ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଞ୍ଚଲ୍ୟ । ୩ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ପ୍ରସୂତି । ଡେଇଁବା ଆଗରୁ ତାଙ୍କ ହାତରୁ ଛଡ଼ାଇ ନିଆଯାଇଛି ୬ ଦିନର ଶିଶୁପୁତ୍ରକୁ । କିନ୍ତୁ ପ୍ରସୂତିଙ୍କୁ ବଞ୍ଚାଇବା ସମ୍ଭବପର ହେଲାନି ବୋଲି କହିଛନ୍ତି ସଂପର୍କୀୟ । ଏହି ଘଟଣା ଆଜି ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ମୃତ ମହିଳାଙ୍କ ନାଁ ଜେମା ଭତ୍ରା । ତେବେ କେଉଁ କାରଣରୁ ସେ ଏଭଳି ପଦକ୍ଷେପ ନେଲେ, ତାହା ସ୍ପଷ୍ଟ ହୋଇନି । ପୁଲିସ୍ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ଡାବୁଗାଁ ବ୍ଲକ ଡଙ୍ଗରା ଗାଁର ଜେମାଙ୍କୁ ୬ ଦିନ ତଳେ ଅର୍ଥାତ୍ ଗତ ୩୧ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମା’ ଓ ଶିଶୁଯନôଗୃହରେ ଭର୍ତ୍ତି କରାଯାଇଥିଲା । ପ୍ରସବ ବେଦନା ଆରମ୍ଭ ହେବା ପରେ ଜେମାଙ୍କୁ ସାଙ୍ଗରେ ଧରି ମେଡିକାଲ୍ରେ ପହଞ୍ଚିଥିଲେ ତାଙ୍କ ସ୍ୱାମୀ ଧରମ ଭତ୍ରା ଓ ଖୁଡୀଶାଶୂ ଦୂତି ଭତ୍ରା । ସେହିଦିନ ହିଁ ଅସ୍ତେ୍ରାପଚାର କରାଯାଇଥିଲା ଏବଂ ଜେମା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ କ’ଣ ହେଲା କେଜାଣି ହଠାତ୍ ଶିଶୁପୁତ୍ରକୁ ଧରି ୩ ମହଲା କୋଠାରୁ ଡେଇଁବାକୁ ବାହାରିଥିଲେ ଜେମା । ଏହି ସମୟରେ କୁଆଡେ ସେଠାରେ ପହଞ୍ଚିଥିଲେ ଦୂତି । ଶିଶୁଟିକୁ ଜେମାଙ୍କ ହାତରୁ ଟାଣି ନେଇଥିଲେ । ତାଙ୍କ ଆଖି ଆଗରେ ୩ ମହଲା କୋଠାରୁ ତଳକୁ ଡେଇଁ ଦେଇଥିଲେ ଜେମା ।
ସଂଗେ ସଂଗେ ସ୍ୱାସ୍ଥ୍ୟ କର୍ମଚାରୀମାନେ ପହଞ୍ଚିଥିଲେ ଘଟଣାସ୍ଥଳରେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜେମାଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ଅଳ୍ପ ସମୟ ମଧ୍ୟରେ ଆଖି ବୁଜିଦେଇଥିଲେ ଜେମା । ଏ ସଂପର୍କରେ ସ୍ୱାମୀ ଧରମ, ଦିଅର ଶ୍ୟାମଘନ ଏବଂ ଖୁଡୀଶାଶୂ କହିଛନ୍ତି, ଆଗରୁ କେବେହେଲେ ଜେମାଙ୍କ ମାନସିକ ବିକୃତି ନଥିଲା କିମ୍ବା ସେମାନେ କୌଣସି ଅସ୍ୱାଭାବିକ ଆଚରଣ ଦେଖିବାକୁ ପାଇନଥିଲେ । ଖବର ପାଇ ପହଞ୍ଚିଥିଲା ଟାଉନ୍ ପୁଲିସ୍ । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସନ୍ଧ୍ୟା ହୋଇଯିବାରୁ ବୁଧବାର ଶବ ବ୍ୟବଚ୍ଛେଦ କରାଯିବ । ଥାନା ଆଇଆଇସି ତାରିକ୍ ଅହମ୍ମଦ କହିଛନ୍ତି ଯେ, ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ ହୋଇଛି । ଉଭୟ ପରିବାର ଏବଂ ଗାଁ ଲୋକଙ୍କୁ ପଚରାଉଚରା କରାଯିବ । ତା ସହିତ ଡାକ୍ତରଙ୍କ ପରାମର୍ଶ ନିଆଯାଇ ତଦନ୍ତ ପ୍ରକ୍ରିୟାକୁ ଆଗକୁ ନିଆଯିବ । ଅନ୍ୟପକ୍ଷରେ ସିଡିଏମଓ ଡାକ୍ତର ସୁଶାନ୍ତ କୁମାର ସ୍ୱାଇଁ କହିଛନ୍ତି, ଘଟଣାର ବିଭାଗୀୟ ତଦନ୍ତ କରାଯିବ । ତା ସହିତ ଶବ ବ୍ୟବଚ୍ଛେଦ ପରେ ମୃତୁ୍ୟର କାରଣ ସ୍ପଷ୍ଟ ହେବ ।


Comments are closed, but trackbacks and pingbacks are open.