‘ମୋ ପୁଅ ମୁଣ୍ଡରେ ଅଠା ବୋଳା ହୋଇଛି’

Get real time updates directly on you device, subscribe now.

ଭୁବନେଶ୍ୱର: ‘ଏହି ଘଟଣା ପଛରେ ମୋ ପୁଅର ହାତ ନାହିଁ। ଅନ୍ୟ କେହି ହତ୍ୟା କରି ତା ମୁଣ୍ଡରେ ଅଠା ବୋଳିଛି। ପୁଅ ନିହାରିକାକୁ ଏତେ ଭଲ ପାଉଥିଲା, ସେ ତାକୁ ମାରି ପାରିବନି। ଏହା ଭିତରେ କ’ଣ ରହସ୍ୟ ରହିଛି ମୁଁ କହିପାରିବିନି।” କାନ୍ଦି କାନ୍ଦି ଏମିତି କିଛି କହିଛନ୍ତି ରାଜାଙ୍କ ମା’।
ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲାରେ ଗୁମର ଖୋଜୁଛି ପୁଲିସ୍‌। ସନ୍ଦିଗ୍ଧ ପ୍ରେମିକ କିଶୋର ଆଞ୍ଚଲ ଓରଫ ରାଜାର ଆତ୍ମସମର୍ପଣ ପରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପୁଲିସ୍‌ ପଚରାଉଚରା କରୁଛି।
ଅନ୍ୟପକ୍ଷରେ ତାଙ୍କ ପୁଅଙ୍କ ବିରୋଧରେ ଆସିଥିବା ଏଭଳି ଅଭିଯୋଗକୁ ରାଜାଙ୍କ ମା’ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘“ଗତ ଶୁକ୍ରବାରଠାରୁ ସେ ନଥିଲା। ଗତକାଲି ହଠାତ୍ ଘରେ ଆସି ପହଞ୍ଚିଥିଲା। ସେ କୁଆଡ଼େ ଯାଇଥିଲା ଆମେ ଜାଣିନୁ। ଆମେ ବି ତାକୁ ଖୋଜୁଥିଲୁ। ସେ ଘରକୁ ଆସିଲେ ଥାନାରେ ଆତ୍ମସମର୍ପଣ କରାଇଦେବି ବୋଲି ମୁଁ ଥାନାରେ କହିଥିଲି।
ସେ ଆହୁରି କହିଛନ୍ତି, ତେବେ ‘ଏହି ବାହାଘରରେ ନିହାରିକାର ମାଆ ରାଜି ନ ଥିଲେ। ହେଲେ ସେମାନଙ୍କ ଭଲ ପାଇବା ଦେଖି ନିହାରିକା ମା’ଙ୍କୁ ବାହାଘର କରିବା ପାଇଁ ବୁଝାଇ କହିଥିଲି। ପରେ ସେ ମଧ୍ୟ ବାହାଘର ପାଇଁ ରାଜି ହୋଇଥିଲେ। ଡିସେମ୍ୱରରେ ବାହାଘର କରିବାକୁ କହିଥିଲି। ପୁଅ ନିହାରିକାକୁ ଏତେ ଭଲ ପାଉଥିଲା, ସେ ତାକୁ ମାରି ପାରିବନି। ଏହା ଭିତରେ କ’ଣ ରହସ୍ୟ ଅଛି ମୁଁ କହିପାରିବିନି।”
ଗତ ୮ ତାରିଖରୁ ନର୍ସ ନିହାରିକା ନିଖୋଜ ଥିଲେ। ଏହାର କିଛି ଦିନ ପରେ ରହସ୍ୟଜନକ ଭାବେ ବିଲୁଆଖାଇ ନଦୀ ପଠାରୁ ତାଙ୍କ ମୃତଦେହ ମିଳିଥିଲା। ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍ତାରୁ ପୁଲିସ୍‌ ମୃତଦେହ ଉଦ୍ଧାର କରିଥିଲା।
ନିହାରିକା ଚାକିରି କରୁଥିବା କଟକର ଏକ ନର୍ସିଂହୋମ୍‌ରୁ ରାଜା ସହ ଗତ ୮ ତାରିଖରେ କେଉଁଆଡେ ଯାଇଥିଲେ ତାହା ଜଣାପଡ଼ିନାହିଁ। ତା’ପରଠୁ ରାଜା ନିଖୋଜ ହୋଇ ଯାଇଥିଲେ। ଗତକାଲି ସେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ଅନ୍ୟପକ୍ଷରେ ରାଜା ହିଁ ହତ୍ୟାକାରୀ ବୋଲି ଦର୍ଶାଇ ତାକୁ ଫାଶୀ ଦଣ୍ଡ ଦେବାକୁ ନିହାରିକାଙ୍କ ବାପାମା’ ଦାବି କରିଛନ୍ତି। ଆଉ ମାମଲାରେ ବଳିଷ୍ଠ ପ୍ରମାଣ ଯୋଗାଡ଼ ଲାଗି ସେମାନଙ୍କର ଡିଏନ୍ଏ ଟେଷ୍ଟ ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons