ସିମୁଳିଆ,(ବି.ବି.ନୁ୍ୟଜ): ବେଙ୍ଗାଲୁରୁର ଜଣେ ଔଷଧ ଦୋକାନୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଚୋରି କରିବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ ଅଞ୍ଚଳର ଜଣେ ଯୁବକ ଗିରଫ ହୋଇଛି । ବେଙ୍ଗାଲୁରୁ ପୁଲିସ ଶୁକ୍ରବାର ସିମୁଳିଆ ପୁଲିସ ସହାୟତାରେ ସଂପୃକ୍ତ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଯୁବକ ହେଉଛି ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷାତ୍ତମପୁର ପଞ୍ଚାୟତ ବାଲିଖଣ୍ଡ ଗ୍ରାମର ଗୋଲକ ବିହାରୀ ଆଚାର୍ଯ୍ୟଙ୍କ ପୁତ୍ର ବିଶ୍ୱାମିତ୍ର ଆଚାର୍ଯ୍ୟ । ତା’ ଘରୁ ୪ ଲକ୍ଷ ଟଙ୍କା ପୁଲିସ ଜବତ କରିଛି ।
ବିଶ୍ୱାମିତ୍ର ବେଙ୍ଗାଲୁରୁରେ ରହି ଜୟନ୍ତ ରାଉତଙ୍କ ଔଷଧ ଦୋକାନରେ କାମ କରି ଆସୁଥିଲା । କିଛି ଦିନ ତଳେ ଜୟନ୍ତଙ୍କ ଝିଅ ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ବିଶ୍ୱାମିତ୍ର ତାଙ୍କୁ ନିସ୍ତୁକ ମାଡ଼ ମାରି ତାଙ୍କ ଘରୁ ୨୦ ଲକ୍ଷ ଟଙ୍କା, ଦୁଇଟି ସୁନା ଚେନ, ଗୋଟିଏ ସୁନା ମୁଦି ଚୋରି କରି ଖସି ପଳାଇ ଆସିଥିଲା । ଘରକୁ ଆସିବା ପରେ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାପା ଜୟନ୍ତ ଚିକିତ୍ସା କରାଇଥିଲେ । ଘଟଣା ସମ୍ପର୍କରେ ଝିଅ ପାଖରୁ ଜାଣିବା ପରେ ଜୟନ୍ତ ନିକଟସ୍ଥ ଥାନାରେ ଏତଲା ଦେଇଥିଲେ । ବେଙ୍ଗାଲୁରୁ ପୁଲିସ ମାମଲା ରୁଜୁ କରି ବିଶ୍ୱାମିତ୍ରକୁ ଧରିବାକୁ ତଦନ୍ତ ଆରମ୍ଭ କରିଥିଲା । ବିଶ୍ୱାମିତ୍ରର ଠିକଣା ପାଇବା ପରେ ପୁଲିସ ମୋବାଇଲ ନମ୍ବରକୁ ଟ୍ରାକିଂ କରି ଗତ ଦୁଇ ଦିନ ପୂର୍ବରୁ ଓଡିଶାରେ ପହଞ୍ଚି ସିମୁଳିଆ ପୁଲିସର ସହାୟତା ଲୋଡ଼ିଥିଲା । ତାକୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ କରିଥିଲା ।
ଶୁକ୍ରବାର ଭୋର ସମୟରେ ଖଇରା ଅଞ୍ଚଳର ତା’ ସମ୍ପର୍କୀୟ ଭଉଣୀ ଘରୁ ବିଶ୍ୱାମିତ୍ରକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ତାକୁ ଘରକୁ ଆଣି ଯାଞ୍ଚ କରିବା ପରେ ଘରେ ଏକ ପ୍ଲାଷ୍ଟିକ ବାଲତିରେ ଥିବା ଚାଉଳ ଭିତରରୁ ପୁଲିସ ୪ ଲକ୍ଷ ଟଙ୍କା ଜବତ କରିଥିଲା । ସିମୁଳିଆ ଥାନାକୁ ଅଣାଯିବା ପରେ ପୁଲିସ ତାକୁ ବାଙ୍ଗାଲୋର ନେଇଯାଇଛି । ସୂଚନାଯୋଗ୍ୟ, ଚୋରି କରିବା ପରେ ବିଶ୍ୱାମିତ୍ର କିଛି ଦିନ ଧରି ହାଇଦ୍ରାବାଦରେ ତା’ ସାଙ୍ଗ ପାଖରେ ରହିଥିଲା । ସେଠାରେ ସୁନା ଅଳଙ୍କାର ବିକ୍ରି କରିଥିଲା । ସେହି ଅର୍ଥରୁ କିଛି ସାଙ୍ଗକୁ ଦେବା ସହିତ କିଛି ଖର୍ଚ୍ଚ କରିଥିଲା । ଏହି ଘଟଣାରେ ଅନ୍ୟ ଜଣେ ଯୁବକ ସାମିଲ ଥିବା ପୁଲିସକୁ ସୂଚନା ମିଳିଛି ।


Comments are closed, but trackbacks and pingbacks are open.