ମୋବାଇଲ୍ ଫାଟି ଜଳିଗଲେ ଯୁବକ

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ମୋବାଇଲ୍ ଦେଖି ଦେଖି ରାତିରେ ଶୋଇବା କାଳ ହେଲା । ଶୋଇବା ବେଳେ ମୋବାଇଲ୍ରେ ଫିଲ୍ମ ଦେଖୁଦେଖୁ ନିଦ ଲାଗିବାରୁ ଛାତି ଉପରେ ଫୋନ୍କୁ ରଖି ଶୋଇ ପଡିଥିଲେ । ବିଳମ୍ବିତ ରାତିରେ ମୋବାଇଲ୍ଟି ଫାଟି ଯିବାରୁ ଯୁବକଙ୍କର ଶୋଚନୀୟ ମୃତୁ୍ୟ ହୋଇଛି । ମୃତ ଯୁବକ ହେଲେ ନୟାଗଡ ଜିଲ୍ଲା ରଣପୁର ବାଉଁଶଗଡ଼ ପଞ୍ଚାୟତ ଅଧୀନ ଲେମ୍ବୁଡ଼ି ଗ୍ରାମର କୁନା ପ୍ରଧାନ(୨୮) । ଏମିତି ଅଭାବନୀୟ ଘଟଣା ଘଟିଛି ପାରାଦୀପ ଥାନା ଅନ୍ତର୍ଗତ ଲକ୍ପଡ଼ାରେ ଥିବା ଜଗନ୍ନାଥ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ । ଏଭଳି ଘଟଣା ପାରାଦୀପରେ ପ୍ରଥମ ଥର ଘଟିଥିବାରୁ ମୋବାଇଲ୍ ବ୍ୟବହାରକାରୀଙ୍କ ମନରେ ଆତଙ୍କ ଖେଳି ଯାଇଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ଡାକ୍ତରଖାନାକୁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ, ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ପରିସରରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁଛି । ଏଥିରେ ଶ୍ରମିକ ଭାବେ କାମ କରନ୍ତି କୁନା । ଗତକାଲି ରାତିରେ ସଂଘରେ ଥିବା ଏକ ଘରେ ଅନ୍ୟ ଶ୍ରମିକଙ୍କ ସହ କୁନା ଶୋଇଥିଲେ । ମୋବାଇଲ୍ରେ ଫିଲ୍ମ ଦେଖୁଥିବା ବେଳେ ତାକୁ ଛାତିରେ ଧରି ଶୋଇପଡ଼ିଥିଲେ । ସେଠାରେ କାମ କରୁଥିବା ଅନ୍ୟ ୪ ଜଣ ଶ୍ରମିକ ମଧ୍ୟ ସେହି ଏକା ରୁମ୍ରେ ଅଲଗା ଅଲଗା ଶୋଇଥିଲେ । ହେଲେ ହଠାତ୍ ବିଳମ୍ବିତ ରାତିରେ ଘର ଧୂଅାଁମୟ ହୋଇଯିବାରୁ ଶ୍ରମିକମାନଙ୍କ ନିଦ ଭାଙ୍ଗି ଯାଇଥିଲା । ଦେଖିବା ବେଳକୁ କୁନାଙ୍କ ଦେହରେ ନିଆଁ ଲାଗି ଜଳୁଥିଲା । ଅନ୍ୟ ଶ୍ରମିକମାନେ ଚେଷ୍ଟା କରି ନିଆଁ ଲିଭାଇବା ବେଳକୁ ଘଟଣାସ୍ଥଳରେ ହିଁ କୁନାଙ୍କ ମୃତୁ୍ୟ ହୋଇଯାଇଥିଲା । ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣା ସ୍ପଷ୍ଟ ନ ହେବାରୁ ଜଗତସିଂହପୁରରୁ ସାଇଣ୍ଟିଫିକ୍ ଦଳ ଡକାଗଲା । ସେମାନେ ଆସି ଘଟଣାର ତଦନ୍ତ କଲେ । ମୋବାଇଲ ଫୋନ୍ ଫାଟିବାରୁ କୁନାଙ୍କ ମୃତୁ୍ୟ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ହେଲେ ସଂଘ ପାଖ ଦେଇ ଯାଇଥିବା ଏକ ୧୧ କେଭି ବିଦୁ୍ୟତ୍ ତାରରେ ଲାଗିଥିବା ଏକ ଲାଲ୍ ରଙ୍ଗର ତାରକୁ ନେଇ ମଧ୍ୟ ସନେ୍ଦହ ଦେଖାଦେଇଛି । କୁନା ଶୋଇଥିବା ଘରର ଝରକା ପାଖ ଦେଇ ଏହି ତାର ଯାଇଥିବାରୁ ଉଚ୍ଚ କ୍ଷମତା ସମ୍ପନ୍ନ ତାରରେ କାହିଁକି ଏକ ଲାଲ୍ ତାର ଲାଗିଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏ ନେଇ ପାରାଦୀପ ଥାନା ଅଧିକାରୀ ରଜନୀକାନ୍ତ ସାମଲ କହିଛନ୍ତି ଆମେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛୁ । ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ପଠାଯାଇଛି । ମୃତକଙ୍କ ପରିବାର ଲୋକ ମଧ୍ୟ ଆସି ପହଞ୍ଚିଛନ୍ତି । ମୋବାଇଲ୍ ଫାଟିବା ଦ୍ୱାରା ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons