ଯାଜପୁର,(ବି.ବି.ନୁ୍ୟଜ): ଯାଜପୁରର ଦୁହିତା ତଥା ବଧୂ ସର୍ବ ଭାରତୀୟ ସ୍ତରରେ ଆୟୋଜିତ ଶ୍ରୀମତୀ ଭାରତ-୨୦୨୦ ଟାଇଟଲ ହାସଲ କରିଛନ୍ତି । ଚଳିତ ସପ୍ତାହରେ ପୁଣେ ଠାରେ ଇନଫ୍ଲୋଲେନ୍ସ ଫିଟ୍ନେସ୍ କୁଇନ୍ ଶ୍ରୀମତୀ-ଇଣ୍ଡିଆ-୨୦୨୦ରେ ଯାଜପୁର ବ୍ଳକ୍ ଅନ୍ତର୍ଗତ ପଣସା ଗ୍ରାମରେ ଜନ୍ମିତ ନିରୂପମା ମହାନ୍ତି(ପତି) ସମ୍ମାନ ଜନକ ଶ୍ରୀମତୀ ଭାରତ-୨୦୨୦ ମୁକୁଟ ପିନ୍ଧି ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି । ନିରୂପମା ଭାରତର ଶ୍ରୀମତୀ ବର୍ଗର ଶତାଧିକ ଅଂଶ ଗ୍ରହଣକାରୀଙ୍କୁ ପଛରେ ପକାଇ ଟାଇଟଲ୍ ଜିତିଛନ୍ତି । ନିରୂପମା ପୁଣେର ଦୁଇଟି କମ୍ପାନୀର ନିଦେ୍ର୍ଧଶିକା ଭାବେ କାର୍ଯ୍ୟରତ ମଧ୍ୟ ଅଛନ୍ତି ।
ପୂର୍ବରୁ ନିରୂପମା ପୁଣେ ଠାରେ ଆୟୋଜିତ ମିସେସ୍ ମହାରାଷ୍ଟ୍ର ଓ ମିସେସ୍ କନ୍ଫିଡେଣ୍ଟ୍ ମୁକୁଟ ପିନ୍ଧି ସାରିଛନ୍ତି । ନିଜର ବୃତ୍ତିଗତ ଜୀବନ ସହ ଫ୍ୟାସନ ପ୍ରତି ନିରୂପମାଙ୍କ ଅହେତୁକ ଦୁର୍ବଳତା ରହିଛି ବୋଲି କହନ୍ତି । ନିରୂପମା ବିରଳ ସମ୍ମାନ ପାଇବା ପରେ କହନ୍ତି ଯେ, ଶ୍ରୀମତୀ ଭାରତ-୨୦୨୦ ଟାଇଟଲ ପାଇ ସେ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି । ସେ ଇତି ମଧ୍ୟରେ କେତେକ ଆଲବମ୍ ଗୀତ ଓ ୱେବ୍ ସିରିଜ୍ ପାଇଁ ଅଫର ପାଇ ସାରିଲେଣି । ସର୍ବ ଭାରତୀୟ ସ୍ତରର ବିଜ୍ଞାପନ ସୁଟିଂ ନିମନ୍ତେ ନିରୂପମାଙ୍କୁ ପ୍ରଯୋଜକ ଚୁକ୍ତିବଦ୍ଧ କରିଛନ୍ତି । ସକରାତ୍ମକ ଉପାୟରେ କଠିନ ପରିଶ୍ରମ କରିବାରୁ ଏଭଳି ସଫଳତା ମିଳି ପାରିଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ନିରୂପମା ।
ଫ୍ୟାସନ୍ ପ୍ରତିଯୋଗିତା ପାଇଁ ତାଙ୍କ ପିତାମାତା, ଶାଶୁ, ଶ୍ୱଶୂର ଓ ସ୍ୱାମୀଙ୍କ ଅକୁଣ୍ଠ ସମର୍ଥନ ପାଇ ଥାଆନ୍ତି ବୋଲି କହନ୍ତି ନିରୂପମା । ପ୍ରକାଶ ଥାଉକି, ପଣସା ଗ୍ରାମର ଅଚୁ୍ୟତାନନ୍ଦ ପତି ଓ ହାରାବତୀ ପତିଙ୍କ ଝିଅ ନିରୂପମା ନିକଟସ୍ଥ କୁଶୀ ଗ୍ରାମର ଲକ୍ଷ୍ମୀଧର ମହାନ୍ତିଙ୍କ ବୋହୂ ଅଟନ୍ତି । ନିରୂପମାଙ୍କ ସ୍ୱାମୀ ଦିପ୍ତୀ ରଂଜନ ମହାନ୍ତି, ଶ୍ୱଶୁର ଲକ୍ଷ୍ମୀଧର ମହାନ୍ତି, ଅକ୍ଷୟ କୁମାର ମହାନ୍ତି, ଶାଶୁ ସୁଚିତ୍ରା ମହାନ୍ତି, ସଂଯୁକ୍ତା ମହାନ୍ତି ପ୍ରମୁଖ ନିରୂପମାଙ୍କୁ ଫ୍ୟାସନ ପ୍ରତିଯୋଗିତା ନିମନ୍ତେ ଉତ୍ସାହିତ କରି ଆସିଛନ୍ତି । ପରିବାରର ସହଯୋଗ ଓ ସମର୍ଥନ ନିରୂପମାଙ୍କୁ ବେଶ୍ ସଫଳତା ଦେଇ ପାରିଛି ବୋଲି ସେ କହନ୍ତି ।


Comments are closed, but trackbacks and pingbacks are open.