ମେଧାବୀ ଆଦିବାସୀ କଲେଜ ଛାତ୍ରଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ବଡ଼ସାହି, (ବି.ବି.ନ୍ୟୁଜ୍): ଚାଷରୁ ଯାହା ଆୟ କରୁଥିଲେ, ସେଥିରୁ ପତିପତ୍ନୀ ଖୁବ୍କମ୍ରେ ଚଳିଯାଉଥିଲେ । କିନ୍ତୁ ଏକମାତ୍ର ପୁଆର ଉଚ୍ଚଶିକ୍ଷା ଲାଗି ଅର୍ଥ ଯୋଗାଇବାରେ କେବେବି ହେଳା କରୁନଥିଲେ । ପୁଅ ଭଲ ପାଠପଢ଼ୁଥିବାରୁ ଖୁବ୍ ଗର୍ବ ଅନୁଭବ କରୁଥିଲେ ବାପାମା’ । ପୁଅକୁ ନେଇ କେତେ ସ୍ୱପ୍ନ ବୁଣୁଥିଲେ ଅପାଠୁଆ ଆଦିବାସୀ ଦମ୍ପତି । କିନ୍ତୁ ବର୍ଷ ବର୍ଷର ପରିଶ୍ରମ, ସ୍ୱପ୍ନ, ଉଦ୍ୟମ ସବୁକିଛି ପାଣିରେ ବୁଦ୍ବୁଦ୍ ପରି ହଠାତ୍ ମିଳେଇଗଲା ଆଜି ସକାଳେ । ଯେତେବେଳେ ପାଠୁଆ ପୁଅର ମୃତ ଶରୀର କୋଠରୀ ଭିତରେ ଫାଶୀରେ ଝୁଲୁଥିବାର ଦେଖିବାକୁ ପାଇଲେ । ବଡସାହି ବ୍ଲକ ଅନ୍ତର୍ଗତ ସୁହାଗପୁର ପଞ୍ଚାୟତର କଉଡିଖଣି ଗ୍ରାମରେ ଏହି ହୃଦୟବିଦାରକ ଘଟଣା ଘଟିଛି । ଗ୍ରାମର ବାଇଧର ହାଁସଦାଙ୍କ ପୁଅ ରାମେଶ୍ୱରମ୍ ଗତକାଲି ବିଳମ୍ବିତ ରାତିରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ତାଙ୍କ ମୃତ ଶରୀର ଘରୁ ଉଦ୍ଧାର କରାଯାଇଛି । ସେ କଟକସ୍ଥିତ ଖ୍ୟାତିସମ୍ପନ୍ନ ରେଭେନ୍ସା ବିଶ୍ୱବିଦ୍ୟାଦଳୟରେ ଭୂତତ୍ୱ(ଜିଓଲୋଜି) ବିଷୟରେ ଶେଷ ବର୍ଷ ସ୍ନାତକୋତ୍ତର ଛାତ୍ର ଥିଲେ । ୨୯ତାରିଖରେ କଟକରୁ ଘରକୁ ଫେରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅତ୍ମହତ୍ୟାର କାରଣ ଖୋଜିବା ଆରମ୍ଭ କରିଛି ।
ଚାଷୀ ବାଇଧର ହାଁସଦାଃଙ୍କ ପତ୍ନୀ, ଦୁଇ ଝିଅ ଏବଂ ଏକମାତ୍ର ପୁଅ ରାମେଶ୍ୱରମ୍ (୨୨) ଙ୍କୁ ନେଇ ସଂସାର । ଦୁଇ ଝିଅଙ୍କୁ ବିବାହ ଦେଇସାରିଛନ୍ତି । ରାମେଶ୍ୱରମ୍ ଭଲ ପାଠ ପଢ଼ୁଥିବାରୁ, ବହୁ ଆଶା ବାନ୍ଧି ଚାଷରୁ ଯାହା ରୋଜଗାର କରୁଥିଲେ ସେଥିରେ ପାଠ ପଢାଉଥିଲେ । ପୁଅ ରାମେଶ୍ୱରମ୍ ମଧ୍ୟ ବାପାମା’ଙ୍କ ଇଚ୍ଛାକୁ ପୂରଣ କରିଚାଲିଥିଲେ । ପାଠପଢ଼ାରେ ସମସ୍ତ ସୋପାନରେ ଭଲ ନମ୍ବର ସହ ପ୍ରଥମ ଶ୍ରେଣୀରେ କୃତିତ୍ୱ ଅର୍ଜନ କରି ଉତ୍ତୀର୍ଣ୍ଣ ହେଉଥିଲେ । ଜଣେ ମେଧାବୀ ଅତିଶାନ୍ତ ଶିଷ୍ଠ ଛାତ୍ର ଭାବେ ଗାଁରେ ତାଙ୍କର ନାଁ ଥିଲା । ଏବେ କଟକରେ ଜଣେ ସାଙ୍ଗ ସହ ଘରଭଡ଼ା ନେଇ ରହିବା ସହ ରେଭେନ୍ସାରେ ପଢ଼ୁଥିଲେ । ତେବେ ସେ ୨୯ତାରିଖ ଦିନ କଟକରୁ ଟ୍ରେନ୍ ଯୋଗେ ବାଲେଶ୍ୱର ଆସି ସେଠାରୁ ବସ୍ଯୋଗେ ଗାଁକୁ ଫେରିଥିଲେ । ଘରେ ପହଞ୍ଚି ୩୦ତାରିଖ ରାତିରେ ପରିବାର ସହ ରାତ୍ର ଭୋଜନ କରି ଶୋଇବା ପାଇଁ ନିଜ କୋଠରୀକୁ ଯାଇଥିଲେ । ୩୧ତାରିଖରେ ପୁଣି କଟକ ଫେରିବାକୁ ଥିବାରୁ ମା’ବାପା କେତେ ପଇସା ନେଇ ଯିବୁ ବୋଲି ପୁଅଠାରୁ ବୁଝିବା ସହ ବାହାର ପିଣ୍ଡାରେ ଶୋଇପଡ଼ିଥିଲେ ।
ମାତ୍ର ସକାଳ ବେଳକୁ ସବୁକିଛି ଓଲଟପାଲଟ ହୋଇସାରିଥିଲା । ଶୋଇବା ଘରେ ରାମେଶ୍ୱରମ୍ ଦଉଡ଼ିରେ ଫାଶୀ ଦେଇ ଝୁଲିରହିଥିବାର ବାପା,ମା ଦେଖିବାକୁ ପାଇଥିଲେ । ପୁଅକୁ ଏଅବସ୍ଥାରେ ଦେଖି ବାଇଧର ସିଧା ବଡସାହି ଥାନାକୁ ଦଉଡ଼ିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ରାମେଶ୍ୱରମ୍ଙ୍କର ମୃତଶରୀର ଉଦ୍ଧାର କରିଥିଲା । ଏନେଇ କେସ୍ ନଂ ୩୪/୧୯ ରେ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଜଣେ ମେଧାବୀ ଛାତ୍ରର ଏଭଳି ଅପମୃତ୍ୟୁକୁ ନେଇ ଅଂଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ରାମେଶ୍ୱରମ୍ କୌଣସି ସୁଇସାଇଡ୍ ନୋଟ୍ ଛାଡ଼ିଯାଇନାହାନ୍ତି । ତେବେ ପୁଲିସ ତାଙ୍କର ମୋବାଇଲ୍ ଜବତ କରିଛି । ଜବତ ବେଳେ ମୋବାଇଲ୍ ସୁଇଚ୍ଡ଼ ଅଫ ଥିଲା । ସେ ମୋବାଇଲ୍ରୁ ସବୁ ନମ୍ବର ଲିଭାଇ ଦେଇଥିବା (ଡିଲିଟ୍) ଦେଖିବାକୁ ମିଳିଛି । ତେବେ ଘରେ କୌଣସି ପ୍ରକାର ସମସ୍ୟା ସୃଷ୍ଟି ହୋଇନଥିବାବେଳେ ପୁଅ କାହିଁକି ଆତ୍ମହତ୍ୟା କଲା ବୋଲି ପରିବାର ଲୋକଙ୍କ ମନକୁ ପ୍ରଶ୍ନ ଘାରିଛି । ଛାତ୍ରଜଣକ ହୁଏତ ପ୍ରେମଜନିତ କାରଣକୁ ନେଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons