ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ଟ୍ରିଲିୟନ୍ ଡଲାର ଅର୍ଥନୀତି ସ୍ୱପ୍ନ ପୂରଣ ପାଇଁ ଆଗାମୀ ୫ ବର୍ଷରେ ଭାରତକୁ ବାର୍ଷିକ ୯% ହାରରେ ଅଭିବୃଦ୍ଧି କରିବାକୁ ହେବ । ପୁଞ୍ଜିନିବେଶ ହାରକୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୩୮%କୁ ବଢ଼ାଇବାକୁ ପଡ଼ିବ । ଇଂଲଣ୍ଡର ଏର୍ଣ୍ଣଷ୍ଟ ଆଣ୍ଡ ୟଙ୍ଗ (ଇୱାଇ) ଏକ ରିପୋର୍ଟରେ କହିଛି ।
ସଦ୍ୟତମ ସଂସ୍କରଣ ଇକୋନୋମି ୱାଚ୍ରେ ଇୱାଇ କହିଛି, ୨୦୨୦ ମାର୍ଚ୍ଚରେ ଶେଷ ହେବାକୁ ଥିବା ଆର୍ଥିକ ବର୍ଷରେ ଭାରତ ୭% ହାରରେ ଅଭିବୃଦ୍ଧି କରିବ ବୋଲି ଆକଳନ କରାଯାଉଛି । ଏଥିସହ ଭାରତ ୨୦୧୮-୧୯ର ୨.୭ ଟ୍ରିଲିୟନ୍ ଡଲାର ଅର୍ଥନୀତିରୁ ବଢ଼ି ୩ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବ ।
ତେବେ ୨୦୨୪-୨୫ ସୁଦ୍ଧା ଭାରତକୁ ୫ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବାକୁ ହେଲେ ଆସନ୍ତା ଆର୍ଥିକ ବର୍ଷଠାରୁ ପ୍ରତିବର୍ଷ ୯% ହାରରେ ବିକାଶ କରିବାକୁ ପଡ଼ିବ । ଫଳରେ ୨୦୨୦-୨୧ରେ ଏହା ୩.୩ ଟ୍ରିଲିୟନ୍ ଡଲାର, ୨୦୨୧-୨୨ରେ ୩.୬ ଟ୍ରିଲିୟନ୍ ଡଲାର, ୨୦୨୨-୨୩ରେ ୪.୧ ଟ୍ରିଲିୟନ୍ ଡଲାର, ୨୦୨୩-୨୪ରେ ୪.୫ ଟ୍ରିଲିୟନ୍ ଡଲାର ଓ ୨୦୨୪-୨୫ରେ ୫ ଟ୍ରିଲିୟନ୍ ଡଲାର ଅର୍ଥନୀତି ହୋଇପାରିବ ବୋଲି ଇୱାଇ ନିଜ ରିପୋର୍ଟରେ କହିଛି ।
୨୦୧୮-୧୯ରେ ଭାରତର ମୋଟ ପୁଞ୍ଜିନିବେଶ ହାର ଜିଡିପିର ୩୧.୧% ଥିଲା, ଯାହାକି ୬.୮% ଅଭିବୃଦ୍ଧି ପ୍ରଦାନ କରିବାରେ ସହାୟକ ହୋଇପାରିଥିଲା । କିନ୍ତୁ ବାର୍ଷିକ ୯% ହାରରେ ଅଭିବୃଦ୍ଧି ହାସଲ ପାଇଁ ଭାରତକୁ ସାମଗ୍ରିକ ପୁଞ୍ଜିନିବେଶକୁ ନିଜ ଜିଡିପିର ୩୮%ରେ ପହଞ୍ଚାଇବାକୁ ପଡ଼ିବ ବୋଲି ଇୱାଇ କହିଛି ।
Comments are closed, but trackbacks and pingbacks are open.