ବାରିପଦା, (ବି.ବି.ନ୍ୟୁଜ୍): ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ (ଏସପି) ଭାବେ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଏସପି ଶ୍ରୀ ଦାସ ବିଦାୟୀ ଏସପି ଅବିନାଶ କୁମାରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ପୁଲିସ ପ୍ରଶାସନ ପକ୍ଷରୁ ନୂତନ ଏସପିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ବିଦାୟୀ ଏସପିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ନୂତନ ଏସପି କାର୍ଯ୍ୟଭାର ଗ୍ରହଣ କଲା ପରେ ପରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲାର ୪ଟି ଉପଖଣ୍ଡର ଉପଖଣ୍ଡ ପୁଲିସ ଅଧିକାରୀ ଏବଂ ସମସ୍ତ ଥାନାର ଅଧିକାରୀମାନଙ୍କ ସହିତ ଜିଲ୍ଲାର ଅପରାଧ ନିୟନ୍ତ୍ରଣ ବାବଦରେ ସମୀକ୍ଷା ଓ ପର୍ଯ୍ୟାଲୋଚନା କରିଛନ୍ତି । ନୂଆ ଏସପି ବିଶେଷ କରି ମୟୂରଭଞ୍ଜ ଜିଲ୍ଲାର ଅପରାଧ, ଦୁର୍ଘଟଣା, ଅନ୍ଧବିଶ୍ୱାସ ଏବଂ ନିଶାକାରବାରକୁ କମାଇବା ପାଇଁ ପୁଲିସ କେଉଁ କେଉଁ ପଦକ୍ଷେପ ଆଗକୁ ନେବ ସେ ବିଷୟରେ ଗୁରୁମନ୍ତ୍ର ଦେଇଛନ୍ତି । ଅନ୍ୟପକ୍ଷରେ ସାଧାରଣ ଜନତା ପ୍ରତି ପୁଲିସ କିଭଳି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବ ଏବଂ ସମସ୍ତ ପୁଲିସ କର୍ମଚାରୀମାନେ କିଭଳି ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣି ସମାଜ ପାଇଁ ତଥା ପୁଲିସ ବିଭାଗ ପାଇଁ ଉଦାହରଣ ସୃଷ୍ଟି କରିବେ ସେ ସଂପର୍କରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଆଜି ମଧ୍ୟାହ୍ନରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ନୂତନ ଏସପିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରାତି ୮ଟାରେ ବିଦାୟୀ ଏସ୍ପି ଅବିନାଶ କୁମାରଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସୂଚନା ଯୋଗ୍ୟ, ନୂତନ ଏସପି ଶ୍ରୀ ଦାସ ଏହା ପୂର୍ବରୁ ନୂଆପଡ଼ା ଜିଲ୍ଲାର ଏସ୍ପି ଦାୟିତ୍ୱରେ ଥିଲେ । ମାଓପ୍ରବଣ ଜିଲ୍ଲା ନୂଆପଡ଼ାରେ ତାଙ୍କ କାର୍ଯ୍ୟକାଳ ସମୟରେ ସେ ସେଠାରେ ମାଓ ଦମନ କରିବାରେ ସିଦ୍ଧହସ୍ତ ଥିଲେ । ଗତ ମଇ ମାସରେ ସେ ମୋଷ୍ଟ ୱାଣ୍ଟେଡ୍ ମାଓ କ୍ୟାଡର ପର୍ଶୁରାମ ମାଝୀ ଓରଫ ମଣ୍ଟୁକୁ ଆତ୍ମ ସମର୍ପଣ କରିବାକୁ ଏକପ୍ରକାର ବାଧ୍ୟ କରିଦେଇଥିଲେ । ୨୦୧୪ରୁ ଏହି ମାଓବାଦୀକୁ ପୁଲିସ ଖୋଜୁଥିବା ବେଳେ ତାକୁ ଧରାଇଦେଳେ ୧ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ମଧ୍ୟ ପୁଲିସ ଘୋଷଣା କରିଥିଲା । ସେହିପରି ୨୦୧୮ ନଭେମ୍ବର ମାସରେ ହାର୍ଡକୋର ମହିଳା ମାଓବାଦୀ ଦଲମାଟି ପାହାଡିଆ ଓରଫ ମାଧୁରୀ ମଧ୍ୟ ତାଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା । ଏହି ମହିଳା ମାଓବାଦୀ ମୁଣ୍ଡ ପାଇଁ ମଧ୍ୟ ପୁଲିସ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ପୁରସ୍କାର ଘୋଷଣା କରିଥିଲା । ତାଙ୍କରି କାର୍ଯ୍ୟକାଳ ସମୟରେ କଳାତାଲିକାଭୁକ୍ତ ଠିକାଦାର ବଣ୍ଟି ଅଗ୍ରୱାଲ ଏବଂ ତାର ପରିବାରକୁ କ୍ରାଇମ ବ୍ରାଞ୍ଚର ଇଓଡବ୍ଲ୍ୟୁ ଗିରଫ କରିଥିଲା । ଏହିପରି ଅନେକ କ୍ଷେତ୍ରରେ ନୂଆପଡା ଜିଲ୍ଲାକୁ ସେ ଅପରାଧ ମୁକ୍ତ କରିବାକୁ ଚେଷ୍ଟା ଜାରି ରଖିଥିଲେ । ଗତ ୧୯ତାରିଖରେ ତାଙ୍କର ବଦଳି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୧୭ ଜୁଲାଇରେ ସେ ନୂଆପଡା ଏସପି ଭାବେ ଯୋଗ ଦେଇଥିଲେ । ଏହା ପୂର୍ବପୁ ସେ ୨୦୧୬ ଏପ୍ରିଲ ରୁ ୨୦୧୭ ଜୁଲାଇମାସ ଯାଏଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଭାବେ କୋରାପୁଟ ଜିଲ୍ଲାର ସୁନାବେଡା ଡିଭିଜନରେ କାର୍ଯ୍ୟକରିଛନ୍ତି । ପୂର୍ବରୁ ସେ ବଣ ଜଙ୍ଗଲ ଘେରା ଆଦିବାସୀ ଜିଲ୍ଲାରେ କାର୍ଯ୍ୟ କରି ଅନେକ ଅଭିଜ୍ଞତା ସାଉଁଟିଥିବାରୁ ବର୍ତ୍ତମାନ ସେ ମୟୂରଭଞ୍ଜ ଭଳି ସର୍ବବୃହତ ତଥା ଆଦିବାସୀ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣରେ ସକ୍ଷମ ହେବେ ବୋଲି ଜନସାଧାରଣ ଆଶା ବାନ୍ଧିଛନ୍ତି ।
Comments are closed, but trackbacks and pingbacks are open.