ମୋଦି ସରକାରଙ୍କ ସାହସିକ ନିଷ୍ପତ୍ତି:ଧାରା ୩୭୦ ଉଚ୍ଛେଦ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ଯେଉଁ ଆକଳନ ଓ କଳ୍ପନାଜଳ୍ପନା କରାଯାଉଥିଲା, ତାହା ସତ ହୋଇଛି । ନରେନ୍ଦ୍ର ମୋଦି ସରକାର ସୋମବାର ନିଜର ଐତିହାସିକ ତଥା ଅଭୂତପୂର୍ବ ନିଷ୍ପତ୍ତି ସ୍ୱରୂପ ଧାରା ୩୭୦, ୩୫(କ)କୁ ହଟାଇ ଦେଇଛନ୍ତି । ଜମ୍ମୁ-କଶ୍ମୀର ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ, ସମ୍ବେଦନଶୀଳ ତଥା ଆବେଗିକ ଧାରା ବିବେଚିତ ହେଉଥିଲା । ଏହାକୁ ହଟାଇବା ଏତେ ସହଜ ନଥିଲା । କିନ୍ତୁ ମୋଦି ସରକାର ଦେଶବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରି ଶେଷରେ ଏହାକୁ ବାସ୍ତବର ରୂପ ଦେଇଛନ୍ତି । ସରକାରଙ୍କ ଏଭଳି ଐତିହାସିକ ନିଷ୍ପତ୍ତି ପରେ ଦେଶସାରା ଆଜି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଦେଶର ଅଧିକାଂଶ ସ୍ଥାନରେ ଆଜି ଲୋକମାନେ ତ୍ରିରଙ୍ଗା ପତାକା ପ୍ରଦର୍ଶନ କରି ଜାତୀୟତାବାଦର ସ୍ଲୋଗାନ୍ ଦେଉଛନ୍ତି । ଜମ୍ମୁ-କାଶ୍ମୀର ଆଜି ପ୍ରକୃତ ସ୍ୱାଧୀନତା ପାଇଛି । ଏହାଦ୍ୱାରା ଦେଶର ଏକତା ଓ ଅଖଣ୍ଡତା ଆଜି ଆହୁରି ଶକ୍ତିଶାଳୀ ହୋଇଛି ବୋଲି କୁହାଯାଉଛି ।
ଧାରା ୩୭୦କୁ ଉଚ୍ଛେଦ କରାଯିବା ଦ୍ୱାରା ଜମ୍ମୁ-କାଶ୍ମୀର ଆଉ ସ୍ୱତନ୍ତ୍ର ରାଜ୍ୟ ଭାବେ ବିବେଚିତ ହେବ ନାହିଁ । ଏହା କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷିତ ହୋଇଛି । ଦିଲ୍ଲୀ ଓ ପୁଡୁଚେରି ଭଳି ଏଠାରେ ସରକାର ଚାଲିବ । ବିଧାନସଭା ରହିବ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଜମ୍ମୁ-କାଶ୍ମୀରଠାରୁ ଲଦାଖକୁ ପୃଥକ୍ କରାଯାଇଛି । ଏହାକୁ ମଧ୍ୟ କେନ୍ଦ୍ରଶାସିତ ଅଞ୍ଚଳ ବିବେଚନା କରାଯିବ । କିନ୍ତୁ ଏଠାରେ ବିଧାନସଭା ରହିବ ନାହିଁ ।
ଧାରା ୩୭୦ ଉଚ୍ଛେଦ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଆଜି ରାଜ୍ୟସଭାରେ ସଂକଳ୍ପନାମା ଆଗତ କରିଥିଲେ । ଶାହ କହିଥିଲେ, ଧାରା ୩୭୦(୩) ଅନୁସାରେ ଧାରା ୩୭୦କୁ ହଟାଇବା ପାଇଁ ଦେଶର ରାଷ୍ଟ୍ରପତିଙ୍କର ଅଧିକାର ରହିଛି । ସେହି ଦୃଷ୍ଟିରୁ ଆଜି ରାଷ୍ଟ୍ରପତି ଏକ ନୋଟିଫିକେସନ୍ ଜାରି କରିଛନ୍ତି । ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି ରହିଥିବାରୁ ରାଜ୍ୟ ବିଧାନସଭାର ସମସ୍ତ କ୍ଷମତା ସଂସଦରେ ନିହିତ ରହିଛି । ରାଷ୍ଟ୍ରପତିଙ୍କ ଏହି ନୋଟିଫିକେସନ୍କୁ ଆମେ ବହୁମତ ଦ୍ୱାରା ପାରିତ କରିପାରିବୁ । ଧାରା ୩୭୦ରେ ରହିଥିବା ୩୭୦ (୧)କୁ ବାଦ୍ ଦେଲେ ବାକି ସମସ୍ତ ଉପଧାରା ନିଷ୍କ୍ରିୟ ହୋଇଯିବ ବୋଲି ସେ ସ୍ପଷ୍ଟ କରିଥିଲେ । ଏହା ମଧ୍ୟରେ ଥିବା ୩୫(କ) ମଧ୍ୟ ଅକାମୀ ହୋଇଯିବ ।
ଏହି ପରିପ୍ରେକ୍ଷୀରେ ଶାହ ଜମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଗ କରିବା ବାବଦରେ ଏକ ବିଲ୍ ଆଗତ କରିଥିଲେ । ‘ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍’ ଆଗତ କରି ଶାହ କହିଲେ, ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହେବ । କିନ୍ତୁ ଏହାର କୌଣସି ବିଧାନସଭା ରହିବ ନାହିଁ । କିନ୍ତୁ ଦିଲ୍ଲୀ ଓ ପୁଡୁଚେରି ଭଳି ଜମ୍ମୁ-କାଶ୍ମୀରରେ ବିଧାନସଭା ରହିବ । ଶାହଙ୍କ କହିବାନୁଯାୟୀ, ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯାଉ ବୋଲି ଏହାର ବାସିନ୍ଦା ଦୀର୍ଘଦିନ ହେଲା ଦାବି କରିଆସୁଥିଲେ । କିନ୍ତୁ ରାଜନୈତିକ ଫାଇଦା ପାଇଁ ଏଭଳି କରାଯାଇ ନ ଥିଲା । ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ଦ୍ୱାରା ଏଠାକାର ଲୋକମାନେ ବିକାଶର ମୁଖ୍ୟଧାରାରେ ସାମିଲ ହୋଇପାରିବେ ।
ଏଭଳି ଐତିହାସିକ ପଦକ୍ଷେପ ସପକ୍ଷରେ ଯୁକ୍ତି ବାଢ଼ି ଶାହ କହିଛନ୍ତି, ଦେଶରେ ପ୍ରଥମ ଥର ପାଇଁ ଏଭଳି ନିୟମ ପାଳନ କରାଯାଉ ନାହିଁ । ପୂର୍ବରୁ ମଧ୍ୟ ଅନେକ ବାର ଏଭଳି ଉପାୟ ଅବଲମ୍ବନ କରାଯାଇଛି । କଂଗ୍ରେସ ୧୯୫୨ ଏବଂ ୧୯୬୨ରେ ଏହି ଉପାୟରେ ଧାରା ୩୭୦କୁ ପରିବର୍ତ୍ତନ କରିଥିଲା । ଆମେ ଏବେ ସେହି ରାସ୍ତାରେ ଯିବାକୁ ଚେଷ୍ଟା କରୁଛୁ ।
ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଏହି ଐତିହାସିକ ଘୋଷଣା କରିବା ପରେ କଂଗ୍ରେସ, ଟିଏମ୍ସି ଏବଂ ଡିଏମ୍କେ ଗୃହ ମଧ୍ୟଭାଗରେ ଚଟାଣ ଉପରେ ବସିପଡ଼ିଥିଲେ । ସେମାନେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏମିତି କି ଏହାକୁ ସେମାନେ କଳା ଦିବସ ବୋଲି ବିବେଚନା କରିଥିଲେ । ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ଜଣେ ସଦସ୍ୟ ନିଜ ପୋଷାକ ଚିରି ପକାଇଥିଲେ । ଦଳର ଦୁଇଜଣ ସାଂସଦ ମିର ଫାୟାଜ ଓ ନଜିର ଅହମ୍ମଦ ସମ୍ବିଧାନର କେତେକ କପିକୁ ଚିରି ପକାଇଥିଲେ । ସମ୍ବିଧାନକୁ ଚିରାଯିବା ପରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ଏହି ପିଡିପି ସାଂସଦଙ୍କୁ ଗୃହ ମଧ୍ୟରୁ ବାହାର କରିଦେଇଥିଲେ । ଏହାପରେ ଦଳର ଅନ୍ୟ ସାଂସଦମାନେ ହୋହଲ୍ଲା କରିଥିଲେ ।
ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ସରକାରଙ୍କ ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଛନ୍ତି । ସେ କହିଛନ୍ତି, ଆଜି ସମଗ୍ରୀ କାଶ୍ମୀର ଉପତ୍ୟକା କର୍ଫ୍ୟୁ କବ୍ଜାରେ ରହିଛି । ରାଜ୍ୟର ପୂର୍ବତନ ୩ ଜଣ ମୁଖ୍ୟମନ୍ତ୍ରୀ ତଥା ରାଜନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି । କେନ୍ଦ୍ର ସରକାର ସମ୍ବିଧାନ ବିରୋଧୀ ପଦକ୍ଷେପ ନେଇ ମନମୁଖି ଭାବେ କାର୍ଯ୍ୟ କରୁଛନ୍ତି । ଜମ୍ମୁ-କାଶ୍ମୀର ଲୋକଙ୍କ ଆବେଗ ସହିତ ଏହି ଧାରା ଯୋଡ଼ି ହୋଇଥିଲା । କିନ୍ତୁ ସେମାନଙ୍କ ଆବେଗ ସହ ଖେଳି କେନ୍ଦ୍ର ସରକାର ଭୋଟ୍ ବ୍ୟାଙ୍କ ଉଦ୍ଦେଶ୍ୟରେ ଏହି କାର୍ଯ୍ୟ କରିଛନ୍ତି ।
ବିରୋଧୀଙ୍କ ସମସ୍ତ ଯୁକ୍ତିର ଜବାବ ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ କହିଥିଲେ, ଧାରା ୩୭୦ ଯୋଗୁ ଭାରତ ସହିତ କାଶ୍ମୀର ଯୋଡ଼ି ହୋଇ ରହିଛି ବୋଲି ଭ୍ରାନ୍ତ ଧାରଣା ରହିଛି । କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା । ତେଣୁ ଧାରା ୩୭୦ର କୌଣସି ଆବଶ୍ୟକତା ନଥିଲା । ଏହି ଧାରା ଦ୍ୱାରା ଜମ୍ମୁ-କାଶ୍ମୀରରେ ବାସ କରୁଥିବା ଲୋକମାନେ ନିଜକୁ ପୃଥକ୍ ବୋଲି ଭାବୁଥିଲେ । ତାଙ୍କ କହିବାନୁଯାୟୀ ଭୋଟ୍ ବ୍ୟାଙ୍କ ଯୋଗୁ ବିଗତ ଦିନଗୁଡ଼ିକରେ ଜମ୍ମୁ-କାଶ୍ମୀର ମାମଲାରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଉ ନଥିଲା । କିନ୍ତୁ ଆମ ନିକଟରେ ପ୍ରବଳ ଇଚ୍ଛାଶକ୍ତି ରହିଛି । ସେଥିପାଇଁ ଆମେ ଭୋଟ୍ ବ୍ୟାଙ୍କକୁ ଖାତିର ନ କରି ଆଗକୁ ସର୍ବଦା ବଢ଼ିବାକୁ ଉଦ୍ୟମ କରୁଛୁ । ଏହି ଧାରା ଉଠିବା ଦ୍ୱାରା ଜମ୍ମୁ-କାଶ୍ମୀରରେ ରକ୍ତପାତର ଅବସାନ ଘଟିବ । ଜମ୍ମୁ-କାଶ୍ମୀରରେ ସ୍ଥିତି ସ୍ୱାଭାବିକ ହେବା ପରେ ଆବଶ୍ୟକ ପଡିଲେ ପୁଣି ଏହାକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିପାରିବ ବୋଲି ଶାହ କହିଥିଲେ ।
ରାଜ୍ୟସଭାରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ସମ୍ବିଧାନ (ଜମ୍ମୁ ଓ କାଶ୍ମୀର ପାଇଁ ପ୍ରଯୁଜ୍ୟ) ଆଦେଶ, ୨୦୧୯ ଆଗତ କରିବା ପରେ ଏହା ଉପରେ ଜୋରଦାର ବିତର୍କ କରାଯାଇଥିଲା । ଶେଷରେ ଧାରା ୩୭୦ ଉଚ୍ଛେଦ ସଙ୍କଳ୍ପନାମା, ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍, ଜମ୍ମୁ-କାଶ୍ମୀର ସଂରକ୍ଷଣ (ସଂଶୋଧନ ବିଲ୍) ବିଲ୍ ଉପରେ ଭୋଟିଂ କରାଯିବା ପରେ ତାହା ଗୃହୀତ ହୋଇଛି । ବିଜେଡି, ୱାଇଏସ୍ଆର କଂଗ୍ରେସ ପାର୍ଟି, ବହୁଜନ ସମାଜ ପାର୍ଟି, ଶିବସେନା, ଏଆଇଏଡିଏମ୍କେ, ଟିଡିପି, ଆଇଏନ୍ଏଲ୍ଡି ଓ ଆପ୍ ଭଳି ଦଳ ଏହାକୁ ସମର୍ଥନ କରିଥିଲେ । କିନ୍ତୁ ଜେଡିୟୁ ବିତର୍କରେ ଭାଗ ନେଇ ନଥିଲା । ମଙ୍ଗଳବାର ଲୋକସଭାରେ ଏହା ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉପରେ ନିଆଯାଇଥିଲା ନିଷ୍ପତ୍ତି ପ୍ରସଙ୍ଗରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ । ଏହା ଉପରେ ଆସନ୍ତା ୭ ତାରିଖ (ବୁଧବାର) ସେ ସର୍ବଦଳୀୟ ବୈଠକ ଡାକିବେ ବୋଲି ସୂଚନା ମିଳିଛି । ଏଥିସହିତ ସେ ବୁଧବାର ଏହି ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।
ଉଲ୍ଲେଖଯୋଗ୍ୟ, ଧାରା ୩୭୦କୁ ହଟାଇବା ବାବଦରେ କେନ୍ଦ୍ର କ୍ୟାବିନେଟ୍ ସୋମବାର ସକାଳ ପାଖାପାଖି ୯ଟା ୩୦ରେ ନିଷ୍ପତ୍ତି ଗ୍ରହଣ କରିବା ପରେ ଏହାକୁ ନେଇ ଦେଶବ୍ୟାପୀ ଚହଳ ପଡ଼ିଥିଲା । ଦିନତମାମ ଏହା ଉପରେ ଚର୍ଚ୍ଚା ଜୋରଦାର ଚାଲିଥିଲା । ଜମ୍ମୁ-କାଶ୍ମୀରରେ ସୁରକ୍ଷା ସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ସରକାର ୮,୦୦୦ ସିଆରପିଏଫ୍ ଯବାନ ପଠାଇଥିଲେ । ସି-୧୭ ପରିବହନ ବିମାନରେ ଯବାନମାନଙ୍କୁ ଶ୍ରୀନଗରକୁ ଏୟାର ଲିଫ୍ଟ କରାଯାଇଥିଲା । ପୂର୍ବରୁ ୩୮,୦୦୦ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ପଠାଯାଇଥିଲା । ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲ ଜମ୍ମୁ-କାଶ୍ମୀର ଉପରେ କଡା ନଜର ରଖିଛନ୍ତି । ଏପରିକି ସେ ଜମ୍ମୁ-କାଶ୍ମୀର ଗସ୍ତରେ ଯିବେ ବୋଲି ସୂଚନା ମିଳିଛି । ଆଜି ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ରାଜସ୍ଥାନର ଜୈସାଲେମର ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଏହାକୁ ଶେଷରେ ବାତିଲ କରାଯାଇଥିଲା । ଅନ୍ୟପକ୍ଷରେ ଉତ୍ତର ଭାଗରେ ସମ୍ଭାବ୍ୟ ପ୍ରତିକୂଳ ସ୍ଥିତିକୁ ଦୃଷ୍ଟିରେ ରଖି ବାୟୁସେନା ସଜାଗ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons