ଗତ ଘୋଷଣାର ପଦକ୍ଷେପ ସ୍ୱରୂପ ଅଣ-ବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନି (ଏନ୍ବିଏଫ୍ସି)ଗୁଡ଼ିକୁ ବ୍ୟାଙ୍କଗୁଡ଼ିକ ୩,୩୦୦ କୋଟି ଟଙ୍କାର ସହାୟତା ଯୋଗାଇ ଦେଲେଣି । ଏନ୍ବିଏଫ୍ସିଙ୍କ ପାଇଁ ଆଉ ୩୦,୦୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପାଇପ୍ ଲାଇନରେ ରହିଛି ବୋଲି ସୀତାରମଣ କହିଛନ୍ତି ।
Comments are closed, but trackbacks and pingbacks are open.