ମୋଦିଙ୍କ ର୍ୟାଲିରେ ଯୋଗ ଦେବାକୁ ଟ୍ରମ୍ପଙ୍କ ସମ୍ମତି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଚଳିତ ମାସ ୨୨ ତାରିଖରେ ଆମେରିକାର ହଷ୍ଟନ ସହରରେ ଆୟୋଜିତ ହେବାକୁ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବିଶାଳ ର୍ୟାଲିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବି ଯୋଗ ଦେବେ । ଗତ କିଛି ଦିନ ଧରି ଏହା ଉପରେ ଚର୍ଚ୍ଚା ହେଉଥିଲାବେଳେ ରବିବାର ପ୍ରମେୟରେ ଏନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏବେ ହ୍ୱାଇଟହାଉସ ଏନେଇ ଆନୁÂାନିକ ଭାବେ ଘୋଷଣା କରିବା ପରେ ଏହାର ଗୁରୁତ୍ୱ ବଢ଼ିଯାଇଛି ।
ହ୍ୱାଇଟହାଉସ କହିଛି ଯେ ପ୍ୟାରିସରେ ଜି-୭ ବୈଠକରେ ଯୋଗ ଦେବା ସମୟରେ ମୋଦି ଟ୍ରମ୍ପଙ୍କୁ ଉକ୍ତ ର୍ୟାଲିରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ । ଟ୍ରମ୍ପ ତାହାକୁ ତତ୍କ୍ଷଣାତ ସ୍ୱୀକାର କରିନେଇଥିଲେ । ‘ ହାଓଦି,ମୋଦି! ‘ ସେୟାରଡ ଡ୍ରିମସ, ବ୍ରାଇଟ ଫୁ୍ୟଚରସ’ ନାମକ ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଯୋଗ ଦେବେ । ଭାରତ ଓ ଆମେରିକାର ଜନତାଙ୍କ ମଧ୍ୟରେ ନିବିଡ଼ ସମ୍ପର୍କକୁ ଦର୍ଶାଇବା ପାଇଁ ଏହା ଏକ ଭଲ ମାଧ୍ୟମ ହେବ । ତା’ଛଡା ବିଶ୍ୱର ସବୁଠାରୁ ପୁରାତନ ଏବଂ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରଦ୍ୱୟ ମଧ୍ୟରେ ମଜଭୁତ ହେଉଥିବା ସାମରିକ ଭାଗିଦାରୀକୁ ଆଗକୁ ନେବା ପାଇଁ ଏହା ଉପଯୁକ୍ତ ପରିବେଶ ସୃଷ୍ଟି କରିବ । ଆହୁରି ମଧ୍ୟ, ଦୁଇ ଦେଶ ମଧ୍ୟରେ ଶକ୍ତି ଏବଂ ବାଣିଜ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ଏହା ସୁଯୋଗ ସୃଷ୍ଟି କରିବ ।
ଟ୍ରମ୍ପ ମୋଦିଙ୍କ ର୍ୟାଲିରେ ଯୋଗଦେବାକୁ ସମ୍ମତି ଦେବା ଦୁଇ ଦେଶର ସମ୍ପର୍କରେ ଏକ ମାଇଲଖୁଣ୍ଟ ହେବ ବୋଲି ମନେ କରାଯାଉଛି । କାରଣ ପ୍ରଥମ ଥର ପାଇଁ ଏପରି ଘଟିବାକୁ ଯାଉଛି । ଏହା ଦୁଇ ନେତାଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କକୁ ବି ଦର୍ଶାଉଛି ।
କାହିଁକି ଯୋଗ ଦେବେ ଟ୍ରମ୍ପ
ଉଭୟ ଟ୍ରମ୍ପ ଏବଂ ମୋଦିଙ୍କର ଏହା ପଛରେ ରାଜନୈତିକ ଉଦେ୍ଧଶ୍ୟ ରହିଛି । ଏହି ର୍ୟାଲିରେ ୫୦,୦୦୦ ପ୍ରବାସୀ ଭାରତୀୟ ଯୋଗ ଦେବେ । ଏନଆରଜି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିଲାବେଳେ ଏଠାକାର ସମସ୍ତ ଟିକେଟ ବିକ୍ରି ହୋଇଯାଇଛି । ମୋଦି ପୂର୍ବରୁ ମଧ୍ୟ ଆମେରିକାରେ ଦୁଇତିନି ଥର ର୍ୟାଲି କରିସାରିଛନ୍ତି । କିନ୍ତୁ ହଷ୍ଟନ ର୍ୟାଲି ସବୁଠାରୁ ବିଶାଳ ହେବ । ଆମେରିକାରେ ଏତେ ବିଶାଳ ରାଜନୈତିକ ର୍ୟାଲି ଦେଖିବାକୁ ମିଳେ ନାହିଁ । କେବଳ ଖେଳ ପ୍ରତିଯୋଗିତା ସମୟରେ ଏଭଳି ଜନସମାବେଶ ଦେଖିବାକୁ ମିଳେ । ଏମିତିକି ଟ୍ରମ୍ପ ଓ ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଲୋକପ୍ରିୟତା ଚରମ ଶିଖରରେ ଥିଲାବେଳେ ବି ସେମାନଙ୍କ ର୍ୟାଲିରେ କେବେହେଲେ ଏତେ ଲୋକ ଯୋଗ ଦେଇନାହାନ୍ତି । ତେଣୁ ଏହି ର୍ୟାଲିକୁ ହାତଛଡା କରିବାକୁ ଚାହାନ୍ତି ନାହିଁ ଟ୍ରମ୍ପ ।
ତା’ଛଡା ୨୦୨୦ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି । ତେଣୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଟ୍ରମ୍ପ ଆମେରିକାରେ ପ୍ରବାସୀ ଭାରତୀୟ ଭୋଟରଙ୍କ ସମର୍ଥନ ପାଇବାକୁ ଉଦ୍ୟମ କରିବେ । ହଷ୍ଟନ ମଧ୍ୟ ହେଉଛି ଆମେରିକାର ଶକ୍ତି କେନ୍ଦ୍ର । ଏବେ ଭାରତ ଆମେରିକା ଠାରୁ ଅଧିକ ପରିମାଣରେ ଇନ୍ଧନ ତୈଳ କ୍ରୟ କରୁଥିଲାବେଳେ ମୋଦି ସରକାର ଟ୍ରମ୍ପଙ୍କୁ ଏହାର ପରିମାଣ ବଢ଼ାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଏହାଯୋଗୁ ହଷ୍ଟନ ସହର ଏବଂ ଏହାର ଆଖପାଖର ଲୋକେ ପ୍ରଭାବିତ ହେବେ । ତା’ଛଡା ଟ୍ରମ୍ପଙ୍କୁ ଖୁସି କରିବାକୁ ଭାରତ ଆମେରିକା ସହିତ ଏକ ନୂଆ ବାଣିଜ୍ୟ ଚୁକ୍ତି ବି କରିବ । ଏହି ର୍ୟାଲି ମାଧ୍ୟମରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଭାରତ ସହିତ ଅଛି ବୋଲି ମୋଦି ବିଶ୍ୱ ସମୁଦାୟଙ୍କୁ ଜଣାଇବାକୁ ଚାହାନ୍ତି ।
ସ୍ୱାଗତ କଲେ ମୋଦି
ହଷ୍ଟନ ର୍ୟାଲିରେ ଯୋଗ ଦେବା ପାଇଁ ଟ୍ରମ୍ପ ସମ୍ମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଖୁସି ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୋଗୁ ସେ ଖୁବଆନନ୍ଦିତ । ଭାରତ ଓ ଆମେରିକା ମଧ୍ୟରେ ଖାସ୍ ବନ୍ଧୁତାକୁ ଦର୍ଶାଇବା ପାଇଁ ଏହା ଟ୍ରମ୍ପଙ୍କର ଏକ ସ୍ୱତନ୍ତ୍ର ପଦକ୍ଷେପ । ମୁଁ ପ୍ରବାସୀ ଭାରତୀୟମାନଙ୍କ ସହ ମିଶି ଉକ୍ତ କାର୍ଯ୍ୟକ୍ରମରେ ତାଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସୁକ ଅଛି । ଆମେରିକାର ସମାଜ ଓ ଅର୍ଥନୀତିକୁ ପ୍ରବାସୀ ଭାରତୀୟମାନେ ଯେଉଁ ଅବଦାନ ଦେଉଛନ୍ତି, ଏହା ମଧ୍ୟ ତାହାର ଏକ ସ୍ୱୀକୃତି ଅଟେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons