ଭଞ୍ଜକିଆ,(ବି.ବି.ନ୍ୟୁଜ୍): ମୟୂରଭଂଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ଜନୈକ ଅବସରପ୍ରାପ୍ତ ସେନା କର୍ମଚାରୀ ଜଣେ ଯୁବକଙ୍କୁ ବାନ୍ଧି ପକାଇ ନିସ୍ତୁକ ମାଡ଼ ମାରିଛନ୍ତି । ଆକ୍ରମଣକାରୀଙ୍କ ବିରୋଧରେ ପୀଡ଼ିତ ଯୁବକ ଥାନାରେ ଅଭିଯୋଗ କରିଥିବାବେଳେ ଘଟଣା ସମୟର ଭିଡିଓ ଭାଇରାଲ୍ ହୋଇଛି । ସମ୍ପୃକ୍ତ ଯୁବକଙ୍କୁ ବାନ୍ଧି ପକାଇବାକୁ ପୁଲିସ ଅଧିକାରୀ କହିଛନ୍ତି ବୋଲି ଆକ୍ରମଣକାରୀ ଜଣକ କହୁଥିବାର ଏଥିରେ ଶୁଣିବାକୁ ମିଳୁଛି । ଭିଡ଼ିଓ ଭାଇରାଲ ହେବା ଫଳରେ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ରରୁଆଁ ଥାନା ଅନ୍ତର୍ଗତ ବଡ଼ସାହି ଗ୍ରାମରେ ଘଟିଛି ଏହି ବର୍ବରୋଚିତି ଘଟଣା । ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଅସ୍କିପାଳ ଗ୍ରାମର ତୁଫାନ ଚତାର ନିକଟସ୍ଥ ବଡସାହି ଗ୍ରାମରୁ ଫେରୁଥିବା ସମୟରେ ସେହି ଗ୍ରାମର ଜଣେ ଅବସରପ୍ରାପ୍ତ ସେନା କର୍ମଚରୀ ଦେବେନ୍ଦ୍ର ପିଙ୍ଗୁଆଙ୍କ ସହ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କରୁ କଳିଗୋଳ ବଢ଼ିବା ସହ ଦେବେନ୍ଦ୍ର ଉତ୍କ୍ଷିପ୍ତ ହୋଇ ଯୁବକଙ୍କୁ ଗଛରେ ବାନ୍ଧି ପକାଇ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ । ଦୀର୍ଘ ୧ ଘଣ୍ଟା ଧରି ଗଛରେ ବାନ୍ଧି ରଖିଥିଲେ ଯୁବକଙ୍କୁ । ପରିଶେଷରେ ଗ୍ରାମର କିଛି ଲୋକ ଘଟଣାସ୍ଥଳରେ ପହଞ୍ôଚବା ପରେ ସେ ଯୁବକଙ୍କୁ ଛାଡ଼ିଦେଇଥିଲେ । ପୀଡ଼ିତ ଯୁବକ ଜଣକ ଘଟଣା ସମ୍ପର୍କରେ ପ୍ରକାଶ କରିଛନ୍ତିଯେ, ସେ ଅନ୍ୟ ଜଣଙ୍କୁ ପାଟିତୁଣ୍ଡ କରୁଥିବାବେଳେ ଅବସରପ୍ରାପ୍ତ ସେନା କର୍ମଚାରୀ ତାଙ୍କୁ କହୁଥିବା ଭାବି ଆକ୍ରମଣ କରିଥିଲେ ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ରରୁଆଁ ଥାନା ଆଇଆଇସି ଦିବ୍ୟକାନ୍ତି ଲାକ୍ରା ଯୁବକଙ୍କୁ ବାନ୍ଧିବାକୁ କହିଥିବାର ଦେବେନ୍ଦ୍ର ପିଙ୍ଗୁଆ ଲୋକଙ୍କୁ ଜଣାଉଛନ୍ତି । ତେବେ ରରୁଆଁ ଥାନା ଆଇଆଇସିଙ୍କୁ ଏ ସମ୍ପର୍କରେ ପଚରିବାରୁ ସେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ଏଥିନେଇ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି । ଏ ନେଇ ପୀଡ଼ିତ ଯୁବକଙ୍କ ପକ୍ଷରୁ ଆଜି ଅଭିଯୋଗ କ୍ରମେ ରରୁଆଁ ଥାନାରେ କେଶ୍ ନଂ ୪୩/୧୯ରେ ଏକ ମାମଲା ରୁଜୁ ହୋଇଥିବାବେଳେ ଅପରପକ୍ଷରେ ଅବସରପ୍ରାପ୍ତ ସେନା କର୍ମଚରୀଙ୍କ ପାଲଟା ଅଭିଯୋଗ କ୍ରମେ କେଶ ନଂ ୪୪/୧୯ ଅନ୍ୟ ଏକ ମାମଲା ଋଜୁ ହୋଇଛି । ଉକ୍ତ ଘଟଣାର ରରୁଆଁ ପୁଲିସ ପୁଂଖାନୁପୁଂଖ ତଦନ୍ତ କରୁଛି ।
Comments are closed, but trackbacks and pingbacks are open.