ରକ୍ତ ଭଣ୍ଡାରରେ ଟଳିନି ରକ୍ତ ସଙ୍କଟ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): କରୋନା ପାଇଁ ଆଉ ପୂର୍ବଭଳି ହୋଇପାରୁନି ରକ୍ତଦାନ ଶିବିର । ଏଥିଯୋଗୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ୍ ରକ୍ତଭଣ୍ଡାରରେ ବିଭିନ୍ନ ଗ୍ରୁପର ରକ୍ତ ଅଭାବ ଲାଗି ରହିଛି । ବିଶେଷକରି ଓ-ପଜିଟିଭ୍,ଏବି-ପଜିଟିଭ୍ର ଅଧିକ ସଙ୍କଟ ସେଖାଦେଇଛି । ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ମଧ୍ୟ ଲୋକେ ଭୟରେ ଡାକ୍ତରଖାନା ଆସୁ ନାହାନ୍ତି । ତେଣୁ ଏବେ ରକ୍ତ ବିନିମୟରେ ରୋଗୀଙ୍କୁ ରକ୍ତ ଦିଆଯାଉଛି । ଆଜି ଏହି ରକ୍ତଭଣ୍ଡାରରେ ମୋଟ ୭୬ ୟୁନିଟ ରକ୍ତ ରହିଛି । ଆଗାମୀ ଦିନରେ ଏହାର ପରିମାଣ ନବଢିଲେ ସମସ୍ୟା ସୃଷ୍ଟି ହୋଇପାରେ ।
ଏହି ମେଡିକାଲ୍ କଲେଜ ଓ ହସ୍ପିଟାଲ ଉପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରୋଗୀ ନିର୍ଭର କରୁଛନ୍ତି । ପ୍ରତିଦିନ ୨୫ ୟୁନିଟରୁ ଅଧିକ ରକ୍ତ ଆବଶ୍ୟକ ପଡ଼ୁଛି । ତେଣୁ ଗଚ୍ଛିତ ଥିବା ରକ୍ତ କେବଳ ଅତି ଜରୁରୀ ସମୟରେ ପ୍ରଦାନ କରାଯାଉଛି । ଥାଲାସେମିଆ, ସିକିଲସେଲ ଏବଂ ଗୁରୁତର ଅବସ୍ଥାରେ ଆସୁଥିବା ଅସହାୟ ଗର୍ଭବତୀଙ୍କ ଜରୁରୀ ଚିକିତ୍ସା ପାଇଁ ମାଗଣାରେ ଏହା ପ୍ରଦାନ କରାଯାଉଛି । ନଚେତ୍ ସମ୍ପର୍କୀୟଙ୍କ ରକ୍ତ ବିନିମୟରେ ସେମାନଙ୍କୁ ଆବଶ୍ୟକ ଗୃପ୍ର ରକ୍ତ ଯୋଗାଇ ଦିଆଯାଉଛି । ରକ୍ତଭଣ୍ଡାର ଅଧିକାରୀ ମଧୁସୂଦନ ବଳିଆରସିଂ କହିଛନ୍ତି, ଏବେ କରୋନା ପରିସ୍ଥିତି ପାଇଁ ସ୍ୱେଚ୍ଛାକୃତ ରକ୍ତଦାନ ହାର କମିଛି । ଯେଉଁ ସ୍ୱେଚ୍ଛାସେବୀ ଶିବିର ପାଇଁ ଆଗ୍ରହ ଦେଖାଉଛନ୍ତି, ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରାଯାଉଛି । ଏବେବି ଅନେକ ସ୍ୱେଚ୍ଛାସେବୀ ରକ୍ତଭଣ୍ଡାରକୁ ଆସି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଛନ୍ତି । ବିଗତ ଦିନରେ ଯେଉଁ ରକ୍ତ ସଙ୍କଟ ଦେଖାଦେଇଥିଲା, ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଶିବିର ଦ୍ୱାରା ସେଥିରେ ବହୁ ମାତ୍ରାରେ ସୁଧାର ଆସିଛି । ଆଗାମୀ ସପ୍ତାହକ ପାଇଁ କେହି ଶିବିର ଆୟୋଜନ କରିବା ଲାଗି ଆଗ୍ରହ ଦେଖାଇ ନାହାନ୍ତି । ତଥାପି ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖାଯାଇ ପଦକ୍ଷେପ ନିଆଯାଉଛି । ହାଟ ବଜାରରେ ଭ୍ରାମ୍ୟମାଣ ଭ୍ୟାନ ଦ୍ୱାରା ରକ୍ତ ସଂଗ୍ରହ ପାଇଁ ଉଦ୍ୟମ ହେବ ବୋଲି କହିଛନ୍ତି ଶ୍ରୀ ବଳିଆରସିଂ ।
ଜିଲ୍ଲା ରକ୍ତଦାତା ପ୍ରବର୍ତ୍ତକ ଫୋରମ ସଭାପତି ଜି. ସଂଜୀବ କୁମାର କହିଛନ୍ତି, ଏବେ କରୋନା ପାଇଁ ରକ୍ତଦାନ ଶିବିର ଆୟୋଜନରେ ସମସ୍ୟା ହେଉଛି । ତଥାପି ଗତମାସ ୧୭ ଓ ୨୧ ତାରିଖରେ ବୈପାରୀଗୁଡ଼ାର ଦଣ୍ଡାବାଡ଼ି ଏବଂ କୋରାପୁଟରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ୪୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କେବଳ ଦଣ୍ଡାବାଡ଼ିରୁ ୩୫ ୟୁନିଟ୍ ସଂଗ୍ରହ କରାଯାଇଥିଲା । ଯାହା ରକ୍ତଭଣ୍ଡାରରେ ଲାଗି ରହିଥିବା ସଙ୍କଟକୁ କିଛି ମାତ୍ରାରେ ଦୂର କରିପାରିଛି । ଜିଲ୍ଲା ରକ୍ତଦାତା ସଂଘ ସଭାପତି ପ୍ରହଲ୍ଲାଦ ସାହୁ କହିଛନ୍ତି, ରକ୍ତଭଣ୍ଡାରରେ ରକ୍ତ ସଙ୍କଟ ଦୂର କରିବା ଲାଗି ସଂଘ ସହିତ ଯୋଡ଼ି ହୋଇଥିବା ସଦସ୍ୟମାନେ ଆଗକୁ ଆସିଛନ୍ତି । ନିୟମିତ ରକ୍ତଭଣ୍ଡାର ସହିତ ଯୋଗାଯୋଗରେ ରହି ରୋଗୀଙ୍କୁ ଆବଶ୍ୟକସ୍ଥଳେ ରକ୍ତଦାନ କରୁଛନ୍ତି । ଦୁଇଦିନ ତଳେ ବି ପଜିଟିଭ୍ ଏବଂ ‘ଓ’ ପଜିଟିଭ୍ ଗ୍ରୁପ୍ ରକ୍ତ ରୋଗୀଙ୍କ ପାଇଁ ଆବଶ୍ୟକ ଥିବା ବେଳେ ସଂଘ ସଦସ୍ୟ ବି. ରାଜାରାଓ, ବିମଳ ରାଥୋଡ, ସୁଜ୍ଞାନ ପଣ୍ଡା ପ୍ରମୁଖ ରକ୍ତଭଣ୍ଡାରରେ ରକ୍ତ ଦେଇ ରୋଗୀଙ୍କ ଜୀବନ ବଞ୍ଚାଇଥିଲେ । ଆଗାମୀ ଦିନରେ ରକ୍ତ ସଙ୍କଟ ଦୂର କରିବା ଲାଗି ବ୍ଲକ ଓ ପଂଚାୟତ ସ୍ତରରେ ବ୍ୟାପକ ରକ୍ତଦାନ ଶିବିର ଆୟୋଜନ ଲାଗି ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons