ମେ’ ପ୍ରଥମ ସପ୍ତାହରୁ ରବି ମଣ୍ଡି

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଜିଲ୍ଲାରେ ମେ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ରବି ମଣ୍ଡି । ମୋଟ ୭୧ଟି ମଣ୍ଡିରେ ଧାନ କିଣାଯିବ । ସେ ଭିତରେ ରହିଛି କୋରାପୁଟ ଉପଖଣ୍ଡରେ ୧୩ଟି ଏବଂଜୟପୁର ଉପଖଣ୍ଡରେ ୫୮ଟି । ଆଜି ଏଠାରେ ବସିଥିବା ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତିି ନିଆଯାଇଛି ।
ସ୍ଥାନୀୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ରବି ମଣ୍ଡିରେ ଚାଷୀମାନେ କିଭଳି ସେମାନଙ୍କ ଉତ୍ପାଦିତ ଧାନକୁ ଠିକ୍ରେ ବିକିପାରିବେ, ସେ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଯୋଗଦେଇ ଜିଲ୍ଲା କୃଷକ କଲ୍ୟାଣ ମଞ୍ଚ ନେତା ନରେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ଚାଷୀମାନେ ସେମାନଙ୍କ ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେମାନେ କହିଥିଲେ, ଜିଲ୍ଲାର ପ୍ରତ୍ୟେକ ମଣ୍ଡିର ଧାନକ୍ରୟ କ୍ଷମତା ୫ହଜାର କୁଇଣ୍ଟାଲ କରାଯାଉ । ସପ୍ତାହକୁ ୩ ଦିନ ମଣ୍ଡି ଖୋଲାଯାଉ । ପଞ୍ଜୀକରଣ କରିଥିବା ଚାଷୀଙ୍କୁ ଆଗୁଆ ଟୋକନ ସହ ଏକର ପିଛା ୨୫ କୁଇଣ୍ଟାଲ ଧାନ କିଣାଯାଉ । ସ୍ୱଚ୍ଛତା ପାଇଁ ଜିଲ୍ଲା ବାହାର ମିଲରଙ୍କୁ ପ୍ରାଥମିକତା ଦିଆଯାଉ । କିନ୍ତୁ ବାହାର ମିଲର୍ଙ୍କ ଏଜେଣ୍ଟ ସାଜି ଚାଷୀଙ୍କୁ ହଇରାଣ ଓ ଶୋଷଣ କରୁଥିବା ଦଲାଲି ପ୍ରଥା ବନ୍ଦ କରାଯିବା ଏକାନ୍ତ ଜରୁରୀ । ଜଳସେଚିତ ଅଞ୍ଚଳର ଡଙ୍ଗର-୧,୨ ଓ ୩ କିସମର ଧାନ ଚାଷଜମି ପଞ୍ଜୀକରଣ ପାଇଁ ବ୍ୟବସ୍ଥା କରାଯାଉ ବୋଲି ଚାଷୀ ନେତାମାନେ ଦାବି କରିଥିଲେ ।
ଜିଲ୍ଲାରେ ଅଳ୍ପ କେତେକ ମଣ୍ଡିକୁ ଛାଡ଼ିଦେଲେ ଅଧିକାଂଶ ମଣ୍ଡିର ଭିତ୍ତିଭୂମି ନଥିବାରୁ ଏହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାରେ ଗତବର୍ଷ ରବିରେ ୬୯ଟି ମଣ୍ଡି ଖୋଲିଥିଲା । ଚଳିତବର୍ଷ ଆଉ ୨ଟି ଅଧିକ ମଣ୍ଡିର ବ୍ୟବସ୍ଥା କରାଯାଇଛି । ବୋରିଗୁମ୍ମା ବ୍ଲକ କାମରା ପଞ୍ଚାୟତର ଚାଲାଣଗୁଡ଼ା ଓ କୁନ୍ଦୁରା ବ୍ଲକ ଅନ୍ତର୍ଗତ ପୁପୁଗାଁରେ ନୂଆ ମଣ୍ଡି ହେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ଆଜି ସୁଧା ୧୩ ହଜାରରୁ ଅଧିକ ଚାଷୀ ମଣ୍ଡିରେ ଧାନବିକ୍ରି ଲାଗି ପଞ୍ଜୀକରଣ କରିଛନ୍ତି । ପଞ୍ଜୀକରଣ କରିଥିବା ଚାଷୀଙ୍କ କାଗଜପତ୍ର ଯାଞ୍ଚ କରାଯିବ । ନକଲି ଚାଷୀଙ୍କୁ ବାଦ୍ ଦିଆଯାଇ ମେ ପ୍ରଥମ ସପ୍ତାହରୁ ମଣ୍ଡିରେ ଧାନ କିଣାଯିବ ବୋଲି କହିଛନ୍ତି ଯୋଗାଣ ଅଧିକାରୀ ରବି ନାରାୟଣ ନନ୍ଦ । ବୈଠକରେ ଜିଲ୍ଲାପାଳଙ୍କ ସହିତ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ, ଡିଆରସିଏସ ସି.ଏଚ୍ ଭବାନୀ ପ୍ରସାଦ, ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସୟ, କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର, ଜୟପୁର ବିଧାୟକ ପ୍ରତିନିଧି ଭଗବାନ ବାହିନୀପତି, କୋରାପୁଟ ଏସ୍ଡିପିଓ ଗୁଣନିଧି ମଲ୍ଲିକ ପ୍ରମୁଖଙ୍କ ସହିତ ମାର୍କେଟିଂ ଇନ୍ସପେକ୍ଟର ଏବଂ ଜିଲ୍ଲାର କୃଷକ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons