ମୌଳିକ ସୁବିଧାରୁ ବଞ୍ଚିତ ସୀମାନ୍ତ ଗ୍ରାମବାସୀ

Get real time updates directly on you device, subscribe now.

କୋରାପୁଟ: ସୁଧୁରୁନି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଖିନବର ପଞ୍ଚାୟତ ସୀମାନ୍ତ ଗ୍ରାମାବସୀଙ୍କ ସମସ୍ୟା । ଏହି ପଞ୍ଚାୟତର ଘାଟିଗୁଡ଼ା, ମଜାଗୁଡ଼ା ଓ ଭିମିଡ଼ିଗୁଡ଼ା ଆଦି ୩ଖଣ୍ଡ ଗ୍ରାମବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଭଳି ମୌଳକ ସୁବିଧାରୁ ବଞ୍ଚିତ ରହି ସମସ୍ୟା ଭୋଗୁଛନ୍ତି । ଆଜିପର୍ଯ୍ୟନ୍ତ ଘାଟିଗୁଡ଼ା ଓ ମଜାଗୁଡ଼ା ଗାଁକୁ ଭଲ ରାସ୍ତା ନାହିଁ କି ପାନୀୟଜଳ ସୁବିଧା ନାହିଁ । ଫଳରେ ସୀମାନ୍ତ ଗ୍ରାମବାସୀ ଦୀର୍ଘବର୍ଷ ହେଲା କଷ୍ଟକର ଜୀବନ ଜିଉଛନ୍ତି । ତେଣୁ ଗାଁର ବିଭିନ୍ନ ସମସ୍ୟା ସମାଧାନ ନେଇ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଡେ଼ପୁଟି କଲେକ୍ଟର ଅର୍ଚ୍ଚନା ଦାସଙ୍କୁ ଭେଟି ସମସ୍ୟା ସମାଧାନ ପାଇଁ ଗୁହାରି କରିଛନ୍ତି ।
ଗାଁର ସିମାଦ୍ରୀ ଗେମେଲ, ରାମନା ଗେମେଲ, ସାନୁ ଖିଲ, ରମେଶ ଗେମେଲ, ସୁବାରାଓ ଗେମେଲ, ବାଲନା ଖରା ପ୍ରମୁଖ କହିଛନ୍ତି, ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁୁଲାନ୍ସ ଯାଇପାରୁ ନାହିଁ । ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ମେଡ଼ିକାଲ ନେବାରେ ସମସ୍ୟା ହେଉଛି । ଘାଟିଗୁଡ଼ାରୁ ରୋଗୀଙ୍କୁ ଭାରରେ ବୋହି ଭିମିଡ଼ିଗୁଡ଼ା ଆଣି ସେଠାରୁ ଅଟୋରେ ନନ୍ଦପୁର ନେବାକୁ ପଡ଼ୁଛି । ଘାଟିଗୁଡ଼ାରୁ ନନ୍ଦପୁର ୬୦ କିମି ରାସ୍ତା । ରୋଗୀ ଯିବା ଭିତରେ ଗୁରୁତର ହୋଇପଡୁଛନ୍ତି । ତେଣୁ ପଞ୍ଚାୟତରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର କରାଯିବାକୁ ସେମାନେ ଦାବି କରିବା ସହିତ ରାସ୍ତା ନିର୍ମାଣ ପାଇଁ ନିବେଦନ କରିଛନ୍ତି । ବିଶେଷକରି ଘାଟିଗୁଡ଼ା ଠାରୁ ଭିମିଡ଼ିଗୁଡ଼ା ଦେଇ ମାଳିପୁଟ ରାସ୍ତା ନିର୍ମାଣ ହେଲେ ଅଞ୍ଚଳବାସୀ ଆନ୍ଧ୍ରର ଆର୍କୁ ଯିବାକୁ ପାଖ ହେବ । ବର୍ତ୍ତମାନ ପଞ୍ଚାୟତରେ ହଷ୍ଟେଲ ସୁବିଧା ନଥିବାରୁ ଅନେକ ପିଲା ଆନ୍ଧ୍ରରେ ଯାଇ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି । ଘାଟିଗୁଡ଼ା ଗାଁରେ ୨୫ ଘର ରହୁଛନ୍ତି । ହେଲେ ଗାଁରେ ଗୋଟିଏ ନଳକୂଅ ଥିବାବେଳେ ସେଥିରୁ ଗୋଳିଆ ପାଣି ବାହାରୁଛି । ଲୋକମାନେ ସମସ୍ତେ ଗାଁ ନିକଟ ନାଳରୁ ପାଣି ଆଣି ବ୍ୟବହାର କରୁଛନ୍ତି । ସେହିପରି ମଜାଗୁଡ଼ାରେ ୩୫ ଘର ଥିବା ବେଳେ ନଳକୂଅରୁ ପାଣି ବାହାରୁ ନଥିବାରୁ ଲୋକମାନେ ଝରଣାର ଦୂଷିତ ଜଳ ବ୍ୟବହାର କରୁଛନ୍ତି । ଆନ୍ଧ୍ର ସୀମାନ୍ତରେ ଥିବା ଗ୍ରାମବାସୀଙ୍କ ପାଇଁ ସେଠିକାର ସରକାର ସମସ୍ତ ସୁବିଧା ଦେଉଥିବା ବେଳେ ଆମ ପ୍ରଶାସନ ସାଧାରଣ ସୁବିଧା ଯୋଗାଇ ଦେଉନି ବୋଲି ସେମାନେ କ୍ଷୋଭର ସହ କହିଛନ୍ତି । ଗ୍ରାମବାସୀଙ୍କ କହିବା କଥା, ଘାଟିଗୁଡ଼ା ଓ ମଜାଗୁଡ଼ା ଗାଁକୁ ୧୦ ବର୍ଷ ତଳେ ଥରେ ମାଟି ରାସ୍ତା କାମ ହୋଇଥିଲା । ଏହା ପରଠାରୁ ଆଉ ରାସ୍ତା ମରାମତି ହୋଇ ନାହିଁ । ଫଳରେ ବର୍ଷକୁ ବର୍ଷ ରାସ୍ତା ନଷ୍ଟ ହୋଇ ଗାଁକୁ ବାଇକ୍ ଯିବା ଆଉ ସମ୍ଭବ ହେଉନି । ଲୋକମାନେ ଭିମିଡ଼ିଗୁଡ଼ାରେ ବାଇକ୍ ରଖି ଗାଁକୁ ଯିବାଆସିବା କରୁଛନ୍ତି । ଏହି ୨ରୁ ୩କିମି ରାସ୍ତା ନିର୍ମାଣ ସହିତ ପାନୀୟଜଳ ସମସ୍ୟା ସମାଧାନ ପାଇଁ ସରପଞ୍ଚ, ବ୍ଲକ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଗୁହାରି କରାଯାଇଛି । କିନ୍ତୁ କୌଣସି ସୁଫଳ ମିଳିନାହିଁ । ତେଣୁ ଗାଁର ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମାଧାନ ପାଇଁ ସେମାନେ ଗୁହାରି କରିଥିବା କହିିଛନ୍ତି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons