
ମାଲକାନଗିରି,(ବି.ବି.ନୁ୍ୟଜ): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣି କରୁଥିବା ସନେ୍ଦହରେ ଜଣେ ଆଦିବାସୀ ଯୁବକଙ୍କୁ ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଛି । ଏମିତି ଏକ ଲୋମହର୍ଷଣ ଘଟଣା ଘଟିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ମାଓପ୍ରବଣ ନିଲିଗୁଡ଼ା ଗାଁରେ । ନିହତ ଯୁବକ ଜଣଙ୍କ
ପଡ଼ିଆ ଥାନା ଅଧୀନ ନିଲିଗୁଡ଼ା ଗାଁର ବୁଦ୍ରା ପଡ଼ିଆମୀ (୩୮) । ଅନ୍ଧାର ରାତିରେ ବୁଦ୍ରାଙ୍କ ଗଳା କାଟି ଦେବା ପରେ ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ପୁଲିସ୍ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।
ବୁଦ୍ରା ଜଣେ ଆଦିବାସୀ ଯୁବକ । ସେ ଚାଷବାସ କରି ଚଳୁଥିଲେ । ଗାଁରେ ପୂଜାପାଠ ଓ ଝଡ଼ାଫୁଙ୍କା କାମ ମଧ୍ୟ କରୁଥିଲେ । ଶୁକ୍ରବାର ରାତିରେ କେହି ଦୁଇ ଜଣ ଅଚିହ୍ନା ବ୍ୟକ୍ତି ବୁଦ୍ରାଙ୍କ ଘରକୁ ଆସିଥିଲେ । ଘର ଭିତରେ ସେମାନେ କିଛି ସମୟ ବୁଦ୍ରାଙ୍କ କଥାବାର୍ତ୍ତା ହୋଇଥିଲେ । ଏହାପରେ ବୁଦ୍ରାଙ୍କ ଚିକ୍ରାର ଶୁଣିବାକୁ ମିଳିଥିଲା । ଘର ଭିତରେ ଥିବା ତାଙ୍କ ପତ୍ନୀ ରାଙ୍ଗି ପଡ଼ିଆମି ପାଟି ଶୁଣି ଦୌଡ଼ି ଆସିଥିଲେ । ଏହି ସମୟରେ ଉକ୍ତ ଦୁଇ ଅଜଣା ବ୍ୟକ୍ତି ବୁଦ୍ରାଙ୍କ ଗଳା କାଟି ଦେବା ପରେ ଦୌଡ଼ି ପଳାଉଥିବା ଦେଖିବାକୁ ପାଇଥିଲେ । ରାଙ୍ଗି ସଙ୍ଗେସଙ୍ଗେ ଚିକ୍ରାର କରି ଡାକ ପକାଇବାରୁ ଗ୍ରାମବାସୀ ସେଠାରେ ରୁଣ୍ଡ ହୋଇଥିଲେ । ଗାଁ ଲୋକେ ତୁରନ୍ତ ଏ ସମ୍ପର୍କରେ ପଡ଼ିଆ ଥାନାକୁ ଖବର ଦେଇଥିଲେ । ପଡ଼ିଆ ଥାନା ଏସ୍ଆଇ ହରିଶ ଚନ୍ଦ୍ର ଗୋଲେରି ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାସହ ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଏହି ହତ୍ୟାକାଣ୍ଡ ଗୁଣି ଗାରେଡ଼ି ଯୋଗୁଁ ହୋଇଥାଇପାରେ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।


Comments are closed, but trackbacks and pingbacks are open.