କୋକସରା: କୋକସରା ବ୍ଲକ ଆମପାଣି ଥାନା ମହିମା ପଞ୍ଚାୟତ ତେନ୍ତୁଳିପଡ଼ା ଚାଷଜମି ନିକଟରେ ବୁଧବାର ଏକ ବରଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଦ୍ୱୟ ନିକଟସ୍ଥ ଗୌନ୍ତିଆପଡ଼ାର ଶିବ ଜୁଏଡ଼ଙ୍କ ପୁଅ ଅମିତ (୨୨) ଓ ସେହି ପଡ଼ାର ବାମଦେବ ମୁଲକିଆଙ୍କ ଝିଅ କୁନ୍ତଳା (୨୧) ବୋଲି ଜଣାପଡିଛି । ବେକରେ ଓଢ଼ଣି ଲଗାଇ ଉଭୟେ ଆତ୍ମହତ୍ୟା କରିଥିବା ସନେ୍ଦହ କରାଯାଉଛି । ଆତ୍ମହତ୍ୟାର କାରଣ ପ୍ରେମ ଜନିତ ବୋଲି ଚର୍ଚ୍ଚା ହେଉଛି । ହେଲେ ପୁଲିସର ତଦନ୍ତ ପରେ ମୃତୁ୍ୟର ପ୍ରକୃତ କାରଣ ସ୍ପଷ୍ଟ ହେବ ।
ସୂଚନାମତେ, ଉକ୍ତ ବରଗଛରେ ୨ଟି ଶବ ଝୁଲୁଥିବା ଦେଖି ସ୍ଥାନୀୟ ଲୋକ ଆମପାଣି ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଶବ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ପାରିପାର୍ଶିକ ସ୍ଥିତିର ଯାଞ୍ଚ କରିଥିଲା । ଆଜି ସକାଳୁ ହିଁ କୁନ୍ତଳାର ନିଖୋଜ ରିପୋର୍ଟ ବାପା ବାମଦେବ ଆମପାଣି ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗମତେ, ଗତକାଲି ରାତି ୧୦ ରେ ଝିଅ କୁନ୍ତଳା ଘରୁ ବାହାରି ଆଉ ଫେରି ନଥିଲେ । ଆଜି ସକାଳୁ ରିପୋର୍ଟ କରିଥିଲେ । ସକାଳୁ ଝିଅର ଝୁଲନ୍ତା ମୃତଦେହ ଚିହ୍ନଟ କରିଥିଲେ । ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୁଲିସ ପ୍ରାଥମିକ ତଦନ୍ତ ପରେ ସନେ୍ଦହ କରୁଛି । କେଉଁ କାରଣରୁ ଦୁହେଁ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ତାହା ଅସ୍ପଷ୍ଟ ରହିଛି । ପୁଲିସ ତଦନ୍ତ ଜାରି ରଖିଛି । ସେପଟେ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ରହିଥିଲା ଏବଂ ଏହା ପ୍ରେମଜନିତ ଆତ୍ମହତ୍ୟା ଘଟଣା ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ଯଦି ଏହା ଏକ ହତ୍ୟାକାଣ୍ଡ ତାହା ମଧ୍ୟ ପୁଲିସର ତଦନ୍ତ ପରେ ସ୍ପଷ୍ଟ ହେବ । ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ମିଳିତ ଭାବେ ଛାନ୍ଭିନ୍ ଚଳାଇଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ କୋକସରା ହସ୍ପିଟାଲକୁ ପଠାଇ ଦିଆଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ଆହୁରି ସ୍ପଷ୍ଟ ହେବ ବୋଲି ଆମପାଣି ଥାନାଧିକାରୀ ସୂଚନା ଦେଇଛନ୍ତି । ଏ ନେଇ ଆମପାଣି ଥାନାରେ ଦୁଇଟି ପୃଥକ୍ ପୃଥକ୍ ଅପମୃତୁ୍ୟ ମାମଲା ରୁଜୁ ହୋଇଥିବା ଏଏସଆଇ ରାମଶଙ୍କର ବାଗ ସୂଚନା ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.