ଢେଙ୍କାନାଳ,(ବି.ବି.ନୁ୍ୟଜ୍): ମହିମାଧର୍ମର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଯୋରନ୍ଦାରେ ସୋମବାର ସଂଧ୍ୟାରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତର ଯୁବକ ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଆତିଣ୍ଡା ଗ୍ରାମର ପ୍ରଶାନ୍ତ ପ୍ରଧାନ (୩୬) ବୋଲି ଜଣାପଡିଛି । ତାଙ୍କୁ ଢେଙ୍କାନାଳରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ମୁତାବକ, ସୋମବାର ପ୍ରାୟ ସଂଧ୍ୟା ୬ଟାରେ ଯୋରନ୍ଦା ହାଟଛକ ନିକଟରେ ଦୁଇଜଣ ଯୁବକଙ୍କ ସହ ପ୍ରଶାନ୍ତଙ୍କର ବଚସା ହୋଇଥିଲା । ବଚସା ଧୀରେ ଧୀରେ ଗଣ୍ଡଗୋଳର ରୂପ ନେଇଥିଲା । ଏହାପରେ ଯୁବକମାନେ ଏକ ଛୁରା ସାହାଯ୍ୟରେ ପ୍ରଶାନ୍ତଙ୍କୁ ଆକ୍ରମଣ କରିଥିଲେ । ଛୁରାମାଡରେ ପ୍ରଶାନ୍ତଙ୍କ ପେଟ ଅନ୍ତଃବୁଜୁଳା ବାହାରି ପଡିଥିବା ବେଳେ ଡାହାଣ ହାତ, ବେକ ସମେତ ଅନ୍ୟାନ୍ୟ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଏହି ଘଟଣାରେ ପୁଲିସ୍ ନିକଟରେ ଅଭିଯୋଗ ହୋଇନଥିଲେ ହେଁ ଖବରପାଇ ଯୋରନ୍ଦା ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.