କୋରାପୁଟ,(ବି.ବି.ନୁ୍ୟଜ): ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରୁ ଏକ ନବଜାତ କନ୍ୟା ଗାଏବ ମାମଲାର ପର୍ଦ୍ଧାଫାସ କରିଛି ଟାଉନ ପୁଲିସ । ମୁଖ୍ୟ ଅଭିଯୁକ୍ତ ଟୁନା ହରିଜନ ସମେତ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ସମ୍ପୃକ୍ତ ଶିଶୁର ୨ ଆଈ ଗଙ୍ଗେଇ ଗୌଡ଼ ଓ ବାସନ୍ତୀ ଗୌଡ । ଅନ୍ୟ ୨ ଅଭିଯୁକ୍ତ ହେଲେ ହେମନ୍ତ ମହୁରିଆ ଓ ରଞ୍ଜିତା ମହୁରିଆ । ଜଣେ ନିଃସନ୍ତାନ ସାଙ୍ଗକୁ ସାହାଯ୍ୟ କରିବା ଲାଗି ଏଭଳି ଅପହରଣ କରିଥିଲା ଟୁନା । ପୁଲିସ୍ ଅପହୃତା ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ତା ବାପାଙ୍କୁ ହସ୍ତାନ୍ତର କରିଛି ।
କୋରାପୁଟ ଏସ୍ଡିପିଓ ଗୁଣନିଧି ମଲ୍ଲିକ କହିଛନ୍ତି, ଗତ ୯ ତାରିଖରେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ସିଲକଗୁଡ଼ା ଗାଁର ଡମସିଂ ଗୌଡ଼ଙ୍କ ସ୍ତ୍ରୀ ତୁଲ୍ସେନା ଗୌଡଙ୍କ ଏକ ଶିଶୁକନ୍ୟା ଜନ୍ମ ନେଇଥିଲା । ଶିଶୁକନ୍ୟାକୁ ଜନ୍ମ ଦେବା ପରେ ତୁଳସେନା ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ପାପଡ଼ାହାଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ୧୦ ତାରିଖ ସକାଳେ ପନôୀଙ୍କୁ ଧରି ମେଡ଼ିକାଲରେ ପହଞ୍ଚିବା ପରେ ଡାକ୍ତର ତୁଲ୍ସେନାଙ୍କୁ ମୃତ ଘୋଷଣା କରିଥିଲେ । ନବଜାତ ଶିଶୁର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ଆଶଙ୍କା କରି ତାକୁ ମେଡ଼ିକାଲରେ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସମୟରେ ମୃତାଙ୍କ ବୋଉ ଓ ବଡ଼ବୋଉ ତଥା ଡମସିଂଙ୍କ ଦୁଇ ଶାଶୂ ମେଡ଼ିକାଲରେ ଉପସ୍ଥିତ ଥିଲେ । ସେହି ସମୟରେ ଜଣେ ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ନେଇଥିବା ସେହି ଗାଁର ଟୁନା ହରିଜନ ଓ କୁନା ହରିଜନ ସେଠାରେ ପହଞ୍ଚିଥିଲେ । ଘଟଣା ସଂପର୍କରେ ଜାଣିବା ପରେ ଗାଁରେ ଶବ ସ+ାର କରିବାକୁ ଯିବା ଲାଗି ଡମସିଂଙ୍କୁ ପରାମର୍ଶ ଦେଇଥିଲେ ଏବଂ ଶିଶୁର କଥା ସେମାନେ ବୁଝିବେ ବୋଲି କହିଥିଲେ । ପରେ ଟୁନା ଓ କୁନା ଶିଶୁକନ୍ୟାକୁ ଗାଏବ କରିବା ଲାଗି ହେମନ୍ତ ମହୁରିଆ ଓ ରଞ୍ଜିତା ମହୁରିଆଙ୍କ ସହିତ ଯୋଗାଯୋଗ କରିଥିଲେ । ହେମନ୍ତ ଓ ରଞ୍ଜିିତାଙ୍କ ନିଜ ସନ୍ତାନ୍ତ ଥିଲେ ମଧ୍ୟ ଅନ୍ୟ ଏକ ଶିଶୁକନ୍ୟା ପାଇଁ ଆଗ୍ରହୀ ଥିଲେ । ତେଣୁ ଶିଶୁକନ୍ୟାକୁ ଅପହରଣ ପାଇଁ ସେମାନେ ଷଡ଼ଯନ୍ତ୍ର କରିଥିଲେ ବୋଲି ପୁଲିସ କହିଛି ।
ଅପହର୍ତ୍ତାମାନେ ପ୍ରଥମେ ମେଡିକାଲ୍ ଓପିଡିକୁ ଯାଇଥିଲେ । ମୃତା ମହିଳାଙ୍କ ନାଁ ପରିବର୍ତ୍ତନ କରି ଓପିଡିରେ ଏକ ଫେକ୍ ଟିକେଟ କରିଥିଲେ । ତୁଲସେନାଙ୍କ ଶବ ନେଇ ଦୁଇ ଶାଶୂଙ୍କୁ ଗାଁକୁ ଯାଇ ସ+ାର କରିବା ଲାଗି ପରାମର୍ଶ ଦେଇଥିଲେ । ସେମାନେ ୧୦ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ଶବ ନେଇ ଡମସିଂଙ୍କ ସହ ଗାଁକୁ ଚାଲିଯାଇଥିଲେ । ପୂର୍ବରୁ ଓପିଡ଼ିରେ ହୋଇଥିବା ଫେକ୍ ଟିକଟ ଧରି ହେମନ୍ତ ଓ ରଞ୍ଜିତା ଆଇସିୟୁ କେନ୍ଦ୍ରକୁ ଯାଇଥିଲେ । ଯେତେବେଳେ ଜନ୍ମିତ ଶିଶୁକନ୍ୟାର ନାଁ ଡକାଗଲା, ସେତେବେଳେ ସେମାନେ ଟିକଟ ଦେଖାଇ ଶିଶୁକନ୍ୟାକୁ ନେଇ ଚମ୍ପଟ ମାରିଥିଲେ । ହେମନ୍ତଙ୍କ ୨ଟି ଛୁଆ ଥିବାରୁ ସେ ନେଇଥିବା ଶିଶୁ କନ୍ୟାକୁ ତାଙ୍କ ସାଙ୍ଗ ସୁରେନ୍ଦ୍ର ଗୋଲାପ ଓ ପବିତ୍ର ଗୋଲାପଙ୍କୁ ଦେଇଥିଲେ । ସୁରେନ୍ଦ୍ର ଓ ଗୋଲାପ ୯ବର୍ଷ ଧରି ନିଃସନ୍ତାନ ଥିଲେ । ଶିଶୁ କନ୍ୟାକୁ ନେଇ ସେମାନେ କୁନ୍ଦୁରା ବ୍ଲକ ଫୁପୁଗାଁରେ ରଖିଥିଲେ । ପତ୍ନୀର ଶବ ସକ୍ରାର କରି ମେଡିକାଲକୁ ଫେରିବା ପରେ ଡମସିଂ ଝିଅକୁ ନପାଇ ପୁଲିସରେ ଅଭିଯୋଗ କରିଥିଲେ । ଏ ନେଇ ଟାଉନ ଥାନାରେ ୪୨/୨୧ରେ ଏକ ମାମଲା ରୁଜୁ କରାଯାଇଥିଲା । ପୁଲିସ ତଦନ୍ତ ଆରମ୍ଭ କରିଥିଲା । ମେଡିକାଲ୍ ସିସିଟିଭ ଯାଞ୍ଚ କରାଯାଇ ଆଇଆଇସି ଧୀରେନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ବୋରିଗୁମ୍ମା ବ୍ଲକ ବିସିଂପୁର ଥାନା ମୁଣ୍ଡାଗୁଡ଼ା, କଦଳୀଗୁଡ଼ା ଓ ଫୁପୁଗାଁରେ ଚଢ଼ଉ କରାଯାଇ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ଶିଶୁ କନ୍ୟାକୁ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀଙ୍କୁ ପୁଲିସ ହସ୍ତାନ୍ତର କରିଥିଲା । ପୁଲିସ ଉପସ୍ଥିତିରେ ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଡମସିଂ ଗୌଡ଼ଙ୍କୁ ତାଙ୍କ ଶିଶୁକନ୍ୟାକୁ ଆଜି ହସ୍ତାନ୍ତର କରିଛନ୍ତି । ଏହା ପଛରେ ଆଉ କାହାର ହାତ ଅଛି ନା ନାହିଁ, ତାହାର ତଦନ୍ତ ଚାଲିଥିବା ଏସ୍ଡିପିଓ ଶ୍ରୀ ମଲ୍ଲିକ କହିଛନ୍ତି ।


Comments are closed, but trackbacks and pingbacks are open.