ଜଗତସିଂହପୁର,(ବି.ବି.ନ୍ୟୁଜ୍): ଟିଟିଗାଁରୁ ଅପହୃତ ହୋଇଥିବା ଯୁବତୀଙ୍କ ମୃତଦେହ ଆଜି ବିଲୁଆଖାଈ ନଦୀର ନଚ୍ଛିପୁର ନିକଟରୁ ଉଦ୍ଧାର କରାଯାଇଛି । ମୃତଦେହ ସଂପୂର୍ଣ୍ଣ ଉଲଗ୍ନ ଥିବାରୁ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୁଲିସ ପକ୍ଷରୁ ଅନୁମାନ କରାଯାଇଛି ।
ଗତକାଲି ଜଗତସିଂହପୁର ଥାନା ଅନ୍ତର୍ଗତ ଟିଟିଗାଁରୁ ହଠାତ୍ ନିଖୋଜ ହୋଇଯାଇଥିଲେ ବାସନ୍ତୀ ସାମଲଙ୍କ ଝିଅ ସୁନିତା(୨୨) । ଏସଂକ୍ରାନ୍ତରେ ବାସନ୍ତୀ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନିଜ ଏତଲାରେ ବାସନ୍ତୀ ଝିଅ ସୁନିତାଙ୍କୁ ଅପହରଣ କରାଯାଇଥିବା ପୁଲିସର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାଛଡ଼ା ଅପହରଣ ପଛରେ ପ୍ରହରାଜପୁରର ଜଣେ ଯୁବକଙ୍କ ସଂପୃକ୍ତି ଥିବା ପୁଲିସକୁ ଜଣାଇଥିଲେ । ଅଭିଯୋଗ ଆଧାରରେ ପୁଲିସର ଛାନ୍ଭିନ୍ ଚାଲିବା ଭିତରେ ଆଜି ସକାଳୁ ସୁନିତାଙ୍କ ଉଲଗ୍ନ ମୃତଦେହ ବିଲୁଆଖାଈ ନଦୀ ପଠାରୁ ଠାବ କରାଯାଇଥିଲା ।
ଅଭିଯୋଗ ମୁତାବକ, ଗତକାଲି ଦିନ ୯ଟା ସମୟରେ ସାଇକେଲ ଧରି ବଜାରକୁ ବାହାରିଥିଲେ ସୁନିତା । ଏହି ସମୟରେ ପ୍ରହରାଜପୁରର ସଂପୃକ୍ତ ଯୁବକ ସୁନିତାଙ୍କ ସାଇକେଲକୁ ଛଡ଼ାଇବା ସହ ଧକ୍କା ମାରିଥିଲେ । ଧକ୍କା ଓ ତଣ୍ଟିଆରେ ସୁନିତା ତଳେ ପଡ଼ି ଚି+ାର କରିଥିଲେ । ପାଟି ଶୁଣି ସୁନିତାଙ୍କ ମା’ ବାସନ୍ତୀ ଘଟଣାସ୍ଥଳକୁ ଦୌଡ଼ି ଆସି ଝିଅକୁ ଉଠାଇଥିଲେ । ଏଣେ ଉତ୍କ୍ଷିପ୍ତ ଅବସ୍ଥାରେ ଥିବା ସଂପୃକ୍ତ ଯୁବକ ଉଭୟ ମା’ ଝିଅଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହ ସୁନିତାଙ୍କୁ ଅପହରଣ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ସଂପୃକ୍ତ ଯୁବକ ସୁନିତାଙ୍କ ସାଇକେଲକୁ ଧରି ପଳାଇ ଯାଇଥିଲେ । ଏହି ଘଟଣା ଘଟିବା ପରେ ଅର୍ଥାତ ସନ୍ଧ୍ୟା ପରଠାରୁ ସୁନିତାଙ୍କ ଖୋଜ ଖବର ମିଳିନଥିଲା । ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରି ନିରାଶ ହେବା ପରେ ପୁଲିସରେ ଖବର କରିଥିଲେ । ହେଲେ ଆଜି ସୁନିତାଙ୍କ ମୃତଦେହ ନଦୀରୁ ମିଳିବା ପରେ ହଇଚଇ ପ୍ରକାଶ ପାଇଥିଲା । ସଂପ୍ରତ୍ତି ପୁଲିସ ବାସନ୍ତୀଙ୍କ ଅଭିଯୋଗ ଉପରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ମାତ୍ର ଘଟଣାଟି ହତ୍ୟାକାଣ୍ଡ ଭଳି ପ୍ରତୀୟମାନ ହେଉନଥିବା ଜଗତସିଂହପୁର ଥାନାଧିକାରୀ ରଜନୀକାନ୍ତ ମିଶ୍ର ପ୍ରକାଶ କରିଛନ୍ତି । ଶ୍ରୀ ମିଶ୍ରଙ୍କ କହିବା ମୁତାବକ, ଗତକାଲି ସୁନିତା ଘରୁ ବାହାରକୁ ଆସିବା ସତ । କିନ୍ତୁ ଘରୁ ଆସି ଜାହାନପୁର ମନ୍ଦିର ପାଖରେ ସୁନିତା ପହଞ୍ଚିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଦେଖିଛନ୍ତି । ମନ୍ଦିର ପାଖରେ ହିଁ ସୁନିତା ପିନ୍ଧିଥିବା ବସ୍ତ୍ର ଖୋଲି ନଦୀ ପୋଲ ଆଡ଼କୁ ଯାଇଥିଲେ । ସେତେବେଳେ ସେ ଏକୁଟିଆ ମଧ୍ୟ ଥିଲେ । ସମ୍ଭବତଃ ସେ ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପ୍ରତ୍ୟକ୍ଷ ଦର୍ଶୀଙ୍କ ସୂଚନା ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଥିଲେ ସୁଦ୍ଧା ସୁନିତାଙ୍କ ମା’ ବାସନ୍ତୀ ଦେଇଥିବା ରିପୋର୍ଟ ଉପରେ ମଧ୍ୟ ଅନୁସନ୍ଧାନ ଚାଲିଥିବା ଥାନାଧିକାରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.