ବାରିପଦା,(ବି.ବି.ନ୍ୟୁଜ୍): ନିଖୋଜ ଭେଣ୍ଡିଆ ପୁଅକୁ ଖୋଜିବା ପାଇଁ ୬୦ ବର୍ଷର ବୁଢ଼ା ବାପା ଏ ଅଫିସ୍ରୁ ସେ ଅଫିସ୍ ଦୌଡ଼ ଦୌଡ଼ି ନୟାନ୍ତ ହେଲେଣୀ । ୨୮ ବର୍ଷର ଇଂଞ୍ଜିନିୟର ପଢୁଆଁ ପୁଅକୁ ଫେରି ପାଇବା ପାଇଁ ଦୁଇ ବର୍ଷ ଭିତରେ ସେ ପାଖାପାଖୀ ଦୁଇ ଲକ୍ଷରୁ ଅଧକ ଟଙ୍କା ବି ଖର୍ଚ୍ଚ କରିସାରିଲେଣୀ । ଜିଲ୍ଲା ପ୍ରଶାସନ ଠାରୁ କଟକ କ୍ରାଇମ୍ ବ୍ରାଞ୍ଚ ଅଫିସ୍କୁ ଚକ୍କର କାଟିକାଟି ବିଫଳ ହେବା ପରେ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରି ମଧ୍ୟ କରିସାରିଲେଣୀ । ମାତ୍ର ପୁଅର ଖୋଜ ଖବର ମିଳିବା ତ’ ଦୂରର କଥା ଖାଲି ସମସ୍ତଙ୍କ ଠାରୁ ଗୋଟିଏ କଥା ତଦନ୍ତ ଜାରି ରହିଛି । ଆଉ କିଛି ଦିନ ଅପେକ୍ଷା କରନ୍ତୁ । ଆଉ କିଏ କିଏ କହୁଛନ୍ତି ତୁମ ପୁଅ ଜୀବତ ନାହିଁ, ତାକୁ କିଏ ହତ୍ୟା କରିଦେଇଛନ୍ତି । ପୁଅ ଜୀବତ କି ମୃତ ତାହା ଜାଣି ନଥିଲେ ମଧ୍ୟ ବାପା କିନ୍ତୁ ପୁଅକୁ ଖୋଜିବାରେ ଦିନେ ବି ହେଳା କରୁ ନାହାନ୍ତି । ଶେଷ ଜୀବନ ଥିବା ଯାଏଁ ପୁଅକୁ ଖୋଜି ଚାଲିବେ ବୋଲି ୨୮ ବର୍ଷୀୟ ନିଖୋଜ ପୁଅର ବାପା ପର୍ଶୁରାମ ବେହେରା କାନ୍ଦିକାନ୍ଦି ଆମ ପ୍ରତିନିଧିକୁ କହିଛନ୍ତି, ‘ମୋ ପୁଅକୁ ଟିକେ ଫେରାଇ ଆଣ । ନ ହେଲେ ଆଉ ମୁଁ ବଞ୍ଚିବି ନାହିଁ’ା
ମୟୂରଭଞ୍ଜ ଜିଲ୍ଲାର ବାରିପଦ ଟାଉନ୍ ଥାନା ଅନ୍ତର୍ଗତ ଯମୁନା ଦେଇପୁର, ୱାର୍ଡ ନଂ-୧୮ର ପର୍ଶୁରାମ ବେହେରାଙ୍କ ପୁଅ ବିଶ୍ୱଜିତ(ଡେଭିଡ୍) ବେହେରା(୨୮) । ୨୦୧୭ ମସିହା ଏପ୍ରିଲ ମାସ ୧୩ ତାରିଖରେ ଡିପ୍ଲୋମା ଇଞ୍ଜିନିୟରିଂରେ ଟ୍ରେନିଂ ସାରି ଔରଙ୍ଗାବାଦରୁ ଟ୍ରେନ୍ ଯୋଗେ ଘରକୁ ଫେରୁ ଥିଲେ । ଟ୍ରେନ୍ରେ ଆସୁଥିବା ବେଳେ ବାପାକୁ ଫୋନ କରି ୧୫ ତାରିଖରେ ସେ ବାରିପଦାରେ ପହଞ୍ଚିବ ବୋଲି କହିଥିଲା । ମାତ୍ର ସେଦିନ ସେ ଘରେ ପହଞ୍ଚିବା ତ ଦୂରର କଥା ଆଜି ପର୍ଯ୍ୟନ୍ତ ତା’ ସହିତ ଯୋଗାଯୋଗ ହୋଇ ପାରୁନି । ମହାରାଷ୍ଟ୍ରର ଔରଙ୍ଗାବାଦ ସ୍ଥିତ ଏକ ଭିଡିଓକନ୍ କମ୍ପାନୀରେ ଆପ୍ରେଣ୍ଟିସ୍ ଟ୍ରେନି ଭାବେ କାମ କରୁଥିବାରୁ ବାପା ବିଶ୍ୱଜିତ୍କୁ ଖୋଜିବା ପାଇଁ ଔରଙ୍ଗାବାଦ ଯାଇଥିଲେ । ସେଠାରେ ଥିବା ପୁଅର ସାଙ୍ଗସାଥୀମାନେ ବିଶ୍ୱଜିତ୍ ଘରକୁ ପଳାଇ ଯାଇଥିବା ସେମାନଙ୍କ ପାଖରୁ ଜାଣିବାକୁ ପାଇଥିଲେ । ନିରାଶ ହୋଇ ବାପା ପର୍ଶୁରାମ ଏପ୍ରିଲ ୨୩ ତାରିଖରେ ପୁଅ ବିଶ୍ୱଜିତ୍କୁ ଅପହରଣ କରାଯାଇଥିବା ବାରିପଦା ଟାଉନ୍ ଥାନାରେ ଏତଲା ଦେଇଥିଲେ ।
ସୂଚନା ମୁତାବକ, ଯମୁନା ଦେଇପୁରର ପଡ଼ୋଶୀ ଘରର ଜଣେ ବିବାହିତା ମହିଳାଙ୍କ ସହ ବିଶ୍ୱଜିତ୍ଙ୍କର ପ୍ରେମ ସଂପର୍କ ଥିଲା । ଏହି ଅନୈତିକ ପ୍ରେମ ସମ୍ପର୍କକୁ ସଂପୃକ୍ତ ମହିଳା ଜଣଙ୍କର ସ୍ୱାମୀ ଓ ମହିଳାଙ୍କ ଦୁଇ ଭାଇ ଏହାକୁ ତୀବ୍ର ବିରୋଧ କରୁଥିଲେ । ଏପରିକି ବିଶ୍ୱଜିତକୁ ଜୀବନରୁ ମାରିଦେବାକୁ ଧମକଚମକ ଦେଉଥିଲେ । ବିଶ୍ୱଜିତ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇବା ପାଇଁ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଓ ଅନ୍ୟ ଅଭିଯୁକ୍ତମାନେ ଅପରାଧିକ ଷଡଯନ୍ତ୍ର ରଚିଛନ୍ତି ବୋଲି ବାପା ପର୍ଶୁରାମ ଅଭିଯୋଗ କରିଥିଲେ । ପୁଅ ନିଖୋଜ ହେବା ଦିନ ସମ୍ପୃକ୍ତା ମହିଳା ଓ ଅନ୍ୟମାନେ ଘରୁ ଫେରାର ହୋଇଯାଇଥିବାରୁ ବିଶ୍ୱଜିତ୍କୁ ଅପହରଣ କରାଯାଇ ଥିବା ବାପା ସନ୍ଦେହ କରି ଥାନାରେ ଏତଲା ଦେଇଥିଲେ । ହେଲେ ପୁଲିସ୍ ଏହି ଏତଲାକୁ ଗ୍ରହଣ ନକରି ତାଙ୍କୁ ଫେରାଇ ଦେଇଥିଲା । ଫଳରେ ପ୍ରର୍ଶୁରାମ ବାଧ୍ୟ ହୋଇ ଏନେଇ ବାରିପଦା ଏସଡିଜେମ୍ଙ୍କ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଇସିସି କେସ୍ ନଂ ୧୩୦/୨୦୧୭ ବଳରେ ସେହି ମାସ ଅଗଷ୍ଟ ୧୮ ତାରିଖରେ ତ+ାଳୀନ ବାରିପଦା ଟାଉନ୍ ଥାନାଧିକାରୀ ଆଇପିସି ଧାରା ୩୬୭,୩୬୮, ୧୨୦ ବି, ୩୨୭, ୫୦୬ ଓ ୩୪ ଦଫା ଅନୁଯାୟୀ ୨୩୦/୨୦୧୭ରେ ଏକ ମାମଲା ରୁଜୁ କରିଥିଲେ । ଏହାପରେ ପୁଲିସ୍ ତଦନ୍ତ କରି ବିଶ୍ୱଜିତ୍ ବ୍ୟବହାର କରୁଥିବା ହ୍ୟାଣ୍ଡ୍ ସେଟ, ଆଇଏମ୍ଇଆଇ ନମ୍ବର, ଫୋନ ନମ୍ବରକୁ ଟ୍ରାକ କରିଥିଲା । ଟ୍ରାକିଂ ବେଳେ ସଂପୃକ୍ତ ମହିଳାଙ୍କ ଭାଇ ସହିତ ଏହି ଅପହରଣ ଘଟଣା ଚକ୍ରର ଲିଙ୍କ ଥିବା ପୁଲିସ୍ ସୁରାଗ ପାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଜାଣିଶୁଣି ଗିରଫ କରାଯାଉ ନଥିବା ପର୍ଶୁରାମ ଅଭିଯୋଗ କରିଛନ୍ତି । ଦୀର୍ଘ ଦିନ ହେଲା ପୁଅର ପତ୍ତା ମିଳୁ ନଥିବାରୁ ବିଶ୍ୱଜିତ୍କୁ ସୁପରିକଳ୍ପିତ ଭାବେ ଅପହରଣ ପରେ ହତ୍ୟା କରାଯାଇଛି ବୋଲି ବାପା ସନ୍ଦେହ କରୁଛନ୍ତି । ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତମାନେ ବିଶ୍ୱଜିତ୍ର ଶବକୁ କୁଆଡେ ଗାଏବ କରିଦେଇଛନ୍ତି ବୋଲି ଗତ ୨୦୧୮ ମସିହା ଏପ୍ରିଲ ମାସରେ ପର୍ଶୁରାମ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ(ଡିଜିପି)ଙ୍କ ନିକଟରେ ଅଭିଯୋଗ କରିଥିଲେ । ତଦନ୍ତ ଜାରି ରହିଛି, ବିଶ୍ୱଜିତ ଜୀବିତ କି ମୃତ ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ି ନଥିବା ଡିଜିପି ତାଙ୍କୁ କହିଥିଲେ ବୋଲି ସେ ପ୍ରକାଶ କରିଛନ୍ତି । ଏହାପରେ ଅଭିଯୁକ୍ତମାନଙ୍କୁ ଗିରଫ କରି ପୁଅକୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୋଷ୍ଟାଲ ମାଧ୍ୟମରେ ଏକ ଦରଖାସ୍ତ ମଧ୍ୟ ପ୍ରଦାନ କରିଥିଲେ । ତଥାପି ଆଜି ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିଲା ନାହିଁ । ସମସ୍ତେ ଖାଲି ତାଙ୍କୁ ଆଶ୍ୱାସନା ଓ ଭରଷା ଦେଇ ଚାଲିଛନ୍ତି । କିନ୍ତୁ କେହି ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହେଉ ନଥିବାରୁ ଜିଲ୍ଲା ପୁଲିସ୍ ପ୍ରଶାସନ ଓ ରାଜ୍ୟ ପୁଲିସ୍ ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Comments are closed, but trackbacks and pingbacks are open.