ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋଡ଼ିବାଲି ପଞ୍ଚାୟତ ଗୋଇପେଟ ଗାଁରେ ଦେଖାଦେଇଛି ଜନନୀ ଯନ୍ତ୍ରଣା । ରାସ୍ତା ନଥିବା ବେଳେ ବିଳମ୍ବିତ ରାତିରେ ମୋବାଇଲ୍ ଲାଇଟ୍ରେ ୪ କିଲୋମିଟର ବାଟ ବୁହା ହୋଇ ମେଡିକାଲକୁ ଆସିଛନ୍ତି ଗର୍ଭବତୀ । ଅତ୍ୟନ୍ତ ବିପଦ୍ଜନକ ଅବସ୍ଥାରେ ଗର୍ଭବତୀଙ୍କୁ ଅଣାଯାଇଥିଲା । ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ରାତିରେ ଗୋଇପେଟ ଗାଁର କୋଇନ୍ତା ମାଝୀଙ୍କ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା । ବିଳମ୍ବିତ ରାତିରେ ଯନ୍ତ୍ରଣା ହେବା ପରେ ଆମ୍ବୁଲାନ୍ସକୁ ସୂଚନା ଦିଆଯାଇଥିଲା । ଆମ୍ବୁଲାନ୍ସ ଭୋର ପ୍ରାୟ ୩ଟା ବେଳେ ପହଞ୍ଚିିଥିଲା । ହେଲେ ରାସ୍ତା ନଥିବାରୁ ଗୋଇପେଟ ଗାଁ ନିକଟକୁ ଯାଇ ନପାରି ଏକ ଛକ ନିକଟରେ ଅଟକି ରହିଥିଲା । ସେଠାରୁ ଆମ୍ବୁଲାନ୍ସ ଡ୍ରାଇଭର ପାରଖିତ ନାଏକ ଗାଁକୁ ଯାଇ ସୂଚନା ଦେଇଥିଲେ । ପରେ କୋଇନ୍ତାଙ୍କ ପରିବାର ସମେତ ଆଶା ଓ ଅଙ୍ଗନବାଡ଼ିକର୍ମୀଙ୍କ ଉପସ୍ଥିତିରେ ଗର୍ଭବତୀଙ୍କୁ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା । ରାତିର ଅନ୍ଧାର ଭିତରେ ଦୁର୍ଗମରାସ୍ତାରେ ମୋବାଇଲ ଲାଇଟ୍ ଜରିଆରେ ଗର୍ଭବତୀଙ୍କୁ ଆଣି ଗାଡି ନିକଟରେ ପହଞ୍ଚାଯାଇଥିଲା । ସେଠାରୁ କୋଇନ୍ତାଙ୍କୁ ନେଇ ମାଣ୍ଡିବିସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ରରେ କୋଇନ୍ତା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଉଭୟ ମା’ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି । ବାରମ୍ବାର ଏଭଳି ଘଟଣା କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକରେ ନଜରକୁ ଆସୁଛି । ରାସ୍ତା ଅଭାବରୁ ନିୟମିତ ବ୍ୟବଧାନରେ ଗର୍ଭବତୀଙ୍କ ସମେତ ରୋଗୀ ବୁହାହୋଇ ମେଡ଼ିକାଲକୁ ଆସୁଥିବା ଏକ ନିତିଦିନିଆ ଘଟଣା ପାଲଟି ଗଲାଣି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।


Comments are closed, but trackbacks and pingbacks are open.