‘ମୋ ସରକାର’ରେ ଆଉ ୬ ବିଭାଗ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଥମ ପର୍ଯ୍ୟାୟ ସଫଳତା ପରେ ଆଜିଠୁ ‘ମୋ ସରକାର’ରେ ସାମିଲ ହୋଇଛି ଆଉ ୬ ବିଭାଗର ୯ଟି ପ୍ରମୁଖ କାର୍ଯ୍ୟକ୍ରମ । ଏ ନେଇ ସଂପୃକ୍ତ ବିଭାଗ ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ବିଭାଗର ପ୍ରମୁଖ ଯୋଜନା ଓ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ସୁବିଧା ଅସୁବିଧା ବୁଝି ସେମାନଙ୍କୁ ଗୁଣାତ୍ମକ ସେବା ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଦ୍ୱିତୀୟ ଦଫାରେ ରାଜ୍ୟ ସରକାର ପ୍ରମୁଖ ଯୋଜନା କାଳିଆ, ମମତା, ମିଶନଶକ୍ତି, ଖାଦ୍ୟ ସୁରକ୍ଷା, ପାନୀୟ ଜଳ, ଚାଷୀ ପଞ୍ଜୀକରଣ, ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥା ସହ ବାହନ ଓ ସାରଥୀକୁ ସାମିଲ କରିଛନ୍ତି ।
କୃଷି ବିଭାଗର ‘କାଳିଆ’, ଚାଷୀ ପଞ୍ଜୀକରଣ, ଧାନ ସଂଗ୍ରହରେ ଟୋକନ, ସ୍ୱାସ୍ଥ୍ୟ ବିଭାଗର ମମତା, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ‘ମିଶନ ଶକ୍ତି’, ଖାଦ୍ୟ ଯୋଗାଣ ବିଭାଗର ଖାଦ୍ୟ ସୁରକ୍ଷା, ପାନୀୟ ଜଳଯୋଗାଣ ବିଭାଗର ‘ପାନୀୟ ଜଳ’ ଏବଂ ପରିବହନ ବିଭାଗର ‘ବାହନ ଓ ସାରଥୀ’କୁ ମୋ ସରକାରରେ ସାମିଲ କରାଯାଇଛି । ଏହି ଯୋଜନାଗୁଡ଼ିକରେ ହିତାଧିକାରୀମାନେ ଠିକଣା ଭାବେ ସେବା ପାଉଛନ୍ତି ନା ନାହିଁ? ସେମାନଙ୍କ ପ୍ରତି ସରକାରୀ ଅଧିକାରୀଙ୍କ ବ୍ୟବହାର କେମିତି? କଣ ସବୁ ତ୍ରୁଟି ବିଚୁ୍ୟତି ରହୁଛି । ଆଉ କଣ କଲେ ହିତାଧିକାରୀମାନେ ଅଧିକ ଗୁଣାତ୍ମକ ସେବା ପାଇପାରିବେ ସେ ସଂପର୍କରେ ମତାମତ ଲୋଡ଼ାଯିବ । ଏପରିକି ହିତାଧିକାରୀମାନେ ଚାହିଁଲେ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ । ନିଜେ କେମିତି ସରକାରୀ ସେବା ପାଉଛନ୍ତି ସେ ସଂପର୍କରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଅବଗତ କରାଇପାରିବେ । ରାଜ୍ୟରେ ନୂଆକରି ଆରମ୍ଭ ହୋଇଥିବା ପରିବହନ ନିୟମକୁ ସରକାର କାର୍ଯ୍ୟକାରୀ କରିବାକୁ କଡ଼ାକଡ଼ି ନିଷ୍ପତ୍ତି ନେଇଥିଲା ବେଳେ ଏହାକୁ ମଧ୍ୟ ମୋ ସରକାରରେ ଅନ୍ତର୍ଭୁକ୍ତ କରାଯାଇଛି । ‘କାଳିଆ’ ଦ୍ୱିତୀୟ କିସ୍ତି ନେଇ କିଛି ସ୍ପଷ୍ଟ ହେଉନଥିଲା ବେଳେ ଆଜି ଠୁ ଏହା ମଧ୍ୟ ‘ମୋ ସରକାର’ରେ ସାମିଲ ହୋଇଛି । ଧାନ ସଂଗ୍ରହରେ ନୂଆ କରି ଟୋକନ ବ୍ୟବସ୍ଥାକୁ ନେଇ ପଶ୍ଚିମ ଓଡ଼ିଶାରେ ଅପ୍ରୀତିକର ପରିସ୍ଥିତି ସହ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଥିବାରୁ ଏ ଦିଗକୁ ମଧ୍ୟ ମୋ ସରକାରରେ ଫୋକସ୍ କରାଯିବ ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ସହ ଲୋକସେବାରେ ସଂସ୍କାର ଆଣିବାକୁ ‘ ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ଗତ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଗତ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଛି । ‘ମୋ ସରକାର’ ପୋର୍ଟାଲରେ ଉପଲବ୍ଧ ଫୋନ ନମ୍ବରରେ ମୁଖ୍ୟମନ୍ତ୍ରୀ ଡାକ୍ତରଖାନା ଓ ଥାନାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ସହ କଥାବାର୍ତ୍ତା ହୋଇ ମତାମତ ନେଉଛନ୍ତି । ଗୁଣାତ୍ମକ ସେବା ସହ ଉତ୍ତମ ବ୍ୟବହାର ମିଳୁଛି ନା ନାହିଁ ଯାଞ୍ଚ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ, ସରକାରୀ ସଂସ୍ଥାକୁ ସେବା ପାଇଁ ଆସୁଥିବା ଲୋକମାନଙ୍କୁ ଉତ୍ତମ ସେବା ମିଳିବା ତାଙ୍କ ହକ୍ । ଲୋକଙ୍କ ପଇସାରେ ସରକାର ଚାଲୁଛି । ଲୋକମାନେ ହେଉଛନ୍ତି ପ୍ରକୃତ ସରକାର । ତେଣୁ ସେମାନଙ୍କୁ ସରକାରୀ କର୍ମଚାରୀମାନେ ବୃତ୍ତିଗତ ମନୋଭାବ ଆଧାରରେ ସେବା ଯୋଗାଇବା ସହ ଉତ୍ତମ ବ୍ୟବହାର କରିବେ । ବ୍ୟବସ୍ଥାରେ ଉନ୍ନତି ଆଣି ଜନସାଧାରଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବା ଏ କାର୍ଯ୍ୟକ୍ରମର ମୂଳ ଉଦେ୍ଧଶ୍ୟ । ଏବେ ଅନୁରୂପ ଭାବେ ଉପରୋକ୍ତ ବିଭାଗଗୁଡ଼ିକରେ ମୋ ସରକାର ଲାଗୁ କରି ଜନସାଧାରଣଙ୍କ ନିକଟରେ ଗୁଣାତ୍ମକ ସେବା ପହଞ୍ଚାଇବାକୁ ସରକାର ସଂକଳ୍ପବଦ୍ଧ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons