ନୂଆଦିଲ୍ଲୀ: ସବୁ ପ୍ରକାର ଘରୋଇ ଯାତ୍ରୀ ଅର୍ଥାତ ବିମାନ, ରେଳ ଓ ଆନ୍ତରାଜ୍ୟ ବସ୍ ଯାତ୍ରୀଙ୍କ ପାଇଁ ରବିବାର ଜାରି ହୋଇଛି ନୂଆ ନିୟମାବଳି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏହି ନିୟମାବଳି ଅନୁସାରେ, ଲକ୍ଷଣ ନ ଥିବା ଘରୋଇ ଯାତ୍ରୀଙ୍କୁ ବିମାନ, ଟ୍ରେନ୍ ଓ ବସ୍ରୁ ଓହ୍ଲାଇବା ପରେ ଗନ୍ତବ୍ୟସ୍ଥଳୀକୁ ଯିବା ପାଇଁ ଅନୁମତି ମିଳିବ । କିନ୍ତୁ ୧୪ ଦିନ ନିମନ୍ତେ ସେମାନେ ନିଜ ସ୍ୱାସ୍ଥ୍ୟର ସ୍ୱ-ପରିଚାଳନା କରିବେ । ଯଦି ଏ ଅବଧିରେ ସେମାନଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଦେବ, ତେବେ ସେମାନେ ଜିଲ୍ଲା କର୍ତ୍ତୃପକ୍ଷ କିମ୍ବା ରାଜ୍ୟ/ଜାତୀୟ କଲ୍ ସେଣ୍ଟରକୁ କଲ୍ କରି ଜଣାଇବେ ।
ସୋମବାରଠାରୁ ଦେଶରେ ଧୀରେ ଧୀରେ ଘରୋଇ ବିମାନ ସେବା ପୁଣି ଆରମ୍ଭ ହେବ । ସେହିଭଳି ଜୁନ୍ ପହିଲାରୁ ୧୦୦ ଯୋଡ଼ା ଟ୍ରେନ୍ ଚଳାଇବା ପାଇଁ ଭାରତୀୟ ରେଳପଥ ନିଷ୍ପତ୍ତି ନେଇଛି । ଏହାପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ନିୟମାବଳି ଅଣାଯାଇଛି ।
ଘରୋଇ ଯାତ୍ରୀଙ୍କ ପାଇଁ ଆସିଥିବା ନିୟମାବଳି ଅନୁସାରେ, ଯାତ୍ରୀମାନେ କ’ଣ କରିବା ଉଚିତ ଓ କ’ଣ ଅନୁଚିତ, ସେନେଇ ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ଟିକେଟ୍ ସହ ଯୋଗାଇଦେବେ । ସମସ୍ତ ଯାତ୍ରୀ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରିବେ ।
ବିମାନବନ୍ଦର, ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡ ତଥା ବିମାନ, ଟ୍ରେନ୍ ଓ ବସ୍ରେ କୋଭିଡ୍-୧୯ ସମ୍ପର୍କରେ ଆବଶ୍ୟକ ସଚେତନତା ପଦକ୍ଷେପ ଘୋଷଣା କରାଯିବ । ଯାତ୍ରା ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂକୁ ସୁନିଶ୍ଚିତ କରିବେ ଓ କେବଳ ଲକ୍ଷଣ ନ ଥିବା ଯାତ୍ରୀଙ୍କୁ ବିମାନ, ଟ୍ରେନ୍ ଓ ବସ୍ରେ ଯିବାକୁ ସୁଯୋଗ ମିଳିବ ।
ବସ୍, ଟ୍ରେନ୍ କିମ୍ବା ବିମାନରେ ଚଢ଼ିବା ବେଳେ ଓ ଯାତ୍ରା କାଳରେ ସବୁ ଯାତ୍ରୀ ସେମାନଙ୍କୁ ମୁଁହକୁ ମାସ୍କ କିମ୍ବା କପଡ଼ାରେ କଭର କରିବେ । ସେମାନେ ହାତ ସଫା ରଖିବା ସହ ପରିବେଶଗତ ପରିମଳ ରଖିବେ ।
ବିମାନବନ୍ଦର, ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡକୁ ନିୟମିତ ସାନିଟାଇଜ କରାଯିବ ଓ ଏସବୁ ସ୍ଥାନରେ ସାବୁନ ଓ ସାନିଟାଇଜର ଉପଲବ୍ଧକୁ ସୁନିଶ୍ଚିତ କରାଯିବ । ଏପରିକି ଗନ୍ତବ୍ୟସ୍ଥଳରେ ବସ୍ଷ୍ଟାଣ୍ଡ. ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡରୁ ଯାତ୍ରୀ ବାହାରିବା ସମୟରେ ମଧ୍ୟ ସେମାନଙ୍କର ଥର୍ମାଲ ସ୍କ୍ରିନିଂ ହେବ ।
କେବଳ ଲକ୍ଷଣ ନ ଥିବା ଯାତ୍ରୀଙ୍କୁ ନିଜ ସ୍ୱାସ୍ଥ୍ୟର ୧୪ ଦିନିଆ ସ୍ୱ-ପରିଚଳାନାରେ ରଖିବା ସର୍ତ୍ତରେ ହିଁ ଗନ୍ତବ୍ୟସ୍ଥଳୀକୁ ଯିବାକୁ ଅନୁମତି ମିଳିବ । ଯଦି ସେମାନଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଦେବ, ତେବେ ସେମାନେ ତକ୍ରାଳ ଜିଲ୍ଲା କର୍ତ୍ତୃପକ୍ଷ କିମ୍ବା ରାଜ୍ୟ/କେନ୍ଦ୍ର କଲ୍ ସେଣ୍ଟର (୧୦୭୫)କୁ ଫୋନ କରି ଜଣାଇବେ ।
ଲକ୍ଷଣ ଦେବାପରେ ଯାତ୍ରୀଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଇସୋଲେସନରେ ରଖାଯିବ । ଯେଉଁମାନଙ୍କଠାରେ ଗୁରୁତର ଲକ୍ଷଣ ଦେଖାଦେବ, ସେମାନଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯିବ ।
ଯେଉଁମାନଙ୍କ ନିକଟରେ ସ୍ୱଳ୍ପ ଲକ୍ଷଣ ରହିଥିବ, ସେମାନଙ୍କୁ ହୋମ୍ ଆଇସୋଲେସନ୍ କିମ୍ବା କୋଭିଡ୍ କେୟାର ଆଇସୋଲେସନରେ ରହିବାର ବିକଳ୍ପ ଦିଆଯିବ । ଯଦି କୌଣସି ଯାତ୍ରୀଙ୍କ ନିକଟରେ କରୋନା ପଜିଟିଭ ଦେଖାଦେବ, ସେମାନଙ୍କୁ କୋଭିଡ୍ କେୟାର ସେଣ୍ଟରରେ ରଖାଯିବ ଓ କ୍ଲିନିକାଲ ପ୍ରୋଟୋକଲ ଅନୁସାରେ ପରିଚାଳନା କରାଯିବ ।
ଏହାପରେ ନେଗେଟିଭ୍ ଆସିବା ପରେ ଯାତ୍ରୀଙ୍କୁ ଘରକୁ ଯିବାକୁ ଅନୁମତି ମିଳିବ ଓ ସେମାନେ ନିଜକୁ ୭ ଦିନ ପାଇଁ ସେଲ୍ଫ ଆଇସୋଲେସନରେ ରଖିବେ । ଯଦି ପୁନଶ୍ଚ ଲକ୍ଷଣ ଦେଖାଦେବ, ସେମାନେ ଜିଲ୍ଲା ଅଧିକାରୀ କିମ୍ବା ରାଜ୍ୟ/ଜାତୀୟ କଲ୍ ସେଣ୍ଟରକୁ ଜଣାଇବେ ।
Comments are closed, but trackbacks and pingbacks are open.